Photo: Track School Bus
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏକ ଆଶ୍ରମ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଜିଲ୍ଲା ପ୍ରସାଶନ ତା’ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି। ଏହି କ୍ରମରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(ଡବ୍ଲ୍ୟୁଇଓ) ପ୍ରଦୀପ କୁମାର ମିଶ୍ର, ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦେଇଥିବା ରିପୋର୍ଟକୁ ଆଧାରକରି ଶିକ୍ଷୟତ୍ରୀ ତଥା ହଷ୍ଟେଲର ଆସିଷ୍ଟାଣ୍ଡ ଲେଡି ସୁପରିଟେଡେଣ୍ଟ୍ ପଦ୍ମାବତୀ ହନ୍ତାଳକୁ କାର୍ଯ୍ୟରୁ ନଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖ ଏକ ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ରୀ ୭ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଲକ୍ଷ୍ମୀପୁର ପୁଲିସ ତଦନ୍ତ କରିବା ସହ ଆଠ ତାରିଖ ଦିନ କୃଷ୍ଣ ବାଘ ନାମ ଜଣେ ଯୁବକକୁ ଗିରଫ କରିଥିଲା।
ଏହି ଘଟଣାର ରିପୋର୍ଟ ପାଇବା ପରେ ଶୁକ୍ରବାର ଜିଲ୍ଲାପାଳ ଜଣେ ଶିକ୍ଷତ୍ରୀଙ୍କୁ ନିଲମ୍ବିତ କରିଥିବା ବେଳେ ଏଇ ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନିଲମ୍ବିତ ହୋଇଥିବା ଶିକ୍ଷୟତ୍ରୀ ଜଣକ କହିଛନ୍ତି, ତାଙ୍କୁ ବିନା ଦୋଷରେ ନିଲମ୍ବନ କରାଯାଇଛି। ସେ କହିଛନ୍ତି, ଯେଉଁ ଛାତ୍ରୀ ଜଣକ ଗର୍ଭବତୀ ହୋଇଛି, ସେ ହଷ୍ଟେଲରେ ଆଦୌ ରହୁ ନ ଥିଲା। ଛାତ୍ରୀଙ୍କ ବାପା କର୍ମଚାରୀ ହୋଇଥିବା ଯୋଗୁଁ ସେ ସ୍କୁଲ ପରିସରରେ ଥିବା ସରକାରୀ କ୍ୱାଟର୍ସରେ ହିଁ ରହୁଥିଲେ। ତେଣୁ ଉକ୍ତ ଛାତ୍ରୀ ଜଣକ ତାଙ୍କ ବାପା-ମା’ଙ୍କ ସହ ରହୁଥିଲା। ଏପରି ସ୍ଥିତିରେ ହଷ୍ଟେଲର ମହିଳା ପରିଚାଳିକାଙ୍କ କଣ ଭୁଲ ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କ’ଣ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏହାର ତଦନ୍ତ ହେବା ଦରକାର।
Follow Us