ବିଦ୍ୟାଳୟରେ ଛାତ୍ରଙ୍କ ଚୁଟି କାଟିଦେଲେ ଶିକ୍ଷକ, ଅପମାନରେ ଘର ଛାଡି ଚାଲିଗଲେ ନବମ ଶ୍ରେଣୀ ଛାତ୍ର

Advertisment
ବିଦ୍ୟାଳୟରେ ଛାତ୍ରଙ୍କ ଚୁଟି କାଟିଦେଲେ ଶିକ୍ଷକ, ଅପମାନରେ ଘର ଛାଡି ଚାଲିଗଲେ ନବମ ଶ୍ରେଣୀ ଛାତ୍ର

କୋରାପୁଟ: ଶୃଙ୍ଖଳାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରାଯାଇଥିବା ଅଭିଯୋଗ ଆସିଛି। ପିଲାଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକମାନେ ଜୋର କରି ଛାତ୍ରଙ୍କ ଚୁଟି କାଟିଦେଇଛନ୍ତି। ଏହି ଅପମାନ ସହି ନ ପାରି ଛାତ୍ର ଜଣଙ୍କ ଘର ଛାଡି କୁଆଡେ ଚାଲି ଯାଇଛନ୍ତି, ଏପର୍ଯ୍ୟନ୍ତ ଆଉ ଘରକୁ ଫେରି ନାହାନ୍ତି। କୋରାପୁଟ ଜିଲ୍ଲାର ସେମିଳିଗୁଡା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ଦ୍ୱାରା ଅଭିଯୋଗ ହେବା ପରେ ସୁନାବେଡା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ସେମିଳିଗୁଡାସ୍ଥିତ ଅରବିନ୍ଦନଗର ୩ୟ ଲାଇନରେ ରହୁଥିବା ମାନସ ରଞ୍ଜନ ପଟ୍ଟନାୟକଙ୍କ ପୁଅ ପାର୍ଥସାରଥୀ ନବମ ଶ୍ରେଣୀର ଛାତ୍ର। ସେ ଆଜି ସକାଳ ୮ଟା ଠାରୁ ଘର ଛାଡି ଚାଲି ଯାଇଛନ୍ତି। ଘର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇପାରି ନାହାନ୍ତି। ଏ ନେଇ ପାର୍ଥସାରଥୀଙ୍କ ମାଉସୀ ସୁନାବେଡା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଗତ ୩୧ ତାରିଖ ଦିନ ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ ପାର୍ଥଙ୍କୁ ଆଣ୍ଠେଇ, ତାଙ୍କ ଚୁଟି କାଟି ଅପମାନିତ କରାଯାଇଥିଲା। ଏହା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତେଣୁ ଲଜ୍ଜା ଓ ଅପମାନରେ ସେ ଘର ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି। ସ୍କୁଲର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାଶ କହିଛନ୍ତି କି ସ୍କୁଲର ନିୟମ ଅନୁସାରେ ପାର୍ଥଙ୍କୁ ତାଗିଦ୍‌ କରାଯାଇଥିଲା।

ପାର୍ଥ ସ୍କୁଲ୍‌ ପରିସରରେ ଏକାନ୍ତରେ ଝିଅ ପିଲାଙ୍କ ସହ କଥାହେବାକୁ ନେଇ ଓ ଚୁଟି କାଟିବା ପାଇଁ ତାଗିଦ୍‌ କରିବା ସତ୍ୱେ ନ କାଟିବାରୁ ଏପରି କରାଯାଇଥିବା ସେ ସ୍ୱୀକାର କରିଛନ୍ତି। ଅପରପକ୍ଷେ ସୁନାବେଡା ପୁଲିସ୍‌ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ପାର୍ଥଙ୍କୁ ଖୋଜିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe