ମାଛ ଧରିବା ପାଇଁ ଲଢ଼େଇ: ଗୋଷ୍ଠୀ ସଂଘର୍ଷରେ ୭ ଆହତ

Advertisment

୫ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର

୫ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର

ମାଛ ଧରିବା ପାଇଁ ଲଢ଼େଇ: ଗୋଷ୍ଠୀ ସଂଘର୍ଷରେ ୭ ଆହତ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ମାର୍ଥାପୁର ମଲ୍ଲିକ ସାହିରେ କେନାଲରୁ ମାଛ ଧରାକୁ କେନ୍ଦ୍ରକରି ତୁମୁଳ କାଣ୍ଡ ଘଟିଛି। ୨ ପରିବାର ଭିତରେ ଗଣ୍ଡଗୋଳ ଲାଗି ଉଭୟ ପକ୍ଷରୁ ୭ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ କୈଳାଶ ଚନ୍ଦ୍ର ମଲ୍ଲିକ (୬୨), ପୀତବାସ ମଲ୍ଲିକ (୫୭), କୁନ୍ତଳା ମଲ୍ଲିକ (୫୭), ଫିରୋଜ ମଲ୍ଲିକ ଓରଫ ଫିଲୁ ଅପର ପକ୍ଷରୁ ସାହବାଣି ମଲ୍ଲିକ (୧୯), ବର୍ଷାରାଣୀ ମଲ୍ଲିକ (୧୯), କୁସୁମ ମଲ୍ଲିକ (୮0)। ଆହତମାନଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ୫  ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଲିପାଟଣା ପୁଲିସ ହସ୍ପିଟାଲରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

publive-image

ସୂଚନା ଅନୁସାରେ, ନିମାପଡା ବ୍ରାଞ୍ଚ କେନାଲରୁ ପାଣି ବନ୍ଦ ହେବା ପରେ ବିଭିନ୍ନ ସ୍ଥାନରେ ମାଛ ଧରା ପର୍ବ ଚାଲିଛି। ଆଜି ପୂର୍ବାହ୍ନରେ ମାର୍ଥାପୁର ଗ୍ରାମର ବୁଲୁ ମଲ୍ଲିକଙ୍କ ପୁଅ ଏବଂ ଭଣଜା ନିକଟ କେନାଲରୁ ମାଛ ଧରିବା ପାଇଁ ରଞ୍ଜା ପକାଇ ଜେଗା ଅକ୍ତିଆର କରୁଥିଲେ। ବୁଲୁଙ୍କ ସାନ ଭାଇ ଫିଲୁ ସେମାନଙ୍କୁ ପାଣିରେ ପଶିବାକୁ ମନା କରୁଥିବା ସମୟରେ ରାଜେଶ ମଲ୍ଲିକ ଫିଲୁଙ୍କୁ ବିରୋଧ କରି ଗାଳି ମନ୍ଦ କରିଥିଲେ। କଥା କଟାକଟି ବେଳେ ରାଜେଶ ଫିଲୁଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିବା ନେଇ ମଧ୍ୟାହ୍ନରେ ବାଲିପାଟଣା ଥାନାରେ ଫିଲୁ ଲିଖିତ ଅଭିଯୋଗ କରିଥିଲେ। ସେଠାରୁ ଗାଁକୁ ଫେରିବା ପରେ ଉଭୟ ପରିବାର ମଧ୍ୟରେ ଝଗଡା ଲାଗିଥିଲା।

publive-image

ଝଗଡା ଉଗ୍ର ରୂପ ନେଇ ଉଭୟ ପକ୍ଷ ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ର, ଠେଙ୍ଗା, ବାଡ଼ି, ଟେକା, ପଥର ପ୍ରଭୃତିରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଫଳରେ ଗାଁ ଦାଣ୍ଡ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା। ଉଭୟ ପକ୍ଷରୁ ୭ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ହାତ, ଗୋଡ଼ ମୁଣ୍ଡ, ଛାତିରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୫ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ବାଲିପାଟଣା ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି ସଦଳ ବଳେ ମେଡିକାଲରେ ପହଁଞ୍ଚି ତଦନ୍ତ କରିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ ହେବ ବୋଲି ଆଇଆଇସି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe