ଚଣ୍ଡିଖୋଲ: ବର୍ଷବର୍ଷ ଧରି ବନ୍ଦାଳ-ଏଣ୍ଡରପଦା ରାସ୍ତା ନିର୍ମାଣ ହୋଇପାରୁନାହିଁ। ଏହାର ପ୍ରତିବାଦରେ ଉନ୍ନୟନ କମିଟି ପକ୍ଷରୁ ଆଜି ବଡ଼ଚଣା ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଉପରେ ଯାଜପୁର ଜିଲ୍ଲାର ୬ ଟି ପଞ୍ଚାୟତ ଓ ଢେଙ୍କାନାଳ ଜିଲ୍ଲାର ୪ ଟି ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ୫ ବର୍ଷ ପୂର୍ବରୁ ଏହା ଶୋଚନୀୟ ହୋଇପଡ଼ିଥିଲା। ଏହାର ଉନ୍ନତୀକରଣ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଠିକାଦାର ନିଜେ କାର୍ଯ୍ୟ ନକରି ଅନ୍ୟଜଣେ ପେଟି ଠିକାଦାରକୁ ରାସ୍ତା ନିର୍ମାଣ ଦାୟିତ୍ୱ ଦେଇଥିଲେ। ସେ ଠିକ ଭାବେ କାମ କରି ନପାରି ଅଧାପନ୍ତରିଆ ପକାଇ ଛୁ ମାରିଥିଲେ। ସେବେଠାରୁ ଏହି ରାସ୍ତା ସେମିତି ଶୋଚନୀୟ ହୋଇ ପଡ଼ି ରହିଛି। ଲୋକମାନେ ଯାତାୟାତ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଠିକାଦାରଙ୍କୁ ଦାୟୀ କରି ରାସ୍ତା ଉନ୍ନୟନ କମିଟିର କର୍ମକର୍ତ୍ତା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ତୁରନ୍ତ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ଦାବି କରିଥିଲେ।
ବିଭାଗ ଏନେଇ କୌଣସି ପଦକ୍ଷେପ ନନେବାରୁ ଆଜି ଉନ୍ନୟନ କମିଟି କର୍ମକର୍ତ୍ତା ଗୋକୁଳାନନ୍ଦ ଶତପଥୀ, ରମେଶ ଚନ୍ଦ୍ର ପଢ଼ିହାରି, ଶ୍ରୀଚରଣ ମଲ୍ଲିକ, କୈଳାସ ନାୟକ, ସମୀର ରାଉତ, ସୁଜାତା ବଳ, ବସନ୍ତ ରାଉତ, ମନ୍ମଥ କୁମାର ନନ୍ଦ, ପରମାନନ୍ଦ ମହାରଣା, ବୀରବର ମଲ୍ଲିକ, ଖଗେଶ୍ୱର ମହାନ୍ତି, ଅଜୟ ସ୍ୱାଇଁ, ଲକ୍ଷ୍ମୀଧର ରାଉତ ଓ ଧ୍ରୁବ ଚରଣ ରାଉତଙ୍କ ସମେତ ବହୁ ସଦସ୍ୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଇନଜୀବୀ ଉଦୟନାଥ ସାହୁ ପହଞ୍ଚି ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଉପସ୍ଥିତ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ବିଜେପି ନେତା ଅମର ନାୟକ ସେଠାରେ ପହଞ୍ଚି ପୂର୍ତ୍ତ ବିଭାଗର ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏକମାସ ମଧ୍ୟରେ କାମ କରାଯିବ ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧାରାଣୀ ଦାସ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧରଣା ପ୍ରତ୍ୟାହୃତ ହୋଇଥିଲା।
Follow Us