ଟଳିଲା ବଡ଼ ଅଘଟଣ; ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଫସିଥିବା ୮ ଯାତ୍ରୀଙ୍କୁ ଉଦ୍ଧାର କଲା ୧୦୮ ୱାଟର ଆମ୍ବୁଲାନ୍ସ

Advertisment
ଟଳିଲା ବଡ଼ ଅଘଟଣ; ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଫସିଥିବା ୮ ଯାତ୍ରୀଙ୍କୁ ଉଦ୍ଧାର କଲା ୧୦୮ ୱାଟର ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ୮ ଜଣ ଯାତ୍ରୀ। କୌଣସି କାର୍ଯ୍ୟରେ ଜଳ ଭଣ୍ଡାର ଦେଇ ଯାତ୍ରା କରୁଥୁବା ବେଳେ ଯାତ୍ରୀମାନେ ଫସିଯାଇଥିଲେ। ଏମାନଙ୍କୁ ୧୦୮ ୱାଟର ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି। ସମସ୍ତେ ସୁରକ୍ଷାର ସହ ନିଜ ନିଜ ଘରକୁ ଫେରିଛନ୍ତି।

publive-image

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଇନ୍ଦ୍ରାବତୀ ନିକଟସ୍ଥ ବାରିଆଘାଟ ଗ୍ରାମର ୮ ଜଣ ଯାତ୍ରୀ ଏକ ମଟର ଚାଳିତ ବୋଟ ଯୋଗେ ଜଳଭଣ୍ଡାର ଅପର ପାର୍ଶ୍ୱରେ ଥିବା ଉପରତଣ୍ଡା ଗ୍ରାମକୁ କୌଣସି କାର୍ଯ୍ୟରେ ଯାଉଥିଲେ। ହେଲେ ଜଳଭଣ୍ଡାର ଦେଇ ଯିବା ସମୟରେ ବୋଟଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବୋଟଟି ବନ୍ଦ ହୋଇଯାଇଥିଲା। ଡ୍ରାଇଭର ବୋଟ ମରାମତି କରିବାକୁ ବହୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନଥିଲେ। ଦୀର୍ଘ ଦୁଇଘଣ୍ଟା ଧରି ଅଚଳ ବୋଟଟି ଜଳ ଭଣ୍ଡାର ମଧ୍ୟରେ ଭାସୁଥିଲା। ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଦୁର୍ଘଟଣାରେ ଜୀବନ ଚାଲିଯିବାର ଭୟ ଯାତ୍ରୀଙ୍କ ମନକୁ ଆସୁଥିଲା।

ସେହି ସମୟରେ ଜଳଭଣ୍ଡାର ମଧ୍ୟ ଦେଇ ଏକ ୧୦୮ ୱାଟର ଆମ୍ବୁଲାନ୍ସ ଗୁଣ୍ଟୁରଖାଲକୁ ରୋଗୀ ଆଣିବାକୁ ଯାଉଥିଲା । ଆମ୍ବୁଲାନ୍ସକୁ ଦେଖି ବିପଦରେ ଫସିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଡାକ ପକେଇ ଥିଲେ। ଆମ୍ବୁଲାନ୍ସ ବୋଟ ଡ୍ରାଇଭର ଲୋକମାନେ ବିପଦର ସମ୍ମୁଖୀନ ଥିବା ଜାଣି ପାରି ବୋଟଟି ନେଇଁ ଫସିଥୁବା ଯାତ୍ରୀଙ୍କ ନିକଟରେ ପହଂଚି ଉଦ୍ଧାର କରିଥିଲା।

publive-image

ସମସ୍ତେ ସୁରକ୍ଷାର ସହ ଘରକୁ ଫେରିଥିବା ବେଳେ ଜଳ ଭଣ୍ଡାର ମଧ୍ୟରେ ଏକ ବଡ ଅଘଟଣ ଟଳିଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ୧୦୮ ୱାଟର ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଜଳ ଭଣ୍ଡାର ମଧ୍ୟରେ ଏକ ବଡ଼  ଅଘଟଣରୁ ବର୍ତ୍ତି ଯାଇଥିବା ସମସ୍ତ ଯାତ୍ରୀ ଦେବଦୂତ ସାଜି ଉଦ୍ଧାର କରିଥବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe