ଅଭୟ ହୋତା ହେଲେ ଫେଡ଼େରାଲ୍ ବ୍ୟାଙ୍କ ଅଧ୍ୟକ୍ଷ

ଅଭୟ ହୋତା ହେଲେ ଫେଡ଼େରାଲ୍ ବ୍ୟାଙ୍କ ଅଧ୍ୟକ୍ଷ

ସମ୍ବଲପୁର: ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଆଉ ଜଣେ ଓଡ଼ିଆ ଏକ ମହତ୍ବପୂର୍ଣ୍ଣ ପଦ ଅଳଂକୃତ କରିଛନ୍ତି। ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ବ ଅଭୟ ପ୍ରସାଦ ହୋତା ଫେଡେରାଲ୍‌ ବ୍ୟାଙ୍କ୍‌ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୨୯ ଜୁନ୍ ୨୦୨୩ରୁ ୧୪ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଫେଡେରାଲ୍‌ ବ୍ୟାଙ୍କ୍‌ର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ତାଙ୍କ ନିଯୁକ୍ତିକୁ ଆର୍‌ବିଆଇ ମଞ୍ଜୁର କରିଛି। ଶ୍ରୀ ହୋତା ଫେଡେରାଲ୍ ବ୍ୟାଙ୍କ ପରିଚାଳନା ବୋର୍ଡର ଜଣେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ୧୫ ଜାନୁଆରି ୨୦୧୮ରୁ କାର୍ଯ୍ୟରତ ଥିଲେ। ସେ ୧୯୮୨ରୁ ୨୦୦୯ ପର୍ଯ୍ୟନ୍ତ ୨୭ ବର୍ଷ ଧରି ଆର୍‌ବିଆଇରେ କାର୍ଯ୍ୟରତ ଥିଲେ। ଆର୍‌ବିଆଇରେ କାର୍ଯ୍ୟ କରିବା ସମୟରେ ସେ ବିଜୟା ବ୍ୟାଙ୍କ ଓ ତା’ପରେ ଆନ୍ଧ୍ର ବ୍ୟାଙ୍କ ବୋର୍ଡର ମନୋନୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ସେ ନ୍ୟାସ୍‌ନାଲ୍ ପେମେଣ୍ଟେ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ମୁଖ୍ୟ ବିନ୍ଧାଣି ଥିଲେ ତଥା ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଏହାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଓ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍ବ ତୁଲାଇଥିଲେ। ବମ୍ବେରେ ଅବସ୍ଥାପିତ ୬୭ ବର୍ଷୀୟ ଶ୍ରୀ ହୋତା ଦାୟିତ୍ବ ନେଇଥିବା ଫେଡେରାଲ୍ ବ୍ୟାଙ୍କ ଦେଶର ଏକ ଆଗୁଆ ଘରୋଇ ବ୍ୟାଙ୍କ୍‌। ସାରା ଦେଶରେ ଏହାର ୧୩୭୨ଟି ଶାଖା ଓ ୧୯୧୪ଟି ଏଟିଏମ୍ ରହିଛି। ଗତ ୩୧ ମାର୍ଚ୍ଚ ସୁଦ୍ଧା ଏହି ବ୍ୟାଙ୍କର ମୋଟ ବ୍ୟବସାୟ (ଦେଣନେଣ) ୩.୮୭ ଲକ୍ଷ କୋଟି ଟଙ୍କା ଥିଲା।

ନୂଆପଡ଼ା ଜିଲ୍ଲା ରାଜ ଖରିଆର ନିକଟ କରଂଗାମାଲ ଗାଁର ମୂଳ ନିବାସୀ ସ୍ବର୍ଗତ ଦେବୀ ପ୍ରସାଦ ହୋତାଙ୍କ ପୁଅ ଅଭୟ ନିଜ ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ପରେ ଅନୁଗୁଳରୁ ମାଧ୍ୟମିକ ଶିକ୍ଷା ଲାଭ କରି ମାଟ୍ରିକ ପାସ୍ କରିଥିଲେ। ବରଗଡ଼ ପଞ୍ଚାୟତ କଲେଜ୍‌ରେ +୨ ଟପର୍ ଥିଲେ। ସମ୍ବଲପୁର ଗଂଗାଧର ମେହେର ମହାବିଦ୍ୟାଳୟରୁ ଇଂରାଜୀ ସମ୍ମାନରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ (ଜ୍ୟୋତିବିହାର)ରୁ ଇଂରାଜୀରେ ସ୍ନାତକୋତ୍ତର ପାସ୍ କରିଥିଲେ। ଉଚ୍ଚ ଶିକ୍ଷା ପରେ ରିଜର୍ଭ ବ୍ୟାଙ୍କରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ହୋତା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନ୍‌ସ (ଆଇଆଇବିଏଫ୍‌)ରୁ ସମ୍ମାନସୂଚକ ଉପାଧି ହାସଲ କରିଥିଲେ। ସେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ପ୍ରଫୁଲ୍ଲ ପତିଙ୍କ ଛାତ୍ର ଥିଲେ ବୋଲି ତାଙ୍କ ବଡ଼ ଭାଇ ତଥା ଅବସରପ୍ରାପ୍ତ ଶିକ୍ଷାମଣ୍ଡଳାଧୀଶ ଗିରିଧାରୀ ହୋତା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe