ରାଉରକେଲାରେ ଦୈନିକ ଯୋଗାଣ ୮୨ ଲକ୍ଷ ଲିଟର ପାଇପ ଜଳ

Advertisment

ଆର୍‌ଏମ୍‌ସିର ୩୪ ହଜାର ୧୧୫ ଘରକୁ ପାନୀୟ ଜଳ ସଂଯୋଗ

ଆର୍‌ଏମ୍‌ସିର ୩୪ ହଜାର ୧୧୫ ଘରକୁ ପାନୀୟ ଜଳ ସଂଯୋଗ

ରାଉରକେଲାରେ ଦୈନିକ ଯୋଗାଣ ୮୨ ଲକ୍ଷ ଲିଟର ପାଇପ ଜଳ

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦୂର ପାଇଁ ଜନ ସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡି) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଛା ଚାଲିଛି ପାଇପ। ‘ଅମୃତ ଯୋଜନା’ ସହ ଅନ୍ୟାନ୍ୟ ଯ‌ୋଜନା ମାଧ୍ୟମରେ ଆସୁଥିବା ପାଣ୍ଠିରେ ଆର୍‌ଏମ୍‌ସି ସହ ଇସ୍ପାତ ସହରାଞ୍ଚଳ ବିଭିନ୍ନ ବସ୍ତିକୁ ପାଇପ ବିଛା କାମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଆର୍‌ଏମ୍‌ସି ଅଞ୍ଚଳରେ ପ୍ରାୟ ୯୫% କାମ ଶେଷ ହୋଇଛି। ଅବଶିଷ୍ଟ ୫% କାମ ଜାଗା ବିବାଦରେ ଅଟକିଛି। ଏଥି ମଧ୍ୟରେ ରହିଛି ଆର୍‌ଏମ୍‌ସି ଅନ୍ତର୍ଗତ ୱାର୍ଡ ନଂ ୧, ୨ ଓ ୩ ଝାଡ଼ତରଙ୍ଗ ଅଞ୍ଚଳ।

ତିନିଟି ୱାର୍ଡକୁ କେବେ ପାଇପ ପାଣି ମିଳିବ କାହା ପାଖରେ ଉତ୍ତର ନାହିଁ। ସେମିତି ବର୍ଷ ବର୍ଷ ଧରି ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଦେଓଗାଁ ବସ୍ତିବାସିନ୍ଦାଙ୍କର ସମସ୍ୟାର ଅନ୍ତ ଘଟିଛି। ଅନୁରୂପ ଭାବେ ଗୋପବନ୍ଧୁପାଲୀ, ମଧୁସୁଦନପାଲୀ, ଟିମ୍ବର କଲୋନିରେ ରେଳବାଇ ଜମି ବିବାଦର ସମାଧାନ ହୋଇଛି। ସ୍ଥାନୀୟ ଲୋକ ଦିନକୁ ଦୁଇ ଓଳା ଠିକ୍‌ ଭାବେ ପାନୀୟ ଜଳ ପାଇ ପାରୁଛନ୍ତି। ଏଥିସହ କେତେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ, ସିନ୍‌ଟେକ୍ସ ପାଣି ଟାଙ୍କି ସ୍ଥାପନ କରାଯାଇଛି।

ଏପରି ଭାବେ ସହରେ ଦିନକୁ ଦିନ ଲୋକ ସଂଖ୍ୟା ବଢ଼ୁଥିବାରୁ ପାନୀୟ ଜଳ ସଙ୍କଟ ଦୂର ପାଇଁ ଉଭୟ ଆର୍‌ଏମ୍‌ସି ଓ ପିଏଚ୍‌ଡି ମିଳିତ ଭାବେ କାମ କରୁଛନ୍ତି। କୋଏଲ ଓ ବ୍ରାହ୍ମଣୀ ଦୁଇଟି ନଦୀରୁ ଜଳ ଉଠାଯାଇ ବିଶୋଧନ କରାଯିବା ଘରକୁ ଯୋଗାଣ ହେଉଥିବା କହିଛନ୍ତି ପିଏଚ୍‌ଡିର ନିର୍ବାହୀ ଯନ୍ତ୍ରୀ ଇଂ. ଅନୁପ କୁମାର ପଟେଲ। ତାଙ୍କ କହିବାନୁଯାୟୀ ଗତ ସହରକୁ ଆବଶ୍ୟକତା ଅନୁଯାୟୀ ଅଧିକ ଜଳ ଯୋଗାଣ ହେଉଛି। ଗତ ବର୍ଷ ଦୈନିକ ୫୬. ୨୦ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର୍‌ ଡେ) ଜଳ ଯୋଗାଣ ହେଉଥିଲା।

ଲକ୍‌ଡାଉନ୍‌ ପାଇଁ ସହରବାସୀ ଗୃହାବନ୍ଦୀ ଜୀବନ ବିତାଉଥିବାରୁ ଅଧିକ ଜଳ ଆବଶ୍ୟକତା ପଡୁଛି। ବର୍ତ୍ତମାନ ଅଧିକ ୨୦ ଲକ୍ଷ ଲିଟର ସହ ମୋଟ ୮୨ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ହେଉଛି। ଗତ ବର୍ଷ ଆର୍‌ଏମ୍‌ସି ଅଞ୍ଚଳରେ ମୋଟ ୨୯ ହଜାର ୩୯ ଘରକୁ ପାଇପ ଜଳ ସଂଯୋଗ କରାଯାଇଥିଲା। ଅଧିକ ୫ ହଜାର ନୂଆ ସଂଯୋଗ ପରେ ଚଳିତ ବର୍ଷ ଏହି ସଂଖ୍ୟା ୩୪ ହଜାର ୧୧୫ରେ ପହଞ୍ଚିଛି। ଅର୍ଥାତ୍‌ ଆର୍‌ଏମ୍‌ସି ପାଖାପାଖି ୩ ଲକ୍ଷ ୫୬ ହଜାର ୪୧୯ ଲୋକ ପିଏଚ୍‌ଡି ପାଣି ବ୍ୟବହାର କରୁଛନ୍ତି। ଝାଡ଼ତରଙ୍ଗ ବିବାଦ ତୁଟିବା ପରେ ତିନିଟି ୱାର୍ଡକୁ ପାଇପ ଜଳ ସଂଯୋଗ ପରେ ଆର୍‌ଏମ୍‌ସି ଅଞ୍ଚଳକୁ ଶତ ପ୍ରତିଶତ ଜଳ ସଂଯୋଗ ହେବ ବୋଲି ଶ୍ରୀ ପଟେଲ କହିଛନ୍ତି।

ଅନ୍ୟପଟେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଶତାଧିକ ବସ୍ତି ରହିଛି। ହଜାର ହଜାର ପରିବାର ପ୍ରତିବର୍ଷ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବେଆଇନ ଭାବେ ଏସବୁ ବସ୍ତି ଗଢ଼ି ଉଠିଥିବାରୁ ଖରାଦିନେ ପାଣି ପାଇଁ ଦହଗଞ୍ଜ ହେଉଥିଲା। ରାଜ୍ୟ ସରକାର ଏମାନଙ୍କ ସମସ୍ୟାକୁ ଉପଲବ୍ଧି କରି ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ସୁଦ୍ଧା ସେକ୍ଟର-୧୩ରୁ ୧୯ ପର୍ଯ୍ୟନ୍ତ ୭ଟି ସେକ୍ଟର ପ୍ରାୟ ୨୦ରୁ ଅଧିକ ବସ୍ତିକୁ ପାଇପ ଜଳ ସଂଯୋଗ ହୋଇ ସାରିଛି। ପ୍ରାୟ ୨୨ ହଜାରରୁ ଅଧିକ ଲୋକ ଦିନକୁ ଦୁଇ ଓଳା ପାଇପ ପାଣି ପାଇ ପାରୁଛନ୍ତି। ଆଗାମି ଦିନରେ ଇସ୍ପାତ ସହରାଞ୍ଚଳର ଅନ୍ୟାନ୍ୟ ବସ୍ତିକୁ ପର୍ଯ୍ୟାୟକ୍ରମେ ପାଇପ ଜଳ ସଂଯୋଜ କରାଯିବ ବୋଲି ଜଣାପଡିଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe