ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଫେରାର

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଫେରାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରାଧୀନ କଏଦୀ ଇନ୍ଦ୍ରଜିତ ସାହାଣୀ (୨୫ବର୍ଷ) ଫେରାର୍ ହୋଇଯାଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି। ବହୁ ଖୋଜାଖୋଜି ପରେ ମଧ୍ୟ କଏଦୀର ପତ୍ତା ମିଳିନାହିଁ। ଏହି ଘଟଣାରେ ଡ୍ୟୁଟିରେ ଥିବା ଜେଲ ୱାର୍ଡର କିରଣ ଯୋଶୀଙ୍କୁ ନିଲମ୍ବିତ କରାଯାଇଛି ଓ ଅନ୍ୟ ୨ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜେଲ ଅଧୀକ୍ଷକ ଏଲ୍‌. କେ. ଧାଙ୍ଗଡ଼ା ସୂଚନା ଦେଇଛନ୍ତି। କଏଦୀ ଇନ୍ଦ୍ରଜିତର ଘର ବିହାର ରାଜ୍ୟ ମାଧୋପୁର ଥାନା ବୋଥନା ଗାଁରେ। ତାକୁ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ୍‌ ଥାନା ଅଞ୍ଚଳରେ ଏକ ଟ୍ରକ୍ ଚୋରି ମାମଲାରେ ଗିରଫ କରାଯାଇଥିଲା।

କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ତା’ ବିରୋଧରେ ଓରିଏଣ୍ଟ୍‌ ଥାନାରେ ଆଇପିସିର ଧାରା ୩୭୯ ଏବଂ ୧୦୯ରେ ମାମଲା ରୁଜୁ କରାଯାଇଥିଲା। ଗତ ୨୭ ତାରିଖ ଦିନ ସେ ଝାରସୁଗୁଡ଼ା ଉପକାରାଗାରରେ ଅସୁସ୍ଥ ହୋଇ ପଡ଼ିବା ପରେ ତାକୁ ଜିଲ୍ଲା ସଦର ଡାକ୍ତରଖାନା ପଠାଯାଇଥିଲା। ଡାକ୍ତରଖାନାର ଜେନେରାଲ ୱାର୍ଡରେ ତା’ର ଚିକିତ୍ସା ଚାଲିଥିବା ସମୟରେ ଶନିବାର ରାତିରେ ସେ ସୁଯୋଗ ଦେଖି ଫେରାର ହୋଇ ଯାଇଥିବା ଜଣା ପଡ଼ିଥିଲା। ଇନ୍ଦ୍ରଜିତ ଚିକିତ୍ସାଧୀନ ଥିବା ସମୟରେ ଜେଲ ୱାର୍ଡର କିରଣ ଯୋଶୀ ଡ୍ୟୁଟିରେ ଥିଲେ। ସମୁଦାୟ ୩ ଜଣଙ୍କୁ ତିନିଟି ସିଫ୍ଟରେ ଡ୍ୟୁଟି ଦିଆଯାଇଥିଲା। ହେଲେ ୱାର୍ଡର ଶ୍ରୀ ଯୋଶୀ ରାତି ଡ୍ୟୁଟିରେ ଥିବାରୁ ତାଙ୍କୁ ଏଥିପାଇଁ ଦାୟୀ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe