ଆମ ଐତିହ୍ୟ ସୁରକ୍ଷା ଏମିତି! ଅବହେଳିତ ହୋଇ ପଡ଼ିଛି ୭୦୦ ବର୍ଷ ପୁରୁଣା ଭାରତୀ ମଠ

Advertisment

ଭାଙ୍ଗିଗଲାଣି ପ୍ରାଚୀନ ମନ୍ଦିର; ଜବରଦଖଲରେ ଶହ ଶହ ଏକର ମୂଲ୍ୟବାନ ଜମି

ଭାଙ୍ଗିଗଲାଣି ପ୍ରାଚୀନ ମନ୍ଦିର; ଜବରଦଖଲରେ ଶହ ଶହ ଏକର ମୂଲ୍ୟବାନ ଜମି

ଆମ ଐତିହ୍ୟ ସୁରକ୍ଷା ଏମିତି! ଅବହେଳିତ ହୋଇ ପଡ଼ିଛି ୭୦୦ ବର୍ଷ ପୁରୁଣା ଭାରତୀ ମଠ

Sambad

ଜଗତସିଂହପୁର ଟାଉନ୍: ଓଡ଼ିଆ ଜାତି ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଖାସ୍‌ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଦେଖିବା ପାଇଁ ଏଠାକୁ ଦେଶବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ପ୍ରାଚୀନ ମଠ, ମନ୍ଦିର ଓଡ଼ିଶାର ଐତିହ୍ୟପୂର୍ଣ୍ଣ ସ୍ବର୍ଣ୍ଣିମ ଅଧ୍ୟାୟ ବର୍ଣ୍ଣନା କରିଥାଏ। ହେଲେ ଯେଉଁ ଐତିହ୍ୟ ପାଇଁ ଓଡ଼ିଶା ବିଶ୍ବ ପ୍ରସିଦ୍ଧ ତାହା କିପରି ଅବହେଳିତ ହୋଇ ପଡ଼ିଛି ଜଗତସିଂହପୁର ଉପକଣ୍ଠ ତରତଙ୍ଗରେ ଥିବା ଭାରତୀ ମଠକୁ ଦେଖିଲେ ବେଶ୍ ଅନୁମାନ କରିହେବ।
ଜଗତସିଂହପୁର ସହର କଲେଜ ଛକ ଠାରୁ ସିଦ୍ଧବାରଙ୍ଗ ମନ୍ଦିର ଦେଇ ମାତ୍ର ୫ କିମି ଗଲେ ପଡେ ତରତଙ୍ଗ। ଏହି ଗାଁରେ ରହିଛି ଐତିହ୍ୟପୂର୍ଣ୍ଣ ଭାରତୀ ମଠ। ଲୋକଶ୍ରୁତି ଅନୁସାରେ ଏହି ମଠ ପ୍ରାୟ ୭ ଶହରୁ ୮ ଶହ ବର୍ଷ ପୁରୁଣା। ବର୍ତ୍ତମାନ ମଠରେ ୬୩ ବର୍ଷୀୟ ସନ୍ୟାସୀ ମହନ୍ତ ଦୁର୍ଯ୍ୟୋଧନ ଭାରତୀ ରହୁଛନ୍ତି। ସେ ୧୩ ବର୍ଷ ବୟସରୁ ନିଜ ଘର ଛାଡ଼ି ଏଠାରେ ରହୁଛନ୍ତି। ତାଙ୍କ କହିବା ଅନୁସାରେ ଏହା ହେଉଛି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦଶ ଜଣ ଶିଷ୍ୟ ସରସ୍ବତୀ, ଗିରି, ପୁରୀ, ବନ, ଆରୋଣ୍ୟ, ପର୍ବତ, ସମୂଦ୍ର, ସାଗର, ଆରୋନ୍ୟ ଓ ଭାରତୀ।

ଏମଠ ହେଉଛି ଭାରତୀ ସଂପ୍ରଦାୟର। ଜଗତସିଂହପୁର ଜିଲ୍ଲାରେ ତରତଙ୍ଗରେ ଭାରତୀ ମଠ, ଗୋଠଦାରେ ପର୍ବତ ମଠ, ଶାହାରା ଶିଙ୍ଗିରିରେ ପୁରୀ ମଠ ରହିଛି। ଜିଲ୍ଲାରେ ସନ୍ୟାସୀ ମଠ ତିନୋଟି। ଅନ୍ୟ ଯେତେ ମଠ ସେ ସବୁ ବୈଷ୍ଣବ ମଠ। ମହନ୍ତ ଦୁର୍ଯ୍ୟୋଧନ ଭାରତୀଙ୍କ ପୂର୍ବରୁ ଏହି ମଠରେ ୧୭ ଜଣ ସନ୍ୟାସୀ ଦେହତ୍ୟାଗ କରିଛନ୍ତି। ମଠରେ ପତିତପାବନ, ଗୋବିନ୍ଦଜୀଉ, ରଘୁନାଥ ଜୀଉ, ଗୋପୀନାଥ, ମା ଦୁର୍ଗା ଦେବୀଙ୍କର ମନ୍ଦିର ରହିଛି। ଦେବସ୍ନାନ ପୂର୍ଣ୍ଣିମା, ବ୍ୟଞ୍ଜନ ଦ୍ବାଦଶୀ, ଦୋଳଯାତ୍ରା ଏଠାରେ ଧୁମଧାମରେ ପାଳନ କରାଯାଏ।

୧୯୪୦ ମସିହାରୁ  ଏହି ପ୍ରାଚୀନ ମଠ ଦେବୋତ୍ତର ବିଭାଗ ହାତରେ ରହିଛି। ରେକର୍ଡରେ ଗୋବିନ୍ଦଜୀଉଙ୍କ ନାଁରେ ଶହ ଶହ ଏକ ଜମି ରହିଛି। ଯେଉଁ ସ୍ଥାନରେ ମଠ ରହିଛି କେବଳ ସେହି ସ୍ଥାନଟି ୨୫ ଏକର। କିନ୍ତୁ ପ୍ରାଚୀନ ମନ୍ଦିରର ରକ୍ଷଣାବେକ୍ଷଣ କରାଯାଉ ନାହିଁ।  ମନ୍ଦିରରେ ବର୍ଷ ବର୍ଷ ଧରି ରଙ୍ଗ ଦିଆଯାଇ ନାହିଁ। ମରାମତି ଅଭାବରୁ ଗର୍ଭଗୃହ ଓ ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇ ବର୍ଷା ଦିନେ ପାଣି ଗଳୁଛି। ମନ୍ଦିରକୁ ଧରି ରଖିଥିବା ଏକାଧିକ ସିମେଣ୍ଟ ଖୁମ୍ବ ଦୁର୍ବଳ ହୋଇ ଗଲାଣି। କିଛି ସ୍ଥାନରେ ପୂର୍ବରୁ କରାଯାଇଥିବା କାରୁକାର୍ଯ୍ୟ ସ୍ଥାନରେ ଇଟା ଯୋଡେଇ କରାଯାଇଛି। ଠାକୁର ରହୁଥିବା ବେଦୀ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ମନ୍ଦିରରେ ମାସ ମାସ ଧରି ନେତ ବନ୍ଧା ଯାଇନାହିଁ।  ପୂର୍ବରୁ ଶତାଧିକ ଏକର ଜମିରେ ଧାନ ଓ ଅନ୍ୟାନ ଚାଷ ହେଉଥିଲା। ୧୯୯୯ ମସିହା ବାତ୍ୟାରେ ପ୍ରାୟ ୨ ହଜାର ନଡ଼ିଆ ଗଛ ଓ ଅନ୍ୟ ମୂଲ୍ୟବାନ ଗଛ ନଷ୍ଟ ହୋଇ ଗଲା। ପରେ ପରେ କିଛି ମୁଷ୍ଟିମେୟ ବ୍ୟକ୍ତି ମଠର ସମ୍ପତ୍ତିକୁ ଅକ୍ତିଆର କରିଛନ୍ତି।

ଏମିତିକି ମଠକୁ ଲାଗିଥିବା ୨୫ ଏକର ଜମିରୁ ୮୦ ପ୍ରତିଶତ ଜବରଦଖଲରେ ରହିଛି। ଏଣ୍ତାଓମେଣ୍ଟ ତରଫରୁ ପୂର୍ବରୁ ଜଣେ ଏକଜିକ୍ୟୁଟିଭ୍ ଅଫିସରଙ୍କ ସମୟରେ ଅଧିକାଂଶ ଜମି ଜବର ଦଖଲ କରାଯାଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମହନ୍ତ ଏକାକି ମଠରେ ରହୁଛନ୍ତି। ଠାକୁରଙ୍କ ନୀତି ପାଇଁ ଦୁଇଟି ଗାଈ ଅଛି। ଶତାଧିକ ଏକର ଜମିରୁ ନିଜ ଦଖଲରେ ଥିବା ପ୍ରାୟ ୩ ଏକର ଜମିକୁ ନିଜେ ଚାଷ କରୁଛନ୍ତି। ସେଥିରୁ ଯାହା ଆୟ ହୁଏ ବର୍ଷ ସାରା ଠାକୁରଙ୍କ ନୀତିକାନ୍ତି ଓ ଉତ୍ସବ ପାଳନ କରାଯାଏ। ସରକାରୀ ସାହାଯ୍ୟରେ ମିଳିଥିବା ଦୁଇ ବଖରା କୋଠା ଘରେ ମହନ୍ତ ରହୁଛନ୍ତି। ସେଇ ଘରେ ରୋଷେଇ ଠାରୁ ଶୋଇବା ସବୁ କିଛି କରୁଛନ୍ତି ମହନ୍ତ।

ମହନ୍ତ କହନ୍ତି ଏଠାକୁ ସେଭଳି କିଛି ଦାନଧର୍ମ ଆସେ ନାହିଁ। ସୀମିତ ଆୟରେ ବର୍ଷ ସାରା ନୀତି କରିବା ଅସମ୍ଭବ। ପ୍ରତି ବର୍ଷ ୫୦,୦୦୦ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର କରଜ କରିବାକୁ ପଡ଼ୁଛି। ମଠର ଆୟ ନଥିବାରୁ ମନ୍ଦିରର ଉନ୍ନତୀକରଣ କାମ କରାଯାଇ ପାରୁ ନାହିଁ। ଏଣ୍ତାଓମେଣ୍ଟ୍‌କୁ ୬ ପ୍ରତିଶତ ଦିଆଯାଉଛି। ଯଦି ସରକାର ସହାୟତାର ହାତ ବଢ଼ାନ୍ତେ, ଏହାର ପ୍ରଚାର ପ୍ରସାର କରାଯାଇ ପାରନ୍ତା। ତେବେ ପ୍ରାଚୀନ ମନ୍ଦିରର ସୁରକ୍ଷା ହେବା ସହ ଏଠାକୁ ପର୍ଯ୍ୟଟକମାନଙ୍କ ଭିଡ଼ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନ୍ୟପଟେ ଜବରଦଖଲରେ ଥିବା ଶହ ଶହ ଏକ ଜମି ଚିହ୍ନଟ କରି ମଠକୁ ସମ୍ପତ୍ତିି ଫେରାଇ ଆଣିବାକୁ ମହନ୍ତ ମହାରାଜ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe