ବ୍ରହ୍ମପୁର :ମା’ଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର। ସହରର ପ୍ରମୁଖ ଛକ ଗୁଡ଼ିକରେ ବିଭିନ୍ନ ଡିଜାଇନର ତୋରଣ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବକୁ ମିଳିଛି। ଦୁଇ ବର୍ଷ ଧରି ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ମା’ଙ୍କ ପୂଜାକୁ ଚଳିତ ବର୍ଷ ଉତ୍ସାହର ସହ ପାଳନ କରିବାକୁ ସହରର ସମସ୍ତ ପୂଜା କମିଟି ଅଣ୍ଟା ଭିଡ଼ିଛନ୍ତି। ସହରର ପ୍ରମୁଖ ବଜାର ସହ ଆକର୍ଷଣୀୟ ମେଢ଼ ନିର୍ମାଣ କରି ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କମାପଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ଚଳିତବର୍ଷ ୫୯ବର୍ଷରେ ପଦାର୍ପଣ କରୁଛି। ପୂଜା କମିଟି ପକ୍ଷରୁ ୧୯୬୪ ମସିହାରେ ବୁଦ୍ଧିଆ ମହାନ୍ତି, ରାଘବ ପାଢ଼ୀ, କାଶୀ ବିଶ୍ୱନାଥ ପାତ୍ର, ମୋହନ ରାଓଙ୍କ ଭଳି ଉତ୍ସାହି ବ୍ୟକ୍ତିଙ୍କ ଦ୍ବାରା ପ୍ରଥମେ ଛୋଟ ଆକାରର ମୂର୍ତ୍ତି କରି ପୂଜା ଆରମ୍ଭ କରିଥିଲେ। ସମୟ କ୍ରମେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଓ ବ୍ୟବସାୟୀଙ୍କ ସହଯୋଗରେ ଆଡ଼ମ୍ବର ସହକାରେ ପୂଜା ପାଳିତ ହୋଇଆସୁଛି। ମା’ଙ୍କ ମୃଣ୍ମୟ ମୂର୍ତ୍ତିକୁ କଟକର କାରିଗର ସ୍ବର୍ଗତ ଦୀନବନ୍ଧୁ ମୁଦୁଲି ପ୍ରଥମେ ନିର୍ମାଣ କରିଥିଲେ।
ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସ୍ବର୍ଗତ ମୁଦୁଲିଙ୍କ ପରିବାରବର୍ଗ ହିଁ ମା’ଙ୍କ ମୂର୍ତ୍ତି ନିର୍ମାଣ କରି ଆସୁଥିବା ଜଣାପଡ଼ିଛି। ବର୍ଷବର୍ଷ ଧରି ମା’ଙ୍କ ମୂର୍ତ୍ତିର ଶୈଳୀ ଓ ରଙ୍ଗ ଏକପ୍ରକାର ରହିଆସିଥିବା ବେଳେ ବେଶରେ କିଛିଟା ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ୧୦ଜଣ କାରିଗରଙ୍କ ଦ୍ବାରା ୭ଫୁଟ ଉଚ୍ଚରେ ମା’ଙ୍କ ମୂର୍ତ୍ତି ନିର୍ମାଣ ହେଉଛି। ଏହାଛଡ଼ା ପୂଜାମଣ୍ଡପର ମୁଖ୍ୟ ପ୍ରବେଶ ପଥରେ ଇସ୍କନ ମନ୍ଦିର ଭଳି ତୋରଣ ନିର୍ମାଣ କରାଯାଉଛି। ଢେଙ୍କାନାଳର କାରିଗର ଏହି ତୋରଣ ନିର୍ମାଣ କରୁଛନ୍ତି ।
ଯାହାର ଉଚ୍ଚତା ୫୦ ଫୁଟ ରହିବ ବୋଲି କମିଟି ଉପଦେଷ୍ଟା ସୋମନାଥ ପାଢ଼ୀ କହିଛନ୍ତି। ବଜାର ଭିଡ଼ ସାଙ୍ଗକୁ ଟ୍ରାଫିକ ନୀତିନିୟମକୁ ଧରି ପୂର୍ବବର୍ଷ ମାନଙ୍କ ଭଳି ବିରାଟକାୟ ତୋରଣ ହେଉନଥିବା ବେଳେ ରଙ୍ଗବେରଙ୍ଗର ଆଲୋକମାଳ ସାଙ୍ଗକୁ ଡିଜିଟାଲ ଗେଟ୍ ସବୁ ନିର୍ମାଣ କରାଯାଉଛି। ଆସନ୍ତା ୨୬ତାରିଖ ନବରାତ୍ରୀ ଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ମା’ଙ୍କ ରୀତିନୀତିକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳିଛି। ପୂଜା ଆରମ୍ଭରୁ ପ୍ରତିଦିନ ସନ୍ଧ୍ୟାରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ କମିଟି ସଭାପତି ଗଙ୍ଗାଧର ପାତ୍ର, ସଂପାଦକ ରାମକୃଷ୍ଣ ମହାରଣା, ସହ ସଂପାଦକ ରବୀନ୍ଦ୍ର ପାଢ଼ୀ, କୋଷାଧ୍ୟକ୍ଷ ସୀମାଞ୍ଚଳ ବେହେରାଙ୍କ ସମେତ ସୁକଦେବ ପାତ୍ର, ଏମ୍. ବେଣୁ ଗୋପାଳ ରେଡି, ସୂର୍ଯ୍ୟ ମହାନ୍ତି, ସନ୍ତୋଷ ଶତପଥୀ ଓ ତାରିଣୀ ଶେଖର ପାତ୍ରଙ୍କ ସମେତ କମିଟିର ବହୁ ସଦସ୍ୟ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।
Follow Us