କେବିଡି ହତ୍ୟାକାଣ୍ତକୁ ୬ ବର୍ଷ, ଖୋଲିଲାନି ଗୁମର, ପରିଚୟ ଖୋଜି ପାଇଲାନି ପୁଲିସ

କେବିଡି ହତ୍ୟାକାଣ୍ତକୁ ୬ ବର୍ଷ, ଖୋଲିଲାନି ଗୁମର, ପରିଚୟ ଖୋଜି ପାଇଲାନି ପୁଲିସ

Sambad

କୋରାପୁଟ: କୋରାପୁଟ-ରାଣିଗଡ ରୋଡ ବୋରିଗୁମ୍ମା ଥାନା ଅନ୍ତର୍ଗତ କେବିଡି ଛକରେ ମହିଳାଙ୍କୁ ନିର୍ମମ ହତ୍ୟାପରେ ଶିଶୁକନ୍ୟାକୁ ଛାଡିଯିବା ଘଟଣାକୁ ଇତିମଧ୍ୟରେ ଛଅ ବର୍ଷ ବିତିଛି। ଏହା ସେହି ସମୟରେ ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ପୁଲିସ ଅତି ହାଲକା ଭାବରେ ନେଇଥି‌ଲା। ଫଳରେ ଏବେ ଏହା ରହସ୍ୟଘେରରେ ରହିଯାଇଛି। ପୁଲିସ ଅପରାଧୀଙ୍କୁ ଧରିବ କ’ଣ ଏବେ ସୁଦ୍ଧା ସତ୍ୟ କ’ଣ ତାହାର ଉନ୍ମୋଚନ କରି ପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟ ବାହାରେ ବେଶ‌ ଖୁସିରେ ଦିନ କାଟୁଛି ଉଦ୍ଧାର ହୋଇଥିବା ଶିଶୁଟି।

କିନ୍ତୁ ତା’ ସମ୍ମୁଖରେ ମାକୁ ହତ୍ୟା କରାଯିବାରସେ  ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲେ। ଗୋଟିଏ ହତ୍ୟା ଘଟଣାକୁ ଯେପରି ଭାବେ କୋରାପୁଟ ପୁଲିସ ନେବା କଥା ସେ ସମୟରେ ନେଇପାରି ନ ଥିଲା। ଫଳରେ ରହସ୍ୟ ହୋଇ ରହିଲା ଉକ୍ତ ଘଟଣା। ଗୋଟିଏପଟେ ଉକ୍ତ ମହିଳାଙ୍କର ପରିଚୟ ମିଳି ନ ଥିବାବେଳେ ଏଯାଏଁ ହତ୍ୟାକାଣ୍ତ ଭିଆଇଥିବା ଅପରାଧୀଙ୍କୁ ବି ଧରି ପାରିନି ପୁଲିସ। ଖୁଲମଖୁଲା ଅପରାଧୀ ବାହାରେ ବୁଲୁଥିବାବେଳେ ହାତବାନ୍ଧି ସୁରାକକୁ ଅପେକ୍ଷା କରିଛି ପୁଲିସ। ସଫେଇ ଦେଇ କହିଛି ଯେ ଏହିପରି ଘଟଣାକୁ ସମୟ ଲାଗେ। ଏନେଇ କୌଣସି ଖାସ ସୁରାକ ନାହିଁ ବୋଲି କହିଛି ଜିଲ୍ଲା ପୁଲିସ।

ଜୟପୁର ବ୍ଲକ ବୋରିଗୁମ୍ମା ଥାନା ଅନ୍ତର୍ଗତ କେବିଡି ଛକ ନୀଳବଣରେ ୨୦୧୭ ଜୁଲାଇ ମାସ ୧୧ ତାରିଖରେ ଅଜଣା ମହିଳାଙ୍କୁ ହତ୍ୟା ଓ ଶିଶୁଙ୍କୁ ଫିଙ୍ଗି ଦେଇଥିଲେ ଦୁବୃର୍ତ୍ତ। ଘଟଣାକୁ ୬ ବର୍ଷ ବିତିଯାଇଥିଲେ ବି ମହିଳାଙ୍କର ପରିଚୟ ମିଳିପାରିନି। ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ହାଇଦ୍ରାବାଦ ପରି ରାଜ୍ୟ ବାହାରକୁ ଯାଇଥିବା କୋରାପୁଟ ପୁଲିସ ଫେରିବା ପରେ ଫାଇଲ ଏବେ ନାଲି ଫିତା ତଳେ ଦବି ଯାଇଛି। ଘଟଣାକୁ ଛଅବର୍ଷ ବିତିଥିଲେ ମଧ୍ୟ ମହିଳାଙ୍କର ପରିଚୟ ନ ମିଳିବା କମ୍ପା ଅପରାଧୀଙ୍କୁ ଧରିନପାରିବା ପୁଲିସର ପାରିବା ପାଣିଆକୁ ପଦାରେ ପକାଇ ଦେଇଛି।

କୋରାପୁଟ ଶବଗୃହରେ କିଛିଦିନ ରଖି ଆଇନଗତ ଭାବେ ସତ୍କାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ହସ୍ତଗତ ହୋଇଥିବା ଫିଙ୍ଗରପ୍ରିଣ୍ଟ ଟାଲି କରିବାକୁ ଭୁବନେଶ୍ବରକୁ ଏକ ଟିମକୁ ପଠାଯାଇଥିଲେ ବି ସେଠାରୁ ମଧ୍ୟ କିଛି ସୁରାକ ମିଳି ନଥିଲା। ସେଠାରେ ଉକ୍ତ ଟିମ ଫିଙ୍ଗରପ୍ରିଣ୍ଟକୁ ଟାଲି କରି ଆଧାର ଓ ଅନ୍ୟ ତଥ୍ୟ ହସ୍ତଗତ ହେଉଥିବା ଉପକରଣ ନ ଥିବାରୁ ହୋଇପାରି ନ ଥିଲା ଚିହ୍ନଟ ପ୍ରକ୍ରିୟା। ତେବେ ପ୍ରଶ୍ନ ଉଠୁଛି ଯେ ଉକ୍ତ ମହିଳା ଜଣକ ସେଠାକୁ କିପରି ଆସିଲେ, କିଏ ହତ୍ୟା କରି ସେଠାରେ ଫିଙ୍ଗିଲା। ଏହାସହ ୧୦ମାସର ଶିଶୁକୁ କିଏ ସେଠାରେ ଛାଡିଲା ତାହାର ଉତ୍ତର ଛଅବର୍ଷ ପରେ ବି ଖୋଜୁଛି ପୁଲିସ। ୨୦୧୭ ଆଜିର ତାରିଖରେ ଅଜଣା ମହିଳାଙ୍କୁ ହତ୍ୟା କରାଯାଇଥିଲା।

ଏହି ଘଟଣାରେ କୌଣସି ସୁରାକ ପାଇପାରି ନାହିଁ କୋରାପୁଟ ପୁଲିସ। ଏହି ଘଟଣାକୁ ଏସପି କନଵର ବିଶାଲ ସିଂହ ଗୁରୁତର ସହ ନେଇ ରାଜ୍ୟ ବାହାରକୁ ୩ଟି ଟିମକୁ ପଠାଇଥିବାବେଳେ ସେମାନେ କିଛି ସୁରାକ ପାଇ ନଥିଲେ। ମୃତ ମହିଳାଙ୍କର ଚିହ୍ନଟ ହୋଇପାରି ନ ଥିବାବେଳେ ତାଙ୍କର ସ୍ବାମୀଙ୍କୁ ସନ୍ଦେହ ଘେରକୁ ନିଆଯାଇଥିଲା। କିନ୍ତୁ ତାଙ୍କ ସ୍ବାମୀ ଓ ପରିବାରବର୍ଗଙ୍କର ମଧ୍ୟ କୌଣସି ସୁରାକ ପାଇ ପାରି ନଥିଲା ପୁଲିସ। ପରିଚୟ ମିଳିବା ପରେ ଘଟଣା ପଦାକୁ ଆସିବ କୁହାଯାଉଛି। କିନ୍ତୁ କେବେ ଘଟଣାର ଖୁଲାସା ହେବ ତାକୁ ନେଇ ଦ୍ବନ୍ଦ୍ବ ଉପୁଜୁଛି। କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ୭ଟି ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ଫଟୋ ସହ ସୂଚନା ଜାରି କରାଯାଇଥିଲା। ଯଦି କେଉଁଠି ସୂଚନା ମିଳେ ତେବେ ତୁରନ୍ତ ଜଣାଇବାକୁ କୁହାଯାଇଥିଲା। ଏହି ପ୍ରକାର ହତ୍ୟାକାଣ୍ତରେ ସାଧାରଣତଃ ସମୟ ଲାଗେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe