କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁର ସ୍କୁଲରେ ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଆହତ ହୋଇଛନ୍ତି। ସମସ୍ତ ଛାତ୍ରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘଟଣା ପରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର୍ ମାରିଥିବା ବେଳେ ସ୍କୁଲରେ ଉତ୍ତେଜନା ଦେଖାଦେଇଥିଲା। ପ୍ରକାଶ ଯେ, ଶୁକ୍ରବାର ସ୍କୁଲରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତା ଚାଲିଥିଲା। ଏହି ସମୟରେ କିଛି ଛାତ୍ର ପାଟିତୁଣ୍ଡ କରିଥିଲେ। ବିଜ୍ଞାନ ଶିକ୍ଷକ ପ୍ରଭାତ ହରପାଲ ଛାତ୍ରଙ୍କ ଉପରେ ବର୍ଷି ଚୁପ୍ ରହିବାକୁ କହିବା ସହ ସେମାନଙ୍କୁ ମାଡ଼ ମାରିଥିଲେ।
କିଛି ଛାତ୍ର ସେଠାରୁ ଭୟରେ ଚାଲିଯାଇଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଛତ୍ରପତି ଶିବାଜୀ ଦାସ, ଶୁଭମ କୁମ୍ଭାର, ପ୍ରିତମ କୈବର୍ତ୍ତ, ଦ୍ରୋଣ ତାଣ୍ଡି ଓ ଦେବରାଜ ସୁନା ଅଧିକ ମାଡ଼ ଖାଇଥିଲେ। ଏନେଇ ଅଭିଭାବକମାନେ ଜାଣିବା ପରେ ଛାତ୍ରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ବିଇଓ ଜୟନ୍ତ ପଧାନ ସ୍ଥିତି ଅନୁଧ୍ୟାନ କରିବା ସହ ଡିଇଓଙ୍କୁ ରିପୋର୍ଟ କରିଛନ୍ତି। ତାଙ୍କୁ ପଚାରିବାରୁ ଶିକ୍ଷକ ଜଣକ ମାଡ଼ ମାରିଛନ୍ତି।
କିଛି ଛାତ୍ରଙ୍କ ଦେହରେ ଚିହ୍ନ ମଧ୍ୟ ରହିଛି। ଜିଲ୍ଲା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି, ସେ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି। ତେବେ ଦଣ୍ଡମୁକ୍ତ ଅଞ୍ଚଳରେ କାହିଁକି ମାଡ଼ ମାରିଲେ ଶିକ୍ଷକ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।
Follow Us