୨୬ ଦିନ ହେଲା ଅନ୍ଧାରରେ ୬୦ ଉପଭୋକ୍ତା

୨୬ ଦିନ ହେଲା ଅନ୍ଧାରରେ ୬୦ ଉପଭୋକ୍ତା

କାଳିଆପାଣି: ବିଦ୍ୟୁତ୍‌ ବିଭାଗର କାଳିଆପାଣି ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜାରେ ଗତମାସ ୧୫ ତାରିଖରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଟ୍ରାନ୍ସଫର୍ମର ଅକାମୀ ଥିବା କାରଣରୁ ଏହା ଉପରେ ନିର୍ଭରଶୀଳ ଥିବା ୬୦ ଉପଭୋକ୍ତା ୨୬ ଦିନ ହେଲା ଅନ୍ଧାରରେ ରହିଛନ୍ତି। ନିୟମିତ ବିଲ୍‌ ପୈଠ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ କରି ଗ୍ରାମବାସୀମାନେ ଆଜି ଉକ୍ତ ପୋଡ଼ା ଟ୍ରାନ୍ସଫର୍ମର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୬ ଦିନ ହେଲା ଲାଇନ୍‌ କଟିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ କେହି ନା କେହି ନିୟମିତ କାଳିଆପାଣି ଟାଟା ପାୱାର(ଟିପିସିଓଡିଏଲ୍‌) ଅଫିସ ଆସୁଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନାହିଁ ବୋଲି ଗ୍ରାମର ହାଡ଼ିବନ୍ଧୁ ଦେହୁରୀ, ଅଗସ୍ତି ଦେହୁରୀ, ନିତ୍ୟାନନ୍ଦ ଦେହୁରୀ, ତ୍ରିନାଥ ପ୍ରଧାନ, ଯୁବରାଜ ଦେହୁରୀ, ନଟବର ଦେହୁରୀ, ଚନ୍ଦ୍ରମଣି ପ୍ରଧାନ, ଗୋବିନ୍ଦ ଦେହୁରୀ, ଚୈତନ୍ୟ ଦେହୁରୀ କହିଛନ୍ତି। ‌

ଏବେ ଲଗାଣ ବର୍ଷା ସମୟରେ ଅନ୍ଧାରରେ ବିଷାକ୍ତ ସରୀସୃପଙ୍କ ବିପଦ ବଢ଼ିଯାଇଛି। ମ‌ୋବାଇଲ୍ ବ୍ୟାଟେରି ଚାର୍ଜ ପାଇଁ ପାଖ ପଡ଼ୋଶୀ ଗାଁ ଓ ବନ୍ଧୁଘର ଯିବାକୁ ପଡ଼ୁଛି। ପୂର୍ବରୁ ଏଠାକାର ସମସ୍ତ ଉପଭୋକ୍ତ ବିପିଏଲ୍‌ ତାଲିକାଭୁକ୍ତ ଥିଲେ। ମାଗଣା ବିଦ୍ୟୁତ୍‌ ସେବା ମିଳୁଥିବା ବେଳେ ବି ଏତେଦିନ ଅନ୍ଧାରରେ ନଥିଲେ ବୋଲି ଗ୍ରାମବାସୀ କହିଛନ୍ତି। କିରାସିନି କିଣି ପୁରୁଣା ଡିବିରି ଓ ଲଣ୍ଠନ ବ୍ୟବହାର କରୁଛନ୍ତି ବୋଲି ସ୍ଥାନୀୟ ୱାର୍ଡମେମ୍ବର ତୁଳସୀ ସେଠୀ କହିଛନ୍ତି। ଏସଂପର୍କରେ କାଳିଆପାଣି ସେକ୍ସନ କନିଷ୍ଠ ଯନ୍ତ୍ରୀ ଇଂ ହୃଷୀକେଶ ଦାସଙ୍କୁ ଯୋଗାଯୋଗ କରିବାରେ ସେ ମାତ୍ର ୩ ଦିନ ହେଲା କାମରେ ଯୋଗ ଦେଇଥିବା କହନ୍ତି। ସମସ୍ୟା ସଂପର୍କରେ ଅବଗତ ହେବା ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe