ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣାରେ ପ୍ରଶାସନ କଠୋର, ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣାରେ ପ୍ରଶାସନ କଠୋର, ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା: ଗୁଣପୁର ତହସିଲ ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ଘଟଣାରେ ୩ ଶ୍ରମିକଙ୍କ ଜୀବନ ଯିବା ପରେ ଆକ୍ସନ୍ ମୁଡକୁ ଆସିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ଘଟଣାରେ ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ସହକାରୀ ରାଜସ୍ବ ନୀରିକ୍ଷକ ଅନୁପ କୁମାର ମାର୍ଥା ନିଲମ୍ବିତ ହୋଇଛନ୍ତି। ଆଜି ଜିଲ୍ଲାପାଳ ପ୍ରମୋଦ କୁବାର ବେହେରା ଆଉ ୩ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦଙ୍କୁ ଜିଲ୍ଲାପାଳ ଚାକିରୀରୁ ନିଲମ୍ବିତ କରିବା ସହ ସଦର ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ପଣ୍ଡାଙ୍କୁ କାଶୀପୁର ତହସିଲ, ସହକାରୀ ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ଦାଶଙ୍କୁ ମୁନିଗୁଡା ତହସିଲକୁ ବଦଳି କରିଛନ୍ତି। ଏଥି ସହିତ ଅତିରିକ୍ତ ତହସିଲଦାର କୁଶ ଗରଡାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଜିଲ୍ଲାପାଳ।

ଅକ୍ଟୋବର ୧୬ ତାରିଖରେ ପଥର ଖାଦାନରେ ଶ୍ରମିକମାନେ କାମ କରୁଥିବା ବେଳେ ବେଆଇନ ବ୍ଲାଷ୍ଟିଂ ଯୋଗୁ ଅଭାବନୀୟ ଘଟଣା ଘଟିଥିଲା। ପଥର ମାଡ଼ରେ ୩ ଶ୍ରମିକ ମୃତ୍ୟୁ ହେବା ସହ ୯ ଶ୍ରମିକ ଗୁରୁତର ହୋଇଥିଲେ। ଘଟଣାର ଦିନକ ପରେ ସହକାରୀ ରାଜସ୍ବ ନୀରିକ୍ଷକ ଅନୁପ କୁମାର ମାର୍ଥାଙ୍କୁ ଜିଲ୍ଲାପାଳ ସସପେଣ୍ଡ କରିବା ସହ ଅତିରିକ୍ତ ତହସିଲଦାର କୁଶ ଗରଡ଼ିଆ, ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦ, ସଦର ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ପଣ୍ଡା, ସହକାରୀ ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ଦାଶଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଅକ୍ଟୋବର ୨୧ ତାରିଖରେ ରାଜ୍ୟ ସରକାର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରିବା ପରେ ଅନ୍ୟ ଅଧିକାରୀ ଛାନିଆ ହୋଇ ପଡିଥିଲେ।

ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନ ହେବା ପରେ ଜିଲ୍ଲାପାଳ ଆଜି ତାଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ଚୁକ୍ତିଭିତ୍ତିକ ଭାବେ କାର୍ୟ୍ୟରତ ଥିବା ରାଜସ୍ବ ନୀରିକ୍ଷକ ସନ୍ତୋଷ ପଣ୍ଡା ଓ ସହକାରୀ ରାଜସ୍ବ ନିରୀକ୍ଷକ ସନ୍ତୋଷ ଦାଶଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ପରାମର୍ଶ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କ ନିକଟରୁ କିଛି ଉତ୍ତର ଆସିନଥିବା ବେଳେ ଆଜି ଉଭୟଙ୍କୁ ଗୁଣପୁର ତହସିଲରୁ ଅନ୍ୟତ୍ର ବଦଳି କରାଯାଇଛି। ମୃତ ଶ୍ରମିକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ପଥର ଖାଦାନ ଠିକାଦାରଙ୍କ ପକ୍ଷରୁ ୩ ଲକ୍ଷ ଲେଖାଁଏ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ସେହିପରି ଆହତ ପରିବାରକୁ ୫୦ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe