କବାଟବନ୍ଧ: ଚଣ୍ତିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ କବାଟବନ୍ଧ ବ୍ରାହ୍ମଣୀସେତୁ ନିକଟରେ ୫୦ରୁ ଅଧିକ ଉଠା ଦୋକାନୀଙ୍କୁ ଆଜି ଉଚ୍ଛେଦ କରାଯାଇଛି। ଛୋଟମୋଟ ଦୋକାନ କରି ଦୀର୍ଘବର୍ଷ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ଏବେ ଏହି ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଛି। ରାସ୍ତା ଚଉଡ଼ା କରିବା ପାଇଁ ଠିକାସଂସ୍ଥା ଏମ୍ଏସ୍ଆଇଏଲ୍ ପକ୍ଷରୁ ଉକ୍ତ ଉଠାଦୋକାନଗୁଡ଼ିକୁ ବିନା ଲିଖିତ ନୋଟିସରେ ଅଚାନକ ଭାଙ୍ଗି ଦିଆଯାଇଛି। ଅଚାନକ ଦୋକାନ ଭାଙ୍ଗିଦିଆଯିବାରୁ ଆମେ ଖାଇବୁ କଣ, ଆମ ପରିବାର ଚଳିବେ କେମିତି ବୋଲି ପ୍ରଶାସନ ନିକଟରେ ପ୍ରଶ୍ନ କରିଛନ୍ତି ସେଲୁନ୍ କରିଥିବା କାଶୀନାଥ ବାରିକ ଓ ଜଳଖିଆ ଦୋକାନ କରିଥିବା ବସନ୍ତ ସାହୁ।
ଅପରପକ୍ଷରେ ବ୍ରାହ୍ମଣୀ ବ୍ରିଜ୍ ବଣିକ ସଂଘର ସଂପାଦକ ରମାକାନ୍ତ ଜେନାଙ୍କୁ ପଚାରିବାରୁ ଆମ ଦୋକାନ ଭାଙ୍ଗିଲ, ଏବେ ଅନ୍ୟତ୍ର ଥଇଥାନ କର ନଚେତ ସରକାରୀ ସହାୟତା ପ୍ରଦାନ କର ନହେଲେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଠିକାସଂସ୍ଥାର କର୍ମଚାରୀ ବିରେନ୍ଦ୍ର ଖୁସ୍ୱାଙ୍କୁ ପଚାରିବାରୁ ଦୋକାନୀଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା, ସେମାନେ ଆମଠାରୁ ସମୟ ନେଇଥିଲେ। ସମୟସୀମା ପୂରିଯିବାରୁ ଆମେ ଦୋକାନ ଭାଙ୍ଗୁଛୁ ବୋଲି ପ୍ରକାଶ କରିଛନ୍ତି।
Follow Us