India TV
ଭଦ୍ରକ: ମହାମାରୀ କରୋନା ଭାଇରସ୍ର ଉଗ୍ରରୂପ ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାରୁ ଆଜି ୭୯ ଜଣ ସ୍ଥାନୀୟ ସଂକ୍ରମଣଙ୍କ ସମେତ ସର୍ବାଧିକ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଇ ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୬୮ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ମାତ୍ର ୪ ଜଣ ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ୍ ହସପିଟାଲକୁ ନିଆଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।
ଏହା ଭିତରେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ମୋଟ ୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୩୩୧ ଜଣ ଆକ୍ଟିଭ୍ କେସ୍ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ୨୩ ହଜାର ୮୪୦ ଜଣଙ୍କର ସ୍ୱାବ ନମୁନା ଟେଷ୍ଟ କରାଯାଇଛି। ଜିଲ୍ଲାରେ ୩ ଟି କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି। ସେଥିରୁ ୧୨୦ ସିଟ୍ ବିଶିଷ୍ଟ ସାଳନ୍ଦୀ କୋଭିଡ୍ ହସପିଟାଲ, ୧୦୦ ସିଟ୍ ବିଶିଷ୍ଟ ଓଲଙ୍ଗ ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର ସେଣ୍ଟର ଓ ୧୦୦ ସିଟ୍ ବିଶିଷ୍ଟ ଭଣ୍ଡାରିପୋଖରୀ ଆଇଟିଆଇ କୋଭିଡ୍ କେୟାର ସେଣ୍ଟରରେ ଏଥିରେ ସାମିଲ ରହିଛି।
ଜିଲ୍ଲାରେ ଯଦି ପ୍ରକୃତରେ ପ୍ରତି ବ୍ଲକୱାରୀ ସ୍ୱାବ ଟେଷ୍ଟ ଅଧିକ ସଂଖ୍ୟାରେ କରାଯିବ, ତେବେ ପ୍ରତିଦିନ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଚର୍ଚ୍ଚା ହେଉଛି। ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଲେ ସେମାନଙ୍କୁ କେଉଁ ସ୍ଥାନରେ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହାକୁ ନେଇ ଭାଳେଣି ପଡିଛି। ଯେଉଁଥି ପାଇଁ ସ୍ୱାବ ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟକୁ ଅଧିକ କରାଯାଇ ପାରୁ ନାହିଁ। ସ୍ୱାବ ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟ ଉପରେ ପ୍ରଶାସନ ଅଧିକ ପ୍ରାଧ୍ୟାନ୍ୟ ନଦେଲେ ଆଗାମୀ ଦିନରେ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ସେତେବେଳେକୁ ପରିସ୍ଥିତି ଅସମ୍ଭାଳ ଅବସ୍ଥାକୁ ପଳାଇ ଯାଇଥିବ।
Follow Us