୨୬ ବର୍ଷ ପରେ ୨ୟ ଶ୍ରୀକ୍ଷେତ୍ରରେ ଦେବଦୁର୍ଲଭ ନାଗାର୍ଜୁନ ବେଶ : ଦର୍ଶନରୁ ବଞ୍ଚିତ ହେବେ ଭକ୍ତ, ଲାଗୁହେଲା ୧୪୪ ଧାରା

୨୬ ବର୍ଷ ପରେ ୨ୟ ଶ୍ରୀକ୍ଷେତ୍ରରେ ଦେବଦୁର୍ଲଭ ନାଗାର୍ଜୁନ ବେଶ : ଦର୍ଶନରୁ ବଞ୍ଚିତ ହେବେ ଭକ୍ତ, ଲାଗୁହେଲା ୧୪୪ ଧାରା

ବାରିପଦା: ୨ୟ ଶ୍ରୀକ୍ଷେତ୍ର ଭାବେ ପରିଚିତ  ବାରିପଦାରେ ୨୬ ବର୍ଷ ପରେ ହେବ ଦେବଦୁର୍ଲଭ ନାଗାର୍ଜୁନ ବେଶ। ମାତ୍ର ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଭକ୍ତ ସମାଜ। କରୋନା କଟକଣା କାରଣରୁ କେବଳ ବିଧିମୁତାବକ ସେବାୟତ ଏବଂ ବେଶ କାରିଗରମାନେ ଏହି ବେଶ ପ୍ରସ୍ତୁତ କରିବେ। ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଏହି ବହୁପ୍ରତିକ୍ଷୀତ ବେଶ ଦର୍ଶନରେ କରୋନା ମହାମାରୀ ଅନ୍ତରାୟ ସୃଷ୍ଟି କରିଛି।

କୌଣସି ଲୋକଙ୍କୁ ମନ୍ଦିର ନିକଟକୁ ଯିବାରୁ ବାରଣ କରିବା ନିମନ୍ତେ ମନ୍ଦିର ଚାରିପଟେ ଆଜିଠାରୁ ୧୪୪ ଧାରା ଲାଗୁ କରାଯାଇଛି। ଅମ୍ବିକା ମନ୍ଦିର ଏବଂ ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ଚାରିପଟେ ୧୪୪ ଧାରା କଟକଣା ପଞ୍ଚୁକ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ବାରିପଦା ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ଅନ୍ବେଷା ରେଡ୍ଡି ସୂଚନା ଦେଇଛନ୍ତି।

ଏହି କଟକଣା ଚଳିତ ମାସ ୩୦ ପର୍ଯ୍ୟନ୍ତ ଲାଗୁ ହୋଇ ରହିବ। ଚଳିତ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ଛଅ ଦିନ ପଡ଼ିଛି। ଦ୍ବାଦଶୀ ତିଥି ଦୁଇଦିନ ପଡ଼ୁଥିବାରୁ ଚଳିତ ବର୍ଷ ନାଗାର୍ଜୁନ ବେଶ ଦ୍ବିତୀୟ ଦ୍ବାଦଶୀ ଅର୍ଥାତ ଆସନ୍ତାକାଲି ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ପୀଠରେ ହେବ। ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାଦୁର୍ଲଭ ନାଗାର୍ଜୁନ ବେଶ ୧୯୯୬ରେ ଅନୁଷ୍ଠିତ ହୋଇଥିଲା।

ପୁଣିଥରେ ଚଳିତ ବର୍ଷ ଆସନ୍ତାକାଲି(ଶୁକ୍ରବାର) ଏହି ବେଶ ହେବ। ଏହାକୁ ନେଇ ସେବାୟତ ଏବଂ ଭକ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ମାତ୍ର କୋଭିଡ କଟକଣା କାରଣରୁ ଚଳିତ ବର୍ଷ ଭକ୍ତମାନେ ଏହି ଦେବଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ। ବେଶକାରିଗର ହରେକୃଷ୍ଣ ରଣା ଏହି ବେଶ ନିମନ୍ତେ ଆବଶ୍ୟକୀୟ ସାଜ ସରଞ୍ଜାମ ପ୍ରସ୍ତୁତ କରୁଛନ୍ତି।

ଏହି ବେଶ ପ୍ରସ୍ତୁତରେ ସେବାୟତ ପ୍ରଦୀପ କୁମାର ପଣ୍ଡା, ଜୟନ୍ତ ତ୍ରିପାଠୀ, ବିମଳଲୋଚନ ଦେଓଗରିଆ ପ୍ରମୁଖ ସହଯୋଗ କରିବେ। ମହାପ୍ରଭୁଙ୍କ ଏହି ବେଶ ଆସନ୍ତାକାଲି ସନ୍ଧ୍ୟାରୁ ଆରମ୍ଭ ହୋଇ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ରହିବ। ରତ୍ନ ସିଂହାସନରେ ଏହି ବେଶ କରାଯିବ। ପଞ୍ଚୁକ ଛଅ ଦିନ କାରଣରୁ ଗତକାଲି(ବୁଧବାର)ଠାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଆରମ୍ଭ ହୋଇସାରିଛି। ଗତକାଲି ରୂପା ବେଶରେ ସଜ୍ଜିତ ହୋଇଥିଲେ ଠାକୁର। ଆଜି ଫୁଲଚୁଳିଆ(ଦ୍ବାଦଶୀ ବେଶ), ଶୁକ୍ରବାର (ଦ୍ବାଦଶୀର ଦ୍ବିତୀୟ ଦିନ) ନାଗାର୍ଜୁନ ବେଶ, ତ୍ରୟୋଦଶୀ(ଶନିବାର) ରାଇ ଦାମୋଦର ବେଶ, ଚତୁର୍ଦ୍ଦଶୀ(ରବିବାର) ରାଜରାଜେଶ୍ବର ବେଶ, ପଞ୍ଚମୀ(ସୋମବାର) ପୁନେଇଁ ଚୁଳୀ ବେଶରେ ସଜ୍ଜିତ ହେବେ ମହାପ୍ରଭୁ।

ଏ ନେଇ ବାରିପଦା ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ଅନ୍ବେଷା ରେଡ୍ଡିଙ୍କ ସହିତ ସେବାୟତମାନଙ୍କର ଆଲୋଚନା ହୋଇଛି। ଠାକୁରଙ୍କ ବେଶ ସହିତ ସମସ୍ତ ବିଧି ଅନୁପାଳନ ନିମନ୍ତେ ପ୍ରଶାସନ ସମସ୍ତ ସହଯୋଗ କରିବାନେଇ ସହମତି ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe