୭ ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୧୭ ଗିରଫ

୭ ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୧୭ ଗିରଫ

ତେଲକୋଇ : ତେଲକୋଇ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ତୋଲକୋଇ ‌ବଜାର ଛକରୁ ୭ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିବା ସହ ୬୧ଟି ଗୋରୁ ଉଦ୍ଧାର କରିଛି। ବେଆଇନ ଗୋ' ଚାଲାଣ ମାମଲାରେ ପୁଲିସ ୧୭ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ମୟୂରଭଞ୍ଜ ଅଞ୍ଚଳର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ ସୂଚନା ଅନୁସାରେ, ତେଲକୋଇ ଦେଇ ପ୍ରତିଦିନ କେନ୍ଦୁଝର ସହର ସମେତ ବିଭିନ୍ନ ଅଞ୍ଚଳକୁ ବେଆଇନ ଗୋ' ଚାଲାଣ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏକାଧିକ ଗାଡ଼ିରେ ମୟୂରଭଞ୍ଜ ଜିଲ୍ଲାକୁ ଗୋଚାଲାଣ କରାଯାଉଥିବା ନେଇ ତେଲକୋଇ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଗୋରୁ ଗାଡ଼ିଗୁଡ଼ିକୁ ଧରିବା ପାଇଁ ଥାନା ଅଧିକାରୀ ଅମିତାଭ ଦାସଙ୍କ ନେତୃତ୍ବରେ ପୁଲିସ ଟିମ୍‌ ତେଲକୋ‌ଇ ବଜାର ଛକରେ ଛକି ରହିଥିଲେ। ଗୋଟିଏ ପରେ ଗୋଟିଏ ୭ଟି ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ସେଥିରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ୬୧ଟି ଗୋରୁକୁ ଉଦ୍ଧାର କରାଯାଇଥିଲା। ଏଥିରୁ ୩ଟି ଗାଈ ଗୁରୁତର ଅଛନ୍ତି। ଏନେଇ ପୁଲିସ କେସ୍‌ ନମ୍ବର ୬୩/୨୧ରେ ଏକ ମାମଲା ରୁଜୁ କରି ୧୭ଜଣଙ୍କୁ ଗିରଫ କରିଛି। ଉଦ୍ଧାର ହୋଇଥିବା ଗୋରୁଗୁଡ଼ିକୁ କେଉଁଠି ରଖାଯିବ ସେନେଇ ଏଯାଏ କୌଣସି ନିଷ୍ପତ୍ତି ‌ନିଆଯାଇନି।
ସୂଚନାଯୋଗ୍ୟ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରୁ ପ୍ରତିଦିନ ଗୋରୁ ବୋଝେଇ ଗାଡ଼ି ଗୁଡ଼ିକ ତେଲକୋଇ ଦେଇ କେନ୍ଦୁଝରସ୍ଥିତି ରାଙ୍କିକୁ ଯାଇଥାଏ। ସେଠାରୁ ମୟୂରଭଞ୍ଜ ଦେଇ କୋଲକାତାକୁ ଗୋଚାଲାଣ କରାଯାଇଥାଏ। ଏହାଛଡ଼ା ତେଲକୋଇ ବ୍ଲକ୍‌ ଛାମୁଣ୍ଡାରେ ମଧ୍ୟ ଏକ ଗୋରୁ ହାଟ ବସୁଛି। ଏଠାରୁ ମଧ୍ୟ ଗୋ' ଚାଲାଣ କରାଯାଉଛି। ଏହା ପଛରେ ସ୍ଥାନୀୟ ଅଞ୍ଚଳର କିଛି ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି। ନିୟମିତ ଚଢ଼ଉ କରି ବେଆଇନ ଗୋ' ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe