ପରକିଆ ପ୍ରୀତି ନେଲା ଜୀବନ: ବିବାହିତ ‌ମହିଳାଙ୍କୁ ପ୍ରେମିକ କଲା ଗୁଳି

ଅଭିଯୁକ୍ତ ଗୋପାଳ ଯାଦବ ସୁନ୍ଦରଗଡ଼ରୁ ଗିରଫ, ବନ୍ଧୁକ-ଗୁଳି ଜବତ

ପରକିଆ ପ୍ରୀତି ନେଲା ଜୀବନ: ବିବାହିତ ‌ମହିଳାଙ୍କୁ ପ୍ରେମିକ କଲା ଗୁଳି

ଝାରସୁଗୁଡ଼ା: ଜଣେ ଯୁବକଙ୍କ ପ୍ରେମରେ ଅନ୍ଧ ବିବାହିତା ମହିଳା ଶେଷରେ ଜୀବନ ହରାଇଛନ୍ତି। ଆଉ ଉକ୍ତ ମହିଳାଙ୍କ ଜୀବନ ନେଇଛନ୍ତି ଖୋଧ୍ ତାଙ୍କ ପ୍ରେମିକ । ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଥାନା ସାରସମାଲ ଗ୍ରାମର ରୋହିଦାସପଡ଼ା ଠାରେ ଘଟିଯାଇଛି ଏହି ନାରକୀୟ କାଣ୍ଡ। ଏହି ଗ୍ରାମର ସୁନନ୍ଦ ରୋହିଦାସଙ୍କ ପତ୍ନୀ କନକ ରୋହିଦାସ(୩୭)ଙ୍କୁ  ଅତି ପାଖରୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଗୁଳି ମହିଳାଙ୍କ ଛାତିରେ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ମହିଳା ଜଣକ ଘରୁ ବାହାରିଥିବା ବେଳେ ତାଙ୍କୁ ଗୁଳି କରାଯାଇଥିବା ପୁଲିସ ଅନୁମାନ କରିଥିଲା ଓ ଏହାର କାରଣ ଖୋଜିଥିଲା। ସକାଳେ ଝାରସୁଗୁଡ଼ା ଏସ୍‌ପି ଅଶ୍ବିନୀ ମହାନ୍ତିଙ୍କ ନେତୃତ୍ବରେ ଏସ୍‌ଡ଼ିପିଓ କୈଳାଶ ଆଚାର୍ଯ୍ୟ, ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଥିଲା। ପ୍ରାଥମିକ ତଦନ୍ତ ବେଳେ ମହିଳାଙ୍କୁ କାହିଁକି ଓ କେଉଁ କାରଣରୁ କିଏ ହତ୍ୟା କଲା ତା’ ଉପରେ ପୁଲିସ ତର୍ଯ୍ୟମା କରିଥିଲା। ଏଫ୍‌ସିଆଇରେ ଶ୍ରମିକ ଭାବରେ କାମ କରୁଥିବା ମହିଳାଙ୍କ ସ୍ବାମୀ ସୁନନ୍ଦ ଏ ସଂପର୍କରେ କିଛି ଜାଣିନଥିବା କହିଥିଲେ । ପରେ ମହିଳାଙ୍କ ମୋବାଇଲ ଯାଞ୍ଚ ବେଳେ ରହସ୍ୟ ଖୋଜି ପାଇଥିଲା ପୁଲିସ। ମହିଳାଙ୍କ ଫୋନ୍‌ରୁ ମହିଳାଙ୍କ ଅନ୍ୟ ଯୁବକଙ୍କ ସହିତ ଅବୈଧ ସଂପର୍କ ଥିବା ପୁଲିସ ଜାଣିବାକୁ ପାଇ ସେ ଦିଗରେ ତଦନ୍ତ ଆରମ୍ଭ କରିଥିଲା।

ଗୁଳିକାଣ୍ଡ ପୂର୍ବରୁ ମହିଳାଙ୍କ ମୋବାଇଲକୁ ଏକ ନିର୍ଦ୍ଧିଷ୍ଟ ନମ୍ବରୁ ଏକାଧିକ ଥର କଲ ଆସିଥିଲା। ସେହି ନମ୍ବରକୁ ଭିତ୍ତି କରି ପୁଲିସ ଅପରାଧୀକୁ ଧରିବାରେ ସଫଳ ହୋଇଥିବା ଜଣାଯାଇଛି। ଜାମସେଦ୍‌ପୁରର ଗୋପାଳ ଯାଦବ (୩୦) ନାମକ ଜଣେ ଯୁବକଙ୍କ ଉକ୍ତ ମହିଳାଙ୍କ ସହିତ ପ୍ରେମ ସଂପର୍କ ଥିଲା। ପୂର୍ବରୁ ମଧ୍ୟ ମହିଳା ଜଣକ ଉକ୍ତ ଯୁବକ ସହିତ ପଳାଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିବା ପୁଲିସ କହିଛି। ସୁନନ୍ଦଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ କନକଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଦୁଇଗୋଟି ସନ୍ତାନ ଥିବା ବେଳେ କନକର ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି। ପୁଲିସ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ଠାରୁ ଗୋପାଳ ଯାଦବକୁ ଗିରଫ କରିଥିଲା।

୫ଟି ଅନୁଯାୟୀ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ: ଡ଼ିଆଇଜି

publive-image

ହତ୍ୟାକାଣ୍ଡର ୨୪ ଘଣ୍ଟା ନପୁରୁଣୁ ହତ୍ୟାକାରୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିବା ‌ବେଳେ ୫ ଟି ମୋଡ଼େଲ ଅନୁଯାୟୀ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ । ଆଜି ସନ୍ଧ୍ୟାରେ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ିଆଇଜି ଶ୍ରୀ ଲାଲ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତକୁ ୬ ଘଣ୍ଟା ଭିତରେ ଗିରଫ କରାଯାଇ ପାରିଛି।  ଅଭିଯୋଗ ପରେ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସୁନ୍ଦରଗଡ଼ ଠାରୁ ଗୁଳିକାଣ୍ଡରେ ସଂପୃକ୍ତ ଯୁବକ ଗୋପାଲ ଯାଦବକୁ ଗିରଫ କରାଯାଇ ପାରିଛି । ତା ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ ଓ ୬ ଗୋଟି ଗୁଳି ଜବତ କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ କଣ କାରଣ ରହିଛି ସେ ସଂପର୍କରେ ତଦନ୍ତ ଅବ୍ୟାହତ ଥିବା ବେଳେ ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe