‘ମୃତ’ ବାହୁଡ଼ିବା ଘଟଣା: ଗିରଫ ୨ ଯୁବକଙ୍କୁ ୫ ଲକ୍ଷ କ୍ଷତିପୂରଣ ପାଇଁ ଆଦେଶ, ପୁଲିସ ଅଧିକାରୀଙ୍କ ଦରମାରୁ ଆଦାୟ ହେବ ଅର୍ଥ

Advertisment
‘ମୃତ’ ବାହୁଡ଼ିବା ଘଟଣା:  ଗିରଫ ୨ ଯୁବକଙ୍କୁ ୫ ଲକ୍ଷ କ୍ଷତିପୂରଣ ପାଇଁ ଆଦେଶ, ପୁଲିସ ଅଧିକାରୀଙ୍କ ଦରମାରୁ ଆଦାୟ ହେବ ଅର୍ଥ

ବରଗଡ଼: ‘ମୃତ’ ଘୋଷିତ ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ମାଝିପାଲି ଗ୍ରାମର ଜିତୁ ଡନସନା ୧୯ ମାସ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିବା ୨୦୧୮ ମସିହାର ଏକ ଚର୍ଚ୍ଚିତ ଘଟଣା ଥିଲା। ଘଟଣାଟି କୌଣସି ସିନେମା କାହାଣୀଠୁ କମ୍‌ ନଥିଲା। କାରଣ ସେତେବେଳେ ଜିତୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ବରଗଡ଼ ବିଶିପଡ଼ାର ହଲୁ ଗୁଲ୍ଲା (୨୨) ଓ ରାଘବ ନାୟକ (୨୨)ଙ୍କୁ ଗିରଫ କରି ସାରିଥିଲା। ଦୁହେଁ ବିନା ଦୋଷରେ ଅକାରଣରେ ଜେଲ୍‌ରେ ରହିଥିଲେ। ଜିତୁ ଫେରିବା ପରେ ଉଭୟେ ଆପଣାଛାଏଁ ଦୋଷମୁକ୍ତ‌ ହୋଇଥିଲେ। ତେବେ ମାମଲାଟି ଜାତୀୟ ମାନବାଧିକାର କମିସନଙ୍କ ପାଖକୁ ଯାଇଥିଲା।

କମିସନ୍‌ ତତ୍କାଳୀନ ଉତ୍ତରାଂଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ରିପୋର୍ଟ ତଲବ କରିଥିଲା। କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଏହାପରେ କମିସନ୍‌ ହଲୁ ଏବଂ ରାଘବଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ତତ୍କାଳୀନ ପାଇକମାଳ ଥାନାଧିକାରୀ ତଥା ତଦନ୍ତ ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ଦରମାରୁ ଆଦାୟ ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନନ୍ତ ଶୟନ ପାଢ଼ୀ ମାମଲା ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ, ୨୦୧୬ ଡିସେମ୍ବର ୭ ତାରିଖ ଜିତୁ ବରଗଡ଼ ଆସିଥିବା ବେଳେ ଜୀରା ନଦୀ ପାଖରେ ଲୁଟ୍‌ ଶିକାର ହୋଇଥିଲେ। ଏହା ପରେ ସେ ନିଖୋଜ ହୋଇ ଯାଇଥିଲେ। ପୁଅ ନିଖୋଜ ରହିବା ପରେ ତାଙ୍କ ପିତା ସେହି ମାସ ୨୫ ତାରିଖ ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ ନମ୍ବର ୧୮୭/୧୬ ଦଫା ୩୬୬ରେ ମାମଲା ରୁଜୁ କରିଥିଲା। ଦୀର୍ଘ ଦିନ ଧରି ଛାନଭିନ୍‌ ପରେ ବି ଜିତୁଙ୍କ କୌଣସି ସନ୍ଧାନ ମିଳିନଥିଲା।

ଜିତୁଙ୍କ ମୋବାଇଲ୍‌ ଏବ˚ ଟଙ୍କା ଲୁଟ୍‌ ମାମଲାରେ ବରଗଡ଼ର ହଲୁ ଓ ରାଘବ ୨୦୧୭ ମସିହା ଜୁଲାଇ ୨୭ ତାରିଖ ଗିରଫ ହେଲେ। ସେମାନେ ଜିତୁଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା କୁହାଯାଇଥିଲା। କିନ୍ତୁ ୧୯ ମାସ ପରେ କୋଲକତାର ଜଣେ ଆଇସ୍କ୍ରିମ ବିକାଳି ଜିତୁ ଜୀବିତ ଥିବା ନେଇ ତାଙ୍କ ପରିବାରକୁ ମୋବାଇଲ ଯୋଗେ ଜଣାଇଥିଲା। ପରେ ଜିତୁ ଉଦ୍ଧାର ହୋଇଥିଲେ। ପୁଲିସ୍‌ ଥାର୍ଡ ଡିଗ୍ରି ଦେଇ ହତ୍ୟା କଥାକୁ ସ୍ବୀକାର ବାଧ୍ୟ କରିଥିଲା ବୋଲି ହଲୁ ଏବଂ ରାଘବ ଜେଲ୍‌ରୁ ମୁକୁଳିବା ପରେ ବୟାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe