ବିଦ୍ୟାଳୟକୁ ନ ନେଇ ଘରେ ରଖିଥିଲେ: ୫ କ୍ୱିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଜବତ

Advertisment
ବିଦ୍ୟାଳୟକୁ ନ ନେଇ ଘରେ ରଖିଥିଲେ: ୫ କ୍ୱିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଜବତ

ରାୟଗଡ଼: ରାୟଗଡ଼ା ଜିଲ୍ଲାର ଦୁର୍ଗାପାଡୁ ସେବାଶ୍ରମ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଏକ ମାକ୍ସ ପିକ୍‌ଅପ୍‌ ଗାଡ଼ିରେ ଚାଲାଣ ବେଳେ ଯୋଗାଣ ବିଭାଗ ଜବତ କରିଛି।  ଆଜି ଅପରାହ୍ନରେ  ଯୋଗାଣ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇ ପିକ୍‌ଅପ୍‌ ଗାଡିର ମାଲିକ ସୀମାଞ୍ଚଳ ପଟନାୟକଙ୍କ ଘରୁ ଏହି ୫ କ୍ୱିଣ୍ଟାଲ ଚାଉଳ ଜବତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ନୀଳକଣ୍ଠ ମହାନ୍ତି କହିଛନ୍ତି। ଦୁର୍ଗାପାଡ଼ୁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ଏଭଳି କରିଥିବା  ଗାଡ଼ି ମାଲିକ କହିବା ଯୋଗୁଁ ଏହାର ତଦନ୍ତ କରି ଏତଲା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ଘଟଣା ସଂପର୍କରେ ସିଏସଓ ଶ୍ରୀ ମହାନ୍ତି କହିଛନ୍ତି ଯେ ଏକ ମାକ୍ସ ପିକଅପ ଗାଡ଼ି (ଓଆର-୧୮ଏ/୩୦୫୯)ରେ ଦୁର୍ଗାପାଡ଼ୁ ସେବାଶ୍ରମ  ଓ କାରୁବାଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ପହଞ୍ଚାଇବା ପାଇଁ  ଆରଏମସି ଗୋଦାମରୁ ଉଠାଯାଇଥିଲା।

ତେବେ ଗାଡ଼ି ମାଲିକ ସ୍ଥାନୀୟ କତୁରୁ  ଦ୍ୱିତୀୟ ଲାଇନରେ ଥିବା ନିଜ ଘରେ  ୫ କ୍ୱିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ  ରଖି ଅବଶିଷ୍ଟ ଚାଉଳକୁ  ନେଇ ଯାଇଥିଲେ। ଦୁର୍ଗାପାଡୁ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ୧୦ କ୍ୱିଣ୍ଟାଲ ଚାଉଳ ମଧ୍ୟରୁ ଏହି ୫ କ୍ୱିଣ୍ଟାଲ ଘରେ ରଖି ଅବଶିଷ୍ଟ ଦୁର୍ଗାପାଡ଼ୁ ସେବାଶ୍ରମର ପ୍ରଧାନ ଶିକ୍ଷକ ସୁରେଶ କୈାଶଲ୍ୟାଙ୍କୁ  ହସ୍ତାନ୍ତର କରିଥିଲେ।  ତେବେ ୫ କ୍ୱିଣ୍ଟାଲ ଚାଉଳ ବିକ୍ରି ପାଇଁ ଗାଡି ମାଲିକ ଘରେ ରଖାଯାଇଥିବା ସଂପର୍କରେ ସୂଚନା ପାଇବା ପରେଯୋଗାଣ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଚଢାଉ ବେଳେ ୫୦ କିଲୋର ୧୦ ପ୍ୟାକେଟ୍‌ ( ୫କ୍ୱିଣ୍ଟାଲ) ଚାଉଳ ଜବତ କରାଯାଇଥିଲା।  ଅପରପକ୍ଷରେ କାରୁବାଇ ସ୍କୁଲର ଷ୍ଟକ୍‌ ଯାଞ୍ଚ ବେଳେ ଚାଉଳ ଠିକ ରହିଥିବା ବେଳେ ଦୁର୍ଗାପାଡ଼ୁ ସେବାଶ୍ରମ ସ୍କୁଲର ୫ କ୍ୱିଣ୍ଟାଲ ଚାଉଳ କମ ଥିବା ଧରାପଡ଼ିଥିଲା ବୋଲି ସିଏସଓ ଶ୍ରୀ ମହାନ୍ତି କହିଛନ୍ତି। ତେଣୁ ଦୁର୍ଗାପାଡ଼ୁ ପ୍ରଧାନ ଶିକ୍ଷକ ଶ୍ରୀ କୈାଶଲ୍ୟା ଏବଂ ଗାଡ଼ି ମାଲିକ ଶ୍ରୀ ପଟନାୟକଙ୍କ ବିରୋଧରେ ୭ ଇସି ମକଦ୍ଦମା ଦାୟର କରାଯିବ ବୋଲି କହିଛନ୍ତି। ଏହି ଚଢାଉରେ ଏସସିଏସଓ ସୁବୋଧ ହୋତା ଏବଂ ମାର୍କେଟିଂ ଅଧିକାରୀ ରୀନା ରାଣୀ ଉପସ୍ଥିତ ଥିଲେ। ଅପର ପକ୍ଷରେ ଏହି ସଂପର୍କରେ ଜିଲ୍ଲା କଲ୍ୟାଣ ଅଧିକାରୀ ଅଭିମନ୍ୟୁ ମହାପାତ୍ର କହିଛନ୍ତି ଯେ ଚାଉଳ ଚାଲାଣ ସଂପର୍କରେ ଅଭିଯୋଗ ପାଇନାହାନ୍ତି। ସତ୍ୟତା ରହିଥିଲେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe