ବୌଦ୍ଧ: ଛତିଶଗଡ଼ ମହାନଦୀକୁ ଶୋଷିଲା ଭଳି ସାଲୁଙ୍କି ନଦୀକୁ ଶୋଷିବା ମସୁଧା ଚାଲିଛି। ନଦୀର ପାଲଝାର ବ୍ୟାରେଜ ଉପର ମୁଣ୍ଡ ସତୀଘାଟରେ ସରକାର ଆଉ ଏକ ବ୍ୟାରେଜ ନିର୍ମାଣ ଯୋଜନା କରିଛନ୍ତି। ଏହାଦ୍ବାରା ପାଲଝାର ବ୍ୟାରେଜ ଶୁଖିଲା ପଡ଼ିବ। ୨୨ ହଜାର ହେକ୍ଟର ଜମିର ଚାଷୀ ମରୁଡ଼ିର ଶିକାର ହେବେ। ଏହାବଦଳରେ ୨ କିମି ଉପର ମୁଣ୍ଡ ଗମ୍ଭୀରାଦର୍ହଠାରେ ଜଳଭଣ୍ଡାର ନିର୍ମାଣ କରାଗଲେ ଖରିଫ ଓ ରବିଋତୁରେ ବୌଦ୍ଧ ଓ ହରଭଙ୍ଗା ବ୍ଲକର ୮୦% ଜମି ଜଳସେଚିତ ହେବାସାଙ୍ଗକୁ ଜଳ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ହୋଇ ପାରିବ ବୋଲି ଭାରତୀୟ କିଷାନ ସଂଘ କହିଛି।
ଏଥିସହ କଣ୍ଟାମାଳ ବ୍ଲକରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଖଡ଼ଙ୍ଗ ନଦୀର ସାଡ଼ାଙ୍ଗ ଓ ତେଲ ନଦୀର ଗୌଡ଼ତୋଳାଠାରେ ଦୁଇଟି ବ୍ୟାରେଜ ଓ ହରଭଙ୍ଗା ବ୍ଲକର କିଟାଙ୍ଗପଡ଼ାଠାରେ ଜଳଭଣ୍ଡାର ନିର୍ମାଣ, ରାଜ୍ୟ ସରକାର ପ୍ରଥମେ ଅନୁମୋଦନ କରି ପରେ ବନ୍ଦ କରିଥିବା ଧଳପୁର, ରାମଗଡ଼ ଓ ସାମ୍ପୋଚ୍ ମେଗା ଜଳସେଚନ ପ୍ରକଳ୍ପ ସ୍ଥାପନର ପୁନର୍ବିଚାର, ଜିଲ୍ଲାର ସରସରା, ଚନ୍ଦ୍ରପୁର, ବହିରା ଓ କଣ୍ଠାସ୍ଥିତ ଐତିହାସିକ ବନ୍ଧଗୁଡ଼ିକର ପୁନରୁଦ୍ଧାର, ସାଲୁଙ୍କି ଜଳସେଚନ ପ୍ରକଳ୍ପର ପଙ୍କୋଦ୍ଧାର ଓ କେନାଲ ମରାମତି ପାଇଁ ଆସିଥିବା ଅନୁଦାନର ଦୁରୁପଯୋଗ ବନ୍ଦ ପ୍ରଭୃତି ଦାବିରେ ଭାରତୀୟ କିଷାନ ସଂଘ ଜିଲ୍ଲାପାଳ ଅଫିସ ଘେରିବା ସହ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି। ସଂଘର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଚାଷୀ ରାମଲୀଳା ମୈଦାନରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଏଥିରେ ସଂଘର ରାଜ୍ୟ ସହସମ୍ପାଦକ ବିଶିକେଶନ ପ୍ରଧାନ, ନବୀନ ପ୍ରଧାନ, ଦୂତିବାହନ କମ୍ପ, ଶ୍ରୀକାନ୍ତ ମିଶ୍ର, ସୁଧାଂଶୁ ଡାଙ୍ଗ, ଦାଶରଥି ବାରିକ, ଶମ୍ଭୁ ପ୍ରଧାନ, ଲବ ପ୍ରଧାନ, କୃଷ୍ଣଚନ୍ଦ୍ର ବାରିକ, ଭୋଳାଗିରି ସାହୁ, ତ୍ରିପୁର ମହାକୁଡ଼, ବିକାଶ ମହାକୁଡ଼, କୁନା ମାହାର, ବୈକୁଣ୍ଠ ପ୍ରଧାନ, ନବୀନ ହୋତା, ବିକ୍ରମ ପ୍ରଧାନ, ତରଣୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ।
Follow Us