ମହାବାତ୍ୟାକୁ ୨୩ ବର୍ଷ...ଏଯାଏ ସଜାଡ଼ି ହୋଇନି ଏରସମା!

Advertisment
ମହାବାତ୍ୟାକୁ ୨୩ ବର୍ଷ...ଏଯାଏ ସଜାଡ଼ି ହୋଇନି ଏରସମା!

ଏରସମା: ୨୨ବର୍ଷ ପରେ ବି ମହାବାତ୍ୟା ପ୍ରପୀଡ଼ିତଙ୍କ ଦୁର୍ଦ୍ଦଶା ଶେଷ ହୋଇନାହିଁ। ଏରସମା ବ୍ଲକ୍‌ ଗଡ଼ବିଷୁନପୁର ପଞ୍ଚାୟତ ଦହିବର ଓ ନଳଭେଡ଼ି ଗାଁର ଅନେକ ଲୋକ ଆଜି ବି ଭଙ୍ଗା ଚାଳଘରେ ନିଜ ପରିବାରକୁ ଧରି ଜୀବନ ବିତାଉଛନ୍ତି। ମହାବାତ୍ୟାରେ ଦହିବର ଓ ନଳଭେଡ଼ି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଆଜିପର୍ଯ୍ୟନ୍ତ ନଳଭେଡ଼ି ଗ୍ରାମ ରାସ୍ତା ସୁଗମ ହୋଇନାହିଁ। ଗାଁକୁ ଭଲ ରାସ୍ତା ଅଛି ନା ପିଇବା ପାଣି, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନେକଥର ପ୍ରଶାସନ ନିକିଟରେ ଅଭିଯୋଗ କରିବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗାଁର ଚନ୍ଦନ କରଣ, ଧନଞ୍ଜୟ ପାତ୍ର, ଚିତ୍ତ ମାଇତି, ଅଶୋକ ମଣ୍ତଳ, ନନ୍ଦ ଭୌମିକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ପଞ୍ଚାୟତ ଅନ୍ତର୍ଗତ ଦାସମଠ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଗାଁର ଲୋକେ ସରକାରଙ୍କ ଅନେକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ବାତ୍ୟା ଆସିଲେ ୪କିମି ଦୂର ଗଡ଼ବିଷୁନପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ଗାଁକୁ ଯିବା ପାଇଁ ନଦୀବନ୍ଧ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି।

ବର୍ଷାଦିନ ହେଲା ଦୁର୍ଦ୍ଦଶା ବଢ଼ିଯାଏ, ମହାବାତ୍ୟା ପରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଘର ଯୋଗାଇ ଦିଆଯାଇଥିଲା। ସେହି ଘର ସବୁ ଭାଙ୍ଗିରୁଜି ଗଲାଣି। ଗାଁର ନାରାୟଣ ସିଂହ, ବରୁଣ ସିଂହ, ପୁନ ସିଂହ, ବଳରାମ ମଣ୍ତଳ, ମିଥୁନ ମଣ୍ତଳ, ନିମାଇଁ ମଣ୍ତଳ, ଦୀପକ ମଣ୍ତଳ, ପ୍ରବୀର ଦାସ ଭଳି ଅନେକ ଲୋକ ଚାଳଘରେ ବସବାସ କରୁଛନ୍ତି। ଗାଁରେ ସ୍ଥାୟୀ ରାସ୍ତା ଓ ବାତ୍ୟାଆଶ୍ରୟସ୍ଥଳୀ ଏବଂ ଚାଳଘରେ ରହୁଥିବା ଗ୍ରାମବାସୀଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଦୀପକ ଦାସ, ଆନନ୍ଦ ମାଇତି ପ୍ରମୁଖ ଦାବି କରିଛନ୍ତି। ନାରଦିଆ ପଞ୍ଚାୟତ ପଞ୍ଚପଲ୍ଲୀ ଗ୍ରାମରୁ ସୋମପୁର ପଞ୍ଚାୟତ ସୋମପୁର ବଜାର ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗ୍ରାମବାସୀ ବ୍ଲକ୍‌ ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ। ଏହା ସହିତ ଝାଟିପାରି ଖୋଳପ, ଦହିବର, ସୁନାଡିହାରେ ୩୬୦ ପରିବାର ଜଙ୍ଗଲ ଜମିରେ ବସବାସ କରୁଥିବା ଲୋକମାନଙ୍କୁ ଜମି ଯୋଗାଇ ଦିଆଯାଇ ନାହିଁ। ମହାବାତ୍ୟାରେ ଜପା ପଞ୍ଚାୟତରେ ସର୍ବାଧିକ ୨୨୦୦ ଲୋକ ଏବଂ ଦହିବର ଗ୍ରାମରେ ୫୬୦ଜଣ ମୃତ୍ୟୁବରଣ କରିଥିଲେ। ଦହିବର ଓ ନଳଭେଡ଼ି ଅଞ୍ଚଳର ୩୦୦ରୁ ଅଧିକ ଲୋକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨୭୦ ଜଣଙ୍କ ମୃତଦେହ ମିଳିଥିଲା। ନଳଭେଡ଼ି ଗାଁର ୩ଟି ପରିବାରର ୧୨ଜଣ ଲୋକ ଖଟିକୋଳଦା ଗାଁକୁ ଆସୁଥିବା ବେଳେ ଭାସି ଯାଇଥିଲେ। ଏମାନଙ୍କ ମଧ୍ୟରୁ କେବଳ ବିଶ୍ବନାଥ ଦାସ ଓ କବିତା ଭୂୟାଁ ପହଁରି ପହଁରି କୂଳରେ ଲାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe