ଏ ଜର୍ସି ସାଧାରଣ ନୁହେଁ: ମୁଖ୍ୟମନ୍ତ୍ରୀ

Advertisment
ଏ ଜର୍ସି ସାଧାରଣ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ୟାରିସ୍‌ ଅଲିମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ପରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଅମିତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ଅମିତ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ। ଆମ ଓଡ଼ିଆ ଅସ୍ମିତାକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ଆଜି ହେଉଛି ଏକ ପବିତ୍ର ଦିନ, ଆଗାମୀ ଅଲିମ୍ପିକ୍ସ ପାଇଁ ସଂକଳ୍ପର ଦିନ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୨୮ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସରେ ଆମେ ସ୍ୱର୍ଣ୍ଣ ପଦକ ହାସଲ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଅମିତଙ୍କୁ ମୁଖ୍ୟମନ୍ତ୍ରୀ କୋଣାର୍କ ଚକ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅମିତ କିନ୍ତୁ ପ୍ୟାରିସରୁ ଆଣିଥିବା ପଦକ ବିଜେତା ଭାରତୀୟ ଖେଳାଳିଙ୍କ ସ୍ବାକ୍ଷର ଥିବା ଜର୍ସି ଏବଂ ପ୍ୟାରିସ୍-୨୦୨୪ ମାସ୍କଟ୍‌ (ଫ୍ରିଜେସ) ପ୍ରଦାନ କରିଥିଲେ। ଏହାକୁ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଉଲ୍ଲସିତ ହୋଇପଡ଼ିଥିଲେ। କହିଥିଲେ ‘‘ଏ ଜର୍ସି ସାଧାରଣ ଜର୍ସି ନୁହେଁ। ଏହି ଜର୍ସି ପରିଧାନ କରି ଅମିତ ଓ ସମସ୍ତ ଭାରତୀୟ ଖେଳାଳି ଅଲିମ୍ପିକ୍ସରେ ପ୍ରତିନିଧିତ୍ବ ପୂର୍ବକ ପଦକ ଜିତିଛନ୍ତି। ଏ ଜର୍ସି ଓଡ଼ିଶାର ଖେଳାଳିଙ୍କୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇବ’’। ପ୍ରତ୍ୟୁତ୍ତରରେ ଅମିତ କହିଥିଲେ ‘‘ଓଡ଼ିଶାରେ ପହଞ୍ଚିବା ପାଇଁ ହୃଦୟ ବ୍ୟାକୁଳ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବହୁତ ଖୁସି। ୫୨ ବର୍ଷ ପରେ ଆମେ (ଭାରତୀୟ ହକି ଦଳ) ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ରେକର୍ଡ ଭାଙ୍ଗିଛୁ। ଓଡ଼ିଶା ଓ ଦେଶର କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଉଛି।’’ ସରକାର ଘୋଷଣା କରିଥିବା ୪ କୋଟି ଟଙ୍କା ପୁରସ୍କାର ରାଶି ପାଇଁ ସେ ମଧ୍ୟ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ, ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ବାବୁ ସିଂ, ଆକାଶ ଦାସ ନାୟକ, ପ୍ରକାଶ ଚନ୍ଦ୍ର ସେଠୀ, ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ହକି ଆସୋସିଏସନ୍ ଅଫ୍‌ ଓଡ଼ିଶାର ସମ୍ପାଦକ ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe