ଚନ୍ଦ୍ରଶେଖରଙ୍କ ବଦଳରେ ବିମାନରେ ଯିବ ବାଲୁଙ୍କେଶ୍ବରଙ୍କ ଆଜ୍ଞାମାଳ

ଚନ୍ଦ୍ରଶେଖରଙ୍କ ବଦଳରେ ବିମାନରେ ଯିବ ବାଲୁଙ୍କେଶ୍ବରଙ୍କ ଆଜ୍ଞାମାଳ

OdiaPortal.IN

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ପ୍ରତାପଶାସନ ଗ୍ରାମର ଆରାଧ୍ୟ ଦେବତା ବାଲୁଙ୍କେଶ୍ବର ମନ୍ଦିରରୁ ଚନ୍ଦ୍ରଶେଖର ଏବଂ ଦେବୀ ପାର୍ବତୀଙ୍କ ପ୍ରାଚୀନ ଅଷ୍ଟଧାତୁ ପ୍ରତିମୂର୍ତ୍ତି ଚୋରି ହେବାର ଏହା ମଧ୍ୟରେ ଦୀର୍ଘ ୧ ମାସ ୧୧ ଦିନ ବିତିଯାଇଥିଲେ ମଧ୍ୟ ଚୋରି ପ୍ରତିମୂର୍ତ୍ତି ଏଯାଏ ଉଦ୍ଧାର ହୋଇପାରି ନାହିଁ। ଦୋଳ ମେଳଣ ପୂର୍ବରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ନୂଆ ମୂର୍ତ୍ତି କିଣାଗଲା ନାହିଁ। ଫଳରେ ବାଳକାଟି ପଞ୍ଚୁଦୋଳ ମେଳଣରେ ବିମାନରେ ଚନ୍ଦ୍ରଶେଖର ବିଜେ କରି ଶ୍ରଦ୍ଧାଳୁଙ୍କ ଘରକୁ ଭୋଗ ଖାଇବାକୁ ଯିବେ ନାହିଁ। ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ବଦଳରେ ବିମାନରେ ତାଙ୍କର ଆଜ୍ଞାମା‌ଳ ନେଇ ଭୋଗଖିଆ ନୀତି ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ବାଲୁଙ୍କେଶ୍ବର ମନ୍ଦିରରୁ ଗତ ଫେବ୍ରୁଆରୀ ମାସ ୨ ତାରିଖ ରାତିରେ ବିଗ୍ରହ ଚୋରି ଯାଇଥିଲା। ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କୁ ୪ଦେଶ ମୁରବି ଏନେଇ ଯୋଗାଯୋଗ କରିଥିଲେ। ମୁକ୍ତିମଣ୍ଡପ ପଣ୍ଡିତମାନେ ଆଜ୍ଞାମାଳ ବିମାନରେ ନେଇ ଭୋଗ ଖାଇବାକୁ କହିଥିଲେ। ସୂଚନା ଅନୁସାରେ ଆସନ୍ତା ୨୩ ତାରିଖରେ ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ନେଇ ଜମାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୨୪ ଏବଂ ୨୫ ତାରିଖ ଦୁଇଦିନ ଧରି ମେଳଣ ଅନୁଷ୍ଠିତ ହେବ। ଏନେଇ ଆଜି ପ୍ରତାପଶାସନ ପଞ୍ଚାୟତ ସଭା କକ୍ଷରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ରୀନା ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ପୂର୍ବ ପ୍ରସ୍ତୁତି ବୈଠକରେ ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ ଅଧ୍ୟକ୍ଷତା କରିଥିଲେ।

ବୈଠକ ଆଲୋଚନରୁ ଜଣାପଡ଼ିଛି, ଚଳିତବର୍ଷ ପଞ୍ଚୁଦୋଳ ମେଳଣ ପର୍ବ ଅଧୀନ ସରସ ସୁନ୍ଦର ଭାବେ କରାଯିବ। ଦୁଇଦିନ ଧରି ଯାତ୍ରା ପରିବେଷଣ ହେବ। କରୋନା କଟକଣା କୋହଳ ଯୋଗୁ ଚଳିତ ବର୍ଷ ଆକର୍ଷଣୀୟ ଶୋଭାଯାତ୍ରା ଆୟୋଜନ ହେବ। ଆଖପାଖ ଅଞ୍ଚଳର ୫୨ଟି ବିମାନ ମେଳଣ ମଣ୍ଡପକୁ ଆସିବେ। ପରମ୍ପରା ଅନୁଯାୟୀ ବା‌ଲୁଙ୍କେଶ୍ବର ଏକାଦଶୀ ଦିନ ରାତି ୧୧ଟାରୁ ସ୍ବପ୍ନେଶ୍ବର ଆଜ୍ଞାମାଳ, ରୂପାପାତ୍ରରେ ଗଳିଗୁଆ ସ୍ଥାପନ କରି ବିମାନରେ ବିଜେ କରିବେ। ସେଠାରୁ ପୁରୁଣା ମକଦ୍ଦମ ସାହି ଦୋଳଗୋବିନ୍ଦ ମନ୍ଦିରରୁ ରାଧା କୃଷ୍ଣଙ୍କ ଚଳନ୍ତି ପ୍ରତିମା ସହ ପଣସପାଟଣା ସ୍ଥିତ ଥାନ ପତି ସ୍ବପ୍ନେଶ୍ବର ମହାଦେବଙ୍କ ସହ ଗାଁ ପରିକ୍ରମା କରି ଭୋଗ ଖାଇବେ। ସେହିପରି ପୂର୍ଣ୍ଣିମା ଦିନ ଅପରାହ୍ନରେ ଦୋଳମଣ୍ଡପ ନିକଟରେ ମେଣ୍ଢାକୁଡ଼ିଆ ପୋଡ଼ାଯିବା ପରମ୍ପରା ରହିଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଗଙ୍ଗାଧର ବେହେରା, ପୂର୍ବତନ ସରପଞ୍ଚ କପିଳ ମହାରଣା, ସୁରେନ୍ଦ୍ର ନାଥ ବେହେରା, ଗଗନ ବେହେରା, ନାଏବ ସରପଞ୍ଚ ଅରୁଣ ସାହୁ ଏବଂ ଗଜେନ୍ଦ୍ର ସାହୁଙ୍କ ସମେତ ସମାଜସେବୀ ବେଣୁଧର ଭୋଇ ତଥା ଚାରିଦେଶ ମୁରବି ମାନେ ଉପସ୍ଥିତ ଥିଲେ। ମେଳଣ ଉଦଯାପନୀ ଦିବସ ତଥା ହରିହର ଭେଟ ରାତିରେ ଆତସବାଜି ପ୍ରତିଯୋଗିତା ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe