ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆଜି, ରଂଗିନ ଆଲୋକ ଓ ଫୁଲରେ ଝଲସୁଛି ପୀଠ

Advertisment
ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆଜି, ରଂଗିନ ଆଲୋକ ଓ ଫୁଲରେ ଝଲସୁଛି ପୀଠ

Sambad

ନେମାଳ: ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ ତଥା ଭବିଷ୍ୟତ ମାଳିକା ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ଦେବସ୍ନାନ ଯାତ୍ରା ମଙ୍ଗଳାବାର ନିଶ୍ଚିନ୍ତକୋଇଲି ବ୍ଲକ୍‌ ନେମାଳସ୍ଥିତ ନେମାଳ ପଦ୍ମବନ ପୀଠରେ ରୀତିନୀତି ସହ ଅନୁଷ୍ଠିତ ହେବ। ଏହି ଅବସରରେ ଭୋର୍‌ ୩ଟାରୁ ଚୁଆ, ଚନ୍ଦନ, ଅଗୁର ମିଶ୍ରିତ ସୁବାସିତ ଜଳରେ ପ୍ରଭୁଙ୍କର ସ୍ନାନ ମାର୍ଜନା ସହ ମଙ୍ଗଳ ଆଳତି, ନୀତି ଭୋଗ, ଚନ୍ଦନ ଲାଗି କରାଯିବ। ମଧ୍ୟାହ୍ନରେ କୋଠଭୋଗ, ପୁଷ୍ପାଞ୍ଜଳି ଓ ସନ୍ଧ୍ୟାରେ ସଂଧ୍ୟା ଆଳତି ଓ ମଧ୍ୟରାତ୍ରିରେ ଅଧରପଣା ସମର୍ପଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସିଦ୍ଧ ଦେବସ୍ନାନ ଯାତ୍ରା ପାଇଁ ସମଗ୍ର ପୀଠକୁ ରଂଗିନ ଆଲୋକ ଓ ଫୁଲରେ ସୁସଜ୍ଜିତ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ପୀଠରେ ପହଞ୍ଚି ଅତି ନିକଟରୁ ପ୍ରଭୁଙ୍କୁ ଦର୍ଶନ କରିବା ସହ ତାଙ୍କର ସାନ୍ନିଧ୍ୟ ଲାଭ ପାଇଁ ଚାତକ ପରି ଚାହିଁ ରହିଛନ୍ତି। ରାତିସୁଦ୍ଧା ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼ ଜମିବାର ସମ୍ଭାବନା ରହିଛି।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଏସ୍‌.ପି. ବି. ଯୁଗଳକିଶୋର ପୀଠ ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ନେମାଳ ଥାନା ପରିସରରେ ଉପସ୍ଥିତ ଜିଲ୍ଲାର ପୁଲିସ ଅଧିକାରୀମାନଙ୍କୁ ଉତ୍ସବ ଶୃଙ୍ଖଳାର କିଭଳି ପାଳନ କରାଯିବ ସେ ସମ୍ପର୍କରେ ଏସ୍‌ପି ଆଲୋଚନା କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ କରୋନା କଟକଣା ଯୋଗୁଁ ଦୁଇବର୍ଷ ହେଲା ଦେବସ୍ନାନ ଉତ୍ସବ ବାତିଲ କରାଯାଇଥିଲା। ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ନିରାଶ ହୋଇଥିଲା। ଏ ବର୍ଷ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଭକ୍ତଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe