ସାନନଦୀ ଉପରେ ସରିଲା ପୋଲ ନିର୍ମାଣ: ପଦ୍ମପୁର-ଗୁଡାରି ମଧ୍ୟରେ କମିଲା ୫ କିମି ଦୂରତା

Advertisment

ଚନ୍ଦ୍ରପୁର ସମେତ ଉପକୃତ ହେବେ ୩ ବ୍ଲକର ଲକ୍ଷାଧିକ ଲୋକ, ବର୍ଷା ୩ ମାସ ଓ ଜରୁରି କାମରେ ଲୋକ ହେଉଥିଲେ ହନ୍ତସନ୍ତ

ଚନ୍ଦ୍ରପୁର ସମେତ ଉପକୃତ ହେବେ ୩ ବ୍ଲକର ଲକ୍ଷାଧିକ ଲୋକ, ବର୍ଷା ୩ ମାସ ଓ ଜରୁରି କାମରେ ଲୋକ ହେଉଥିଲେ ହନ୍ତସନ୍ତ

ସାନନଦୀ ଉପରେ ସରିଲା ପୋଲ ନିର୍ମାଣ: ପଦ୍ମପୁର-ଗୁଡାରି ମଧ୍ୟରେ କମିଲା ୫ କିମି ଦୂରତା

ରାୟଗଡ଼ା: ବର୍ଷା ୩ ମାସ ଯାତାୟାତ ପାଇଁ ଲୋକ ହେଉଥିଲେ ହନ୍ତସନ୍ତ। ବୁଲିବୁଲି ୧୮ କିମି ରାସ୍ତା ଯିବାକୁ ପଡୁଥିଲା। ସାନନଦୀ ଉପରେ ବହୁ ପ୍ରତୀକ୍ଷିତ ପୋଲ ନିର୍ମାଣ ପରେ ଦୂର ହୋଇଛି ୩ ବ୍ଲକବାସୀଙ୍କ ଦୁଃଖ। ପଦ୍ମପୁର-ଗୁଡାରି ମଧ୍ୟରେ ୫ କିମି ଦୂରତା କମିବା ସହ ଗୁଡାରି-ପଦ୍ମପୁର-ଚନ୍ଦ୍ରପୁର ବ୍ଲକର ଲକ୍ଷାଧିକ ଲୋକ କୋରାପୁଟ-ବ୍ରହ୍ମପୁର ଜାତୀୟ ରାଜପଥ ସହ ସିଧାସଳଖ ଯୋଡ଼ି ହୋଇଛନ୍ତି।

ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଛକରୁ ଗୁଡାରି ବ୍ଲକର ଏମକେରାଇକୁ ସଂଯୋଗ ହୋଇଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା। ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ୯.୨ କିମି ବିଶିଷ୍ଟ ଏହି ରାସ୍ତା ସଂପୂର୍ଣ୍ଣ କ୍ଷେତ୍ରରେ ବାଧକ ସାଜିଥିଲା ସାନନଦୀ। ନଦୀ ଉପରେ ପୋଲ ନିର୍ମାଣ ପାଇଁ ହୋଇପାରୁନଥିବାରୁ ପଦ୍ମପୁରରୁ ଗୁଡାରି ଯାଉଥିବା ଲୋକ ପଦ୍ମପୁର ବ୍ଲକର ମୁଚିକିପଦର, ଗୁଡିଆବନ୍ଧ ଦେଇ ୧୮ କିମି ରାସ୍ତା ବୁଲି ଏମକେରାଇରେ ପହଞ୍ଚୁଥିଲେ। ସେହିପରି ଗୁଡାରିରୁ ବୁରୁଲେଣ୍ଡି, ସିରିଗୁଡା ଦେଇ ଚନ୍ଦ୍ରପୁର ବ୍ଲକକୁ ଏହି ରାସ୍ତା ଯୋଡ଼ି ହୋଇଥିବାରୁ ସରକାରୀ କାମରେ ଲୋକମାନେ ଗୁଣପୁର ଉପଖଣ୍ଡକୁ ଯାତାୟାତ କରିଥାନ୍ତି। ହେଲେ ନଦୀ ଉପରେ ପୋଲ ନଥିବାରୁ ବର୍ଷା ୩ ମାସ ସହ ବହୁ ଜରୁରିକାଳୀନ ଲୋକଙ୍କୁ ପହଞ୍ଚିବାରେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ।

ଗଜପତି ଜିଲ୍ଲାର ଅଡବାରୁ ବାହାରିଥିବା ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଓ ପଦ୍ମପୁର ବ୍ଲକର ବଡନାଳ ଡ୍ୟାମରୁ ବାହାରିଥିବା କୋନଲ ମେରେଣ୍ଡା ନିକଟରେ ମିଶି ସାନ ନଦୀ ସୃଷ୍ଟି ହୋଇଛି। ଲୋକଙ୍କ ଦାବି ପରେ ମିସିଂ ଲିଙ୍କ୍ ବ୍ରିଜ୍ ଯୋଜନାରେ ଗୁଣପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ନଦୀ ଉପରେ ପୋଲ ନିର୍ମାଣ ପାଇଁ ବିଭାଗକୁ ୨୦୧୬ ମସିହାରେ ପ୍ରସ୍ତାବ ଯାଇଥିଲା। ବିଭାଗୀୟ ଅନୁମୋଦନ ପରେ ୧୫୦ ମିଟର ଲମ୍ବ ପୋଲ, ୨୫୦ ମିଟର ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ୬ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ଟେଣ୍ଡର ଡାକିଥିଲା ବିଭାଗ।

୨୦୧୮ ମସିହାରେ ପୋଲ ନିର୍ମାଣ ଆରମ୍ଭ ହୋଇ ନିକଟରେ ଶେଷ ହୋଇଛି। ପୋଲ ନିର୍ମାଣ ଶେଷ ହେବା ପରେ ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର ବ୍ଲକବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କୋରାପୁଟରୁ ବ୍ରହ୍ମପୁରକୁ ସଂଯୋଗ ହୋଇଥିବା ୩୨୬ ନଂ ଜାତୀୟ ରାଜପଥର ଖିଲାମୁଣ୍ଡା ଛକକୁ ଏହି ରାସ୍ତା ଯୋଡ଼ି ହୋଇଥିବାରୁ ଏଣିକି କୋରାପୁଟ, ରାୟଗଡ଼ା, ବ୍ରହ୍ମପୁର, ଭୁବନେଶ୍ବରକୁ ଯାତାୟାତ କ୍ଷେତ୍ରରେ ଲକ୍ଷାଧିକ ଲୋକ ଉପକୃତ ହେବେ।

ପୋଲ ନିର୍ମାଣ ପରେ ୩ ବ୍ଲକବାସୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ଯୋଜନା ରହିଥିବା କହିଛନ୍ତି ଗୁଣପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ କୁମାର ପାଢ଼ୀ। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ୫.୫ ପ୍ରକଳ୍ପରେ ଏହି ରାସ୍ତାକୁ ସାମିଲ୍ ହେବ। ଅନ୍ୟପକ୍ଷରେ ପୋଲ ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ପଛରେ ପଡ଼ିଥିଲା ଗୁଡାରି ଓ ଚନ୍ଦ୍ରପୁର ବ୍ଲକର ବହୁ ପଞ୍ଚାୟତ। ବର୍ତ୍ତମାନ ବିକାଶ ଧାରା ସହ ଯୋଡ଼ି ହେବା ସହ ଲୋକଙ୍କ ଅର୍ଥନୈତିକ ବିକାଶରେ ଏହି ରାସ୍ତା ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଓ ବିଭାଗୀୟ ଏସଡିଓ ଚିତ୍ତରଂଜନ ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe