୨୮ମାସ ପରେ ବି ସରୁନି ୨୮କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାମ

Advertisment
୨୮ମାସ ପରେ ବି ସରୁନି ୨୮କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାମ

ଜୟପୁର: ଦିନ ଗଡ଼ିଲା, ବର୍ଷ ବି ଗଡ଼ିଲା। ଏହାରି ମଧ୍ୟରେ ୨୮ମାସ ବିତିଗଲା। ତଥାଫି ବୋରିଗୁମ୍ମାରୁ –ବାରିଣୀପୁଟ ପର୍ଯ୍ୟନ୍ତ ଚାଳିଥିବା ଜାତୀୟ ରାଜପଥ ୨୬ର ନିର୍ମାଣ କାର୍ଯ୍ୟ ସରିବା ନାଁ ନେଉନି। ରାସ୍ତାକୁ ନେଇ ବିଧାୟକ, ରାଜନୈତିକ ନେତା, ସମାଜସେବୀ , ଓକିଲ ସଂଘ, ଘରୋଇ ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ ଆଦି ଚେତାବନୀ ଦେବା ପରେ ବି ଏହା ସଂପୁର୍ଣ୍ଣ ହୋଇପାରୁନି।

ରାଜନୈତିକ ନେତାଙ୍କ ଇଛାଶକ୍ତି ଅଭାବ ନାଁ , ବିଭାଗୀୟ ଅଧିକାରୀଙ୍କ ଉଦାସୀନତା, ନା ଠିକାଦାର ଶୀଘ୍ର କାମ ସାରିବାକୁ ଚାହୁଁ ନାହାନ୍ତି ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା। ଆଉ ମାସକ ପରେ ଖରା ମାସ ଆରମ୍ଭ ହେବ। ଏପ୍ରିଲରୁ ପୁଣି କାଳବୈଶାଖୀ । ମଧ୍ୟାହ୍ନ ପରେ ନିୟମିତ ବ୍ୟବଧାନରେ ବର୍ଷା ବି ହେବ। ତା ପରେ ପୁଣି ବର୍ଷା ମାସ ବି ପଳାଇ ଆସିବ। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି କାମ ସରିବ କି ନାହିଁ ବୋଲି ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ ଜାତୀୟ ରାଜପଥ ପ୍ରାଧିକରଣ ମହାରାଷ୍ଟ୍ରର ବିଜୟପୁର ଠାରୁ ସୋଲାପୁର ୨୫.୫୪କିଲୋମିଟର ରାସ୍ତାକୁ ମାତ୍ର ୧୮ଘଣ୍ଟାରେ କାମ ସାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ରାସ୍ତା ଏବେ ଖାଲଖମା ହୋଇ ଦୈନନ୍ଦିନ ଦୁର୍ଘଟଣା ଘଟୁଛି । ରାସ୍ତାର ଅବସ୍ଥା ଏଭଳି ରହିଛି ଯେ ଗର୍ତ୍ତରେ ପଡି ବହୁ ଯାନବାହନର ଯନ୍ତ୍ରାଂଶ ବି ନଷ୍ଟ ହେଉଛି। ଗୋଟିଏ ପାର୍ଶ୍ବରୁ କାମ କରି ଶେଷ କରିବା ପରେ ଅନ୍ୟ ପଟେ କାମ କରିବା କଥା।

ଏହା ବଦଳରେ ମନଇଛା ଖୋଳି ଦେବା ଫଳରେ ଲୋକେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଠିକ ଡିଜାଇନ୍ ନ କରି କଲଭର୍ଟ, ବ୍ରିଜ୍ ଗୁଡ଼ିକ ଠିକା ସଂସ୍ଥା କରିଥିଲେ। ଏବେ ପୁଣି ଏହାକୁ ପରିବର୍ତ୍ତନ କରି କାମ କରାଯାଉଛି। ଅଣଓସାରିଆ ଆପ୍ରୋଚ୍ ରୋଡ୍ ଉପରେ ଗାଡି ମୋଟର ଚଳାଚଳରେ ଅସୁବିଧା ହେଉଛି।

ଏହି ରାସ୍ତା ଦେଇ ଦୈନଦିନ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ଟ୍ରକ, ବସ, ଏବଂ ବିଭିନ୍ନ ଗାଡି ମଟର ଯାତାୟାତ କରୁଥିବାବେଳେ ରାସ୍ତା ଜାମ ହୋଇ ଘଣ୍ଟା ଘଣ୍ଟା ଧରି ସାଧାରଣ ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି। ବିଭିନ୍ନ ସମୟରେ ଜରୁରୀ ସେବା ଠାରୁ ଆରମ୍ଭ କରି ରୋଗୀ ନେଇ ଯାଉଥିବା ଆମ୍ବମ୍ବୁଲାନ୍ସକୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ନଜିର ରହିଛି । ଗୋଟିଏ ପଟେ ଏହି ରାସ୍ତାଟି ରାୟପୁରରୁ ବିଶାଖାପାଟଣା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା ଆଦି ଜିଲ୍ଲାକୁ ସଂଯୋଗ କରୁଥିବା ଲାଇଫଲାଇନ୍ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରିବାକୁ ଭୟ ପ୍ରକାଶ କରୁଛନ୍ତି।

ସଂପ୍ରତି ଉମୁରୀ- ଆମ୍ବାଗୁଡା ପର୍ଯ୍ୟନ୍ତ ହଜାର ହଜାର ଗର୍ତ୍ତ ସୃଷ୍ଟି ହୋଇଛି। ଚାରଗାଁରୁ ଜୟନ୍ତଗିରୀ –ବାରମାଇଲ୍ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନ କହିବା ଭଲ। କିଛି ସ୍ଥାନରେ ବଜୁରୀ ମେଟାଲ ପଡ଼ିଥିବା ବେଳେ କିଛି ସ୍ଥାନରେ ରଂଗ ମାଟି ପଡ଼ିଛି। ପାଣି ନିୟମିତ ଭାବେ ନ ପଡିଲେ ଧୁଳି ଉଡୁଛି। ଜାତୀୟ ରାଜପଥର ଅବସ୍ଥାକୁ ନେଇ ଲୋକେ ନୟାନ୍ତ ହୋଇ ପଡିଲେଣି।

ଏବେ ପ୍ରାୟ ୧୦କିଲୋମିଟରର କାମ ସରିଲାଣି। ଆସନ୍ତା ଜୁନ ସୁଦ୍ଧା ପ୍ରଥମସ୍ତରର ଡିବିଏମ୍ (ଡେନସ୍ ବିଟୁମିନ୍ ମେକଡମ୍ ) ପକା ସରିବ ବୋଲି କହିଛନ୍ତି ଏନଏଚ ଏସଡିଓ ବିନୋଦ ବଗର୍ତ୍ତୀ। ଜାତୀୟ ରାଜପଥ ପ୍ରାଧିକରଣର ରାଜ୍ୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ବ୍ରହ୍ମପୁର ଜୋନ ଅଧିକ୍ଷଣ ଯନ୍ତ୍ରୀ ଆଦି ତଦାରଖ କରି ପ୍ରଥମେ ବୋରିଗୁମ୍ମାରୁ ହରଡ଼ାପୁଟ ପର୍ଯ୍ୟନ୍ତ ଏହି ମାସକ ମଧ୍ୟରେ କାମ ସାରିବାକୁ ନିର୍ଦେଶ ଦେଇଥିବା କହିଛନ୍ତି ଏସଡିଓ। ସେ ଅନୁଯାୟୀ ତାକୁ ପ୍ରାଥମିକତାର ସହ କରାଯାଉଛି ବୋଲି କହିଛନ୍ତି ଏସଡିଓ। ତେବେ ଏହି କାମ କେବେ ସରିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe