ସମ୍ବଲପୁର: ଆଗାମୀ ନିର୍ବାଚନରେ ମତଦାତାମାନଙ୍କ ସମର୍ଥନ ହାସଲ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମତଦାତାମାନଙ୍କ ମନ ଜିଣିବା ପାଇଁ ପ୍ରୟାସ କରାଯାଉଛି। ଏହି ଦୌଡ଼ରେ ବି କଂଗ୍ରେସ ଆଉ ପଛରେ ନାହିଁ। ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି କଂଗ୍ରେସ ପକ୍ଷରୁ ନିଜର ୯ଟି ଗ୍ୟାରେଣ୍ଟି ସଂପର୍କରେ ଘୋଷଣା କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ଗତ ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେଡି-ବିଜେପି ମିଳିତ ଶାସନରେ ଯାହା ହୋଇନାହିଁ, କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଉନ୍ନତି ପାଇଁ ସେସବୁ କରିଦେଖାଇବ। ବୋନସ୍ ସହ ଧାନର କ୍ରୟମୂଲ୍ୟ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନ୍ସନ୍ ୨ ହଜାର ଟଙ୍କା, ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ ଦେୟ ଛାଡ଼, ୫ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ। ପୁଣି, ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେସରକରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଂଗ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି, ରାଜ୍ୟରେ ଜାତିଭିତ୍ତିକ ସାମାଜିକ ଓ ଅର୍ଥ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର କହିଥିଲେ। ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ କହିଲେ, ଶିଳ୍ପବହୁଳ ସମ୍ବଲପୁର ଜିଲ୍ଲାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ। ୩୫ ପ୍ରତିଶତ ଜଳସେଚନ ଏବେ ସ୍ବପ୍ନ ହୋଇଛି। ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ମିଲ୍ ମାଲିକଙ୍କ କବ୍ଜାରେ ଧାନମଣ୍ଡି ରହିଛି। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଂଚିଛି ବୋଲି ଶ୍ରୀ ଗୁରୁ କହିଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ସହିତ ଚାଷୀ ଓ ଯୁବବର୍ଗର ଉନ୍ନତିକୁ ପ୍ରାଥମିକତା ଦେବ ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡ଼ିଆ, ବରିଷ୍ଠ କଂଗ୍ରେସ ନେତା ଦୁଲାଲ ପ୍ରଧାନ, ଅମରେନ୍ଦ୍ର ରାୟଗୁରୁ, ବିଜୟଲକ୍ଷ୍ମୀ ବେହେରା, ମନୋରଂଜନ ଦାଶ, ଗୋବିନ୍ଦ ମିଶ୍ର, ଅମିତ ଗୁରୁ, ସୁବାସ ବିଶ୍ବାଳ ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us