୬୦ବର୍ଷ ପରେ ବି ଉଡିଲାନି ଜୟପୁରରୁ ବିମାନ, ଧନପୁର ଶାଖା କେନାଲ ଘୁଞ୍ଚିବା ପ୍ରକ୍ରିୟା ଜାରି

Advertisment

୧୨୦୦ ରୁ ୧୪୦୦ ମିଟର ହେବ ରନୱେ

୧୨୦୦ ରୁ ୧୪୦୦ ମିଟର ହେବ ରନୱେ

୬୦ବର୍ଷ ପରେ ବି ଉଡିଲାନି ଜୟପୁରରୁ ବିମାନ, ଧନପୁର ଶାଖା କେନାଲ ଘୁଞ୍ଚିବା ପ୍ରକ୍ରିୟା ଜାରି

Sambad

ଜୟପୁର: କେନ୍ଦ୍ରସରକାରଙ୍କ ‘ଉଡେ ଦେଶକା ଆମ ନାଗରିକ’ ‘ଉଡାନ’ ଯୋଜନାରେ କୋରାପୁଟ ଜିଲ୍ଲା ଜୟପୁର ଏୟାରପୋର୍ଟକୁ ଗତ ୬ବର୍ଷ ତଳୁ ସାମିଲ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିବା ଏବଂ ରାଜ୍ୟସରକାର ଏହି କାମକୁ ପ୍ରାଥମିକତା ଦେଉଥିବାରୁ ଏହି ବର୍ଷ ହିଁ ଏଠାରୁ ବିମାନ ଉଡିବ ବୋଲି ଆଶା କରାଯାଉଥିଲା। ବର୍ତ୍ତମାନ ଏଠାକାର କାମ କେବେ ଶେଷ ହେବ ଏବଂ ଏଠାରୁ କେବେ ଲୋକେ ବିମାନରେ ବସି ‌ରାଜ୍ୟର ରାଜଧାନୀ ଭୁବନେଶ୍ବର, ବିଶାଖାପାଟଣା, ରାୟପୁର ଆଦି ସହରକୁ ଆକାଶରେ ଉଡି ଉଡି ଯିବେ ତାହା ସ୍ପଷ୍ଟ ଭାବେ କୌଣସି ପ୍ରଶାସନିକ କିମ୍ବା ବୈଷୟିକ ଅଧିକାରୀ ବି କହି ପାରୁନାହାଁନ୍ତି। ବାରମ୍ବାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୂର୍ତ୍ତବିଭାଗର ଯନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦି ସମୀକ୍ଷା ଏବଂ ତଦାରଖ କରି ଆସୁଥିଲେ ହେଁ ଦିନକୁ ଦିନ ଏହାର କାମ ଯେଭଳି ସରିବା କଥା ସରୁ ନାହିଁ। ସୂଚନାଯୋଗ୍ୟ, ଉଡାନ ଯୋଜନାରେ ଜୟପୁର ସାମିଲ ହେବା ପରେ ପ୍ରଥମେ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା କରିବାକୁ ଯୋଜନା କରାଯାଇଥିଲା। ଏହାର ନିର୍ମାଣ କାମ ସରିବାର ଅଳ୍ପ ଦିନ ପରେ ପୁଣି ରନୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର କରିବା ସହ ଭିତ୍ତିଭୁମିର ସାମାନ୍ୟ ବିକାଶ କରିବାକୁ ଯୋଜନା ହୋଇଥିଲା। ଏହାର କାମ ବି ଏହାରି ମଧ୍ୟରେ ସରିଛି। ପ୍ରଥମେ ଛୋଟ ବିମାନ ଚଳାଚଳ ପାଇଁ ଯୋଜନା କରାଯାଇଥିଲା। ତେବେ ଛୋଟ ବିମାନ ଏଠାକୁ ଆସିଲେ ବ୍ୟବସାୟିକ ଦୃଷ୍ଟି କୋଣରୁ ଲାଭ ହେବ ନାହିଁ ଏବଂ ଅଳ୍ପ କିଛିଦିନ ମଧ୍ୟରେ ବିଡର ନିଜ ବିମାନ ଚଳାଚଳକୁ ବନ୍ଦ କରି ଦେବା ସମ୍ଭାବନାକୁ ଦୃଷ୍ଟିରେ ରଖି ରନୱେକୁ ଆଉ୨୦୦ ମିଟର ବୃଦ୍ଧି କରିବାକୁ ଯୋଜନା କରାଯାଇଥିଲା।

ପୂର୍ବରୁ ଥିବା ୧୨୦୦ ମିଟର ରନୱେରୁ ୧୪୦୦ ମିଟର ରନୱେ କରିବାକୁ ପୁଣି ଯୋଜନା ହୋଇଥିଲା। ଏଥିପାଇଁ ଅଧିକା ଜମି ଆବଶ୍ୟକ ପଡ଼ୁଥିବାରୁ ଧନପୁର ଶାଖା କେନାଲରେ ଟନେଲରେ ପାଣି ଛଡାଯିବା ସହ ଟନେଲ ଉପରେ ୨୦୦ ମିଟରର ବ୍ରିଜ୍ ନିର୍ମାଣ କରି ସମତୁଲ କରାଯିବାକୁ ଯୋଜନା ହୋଇଥିଲା। ଏବଂ ଏହି ପ୍ରକ୍ରିୟା ଏବେ ଜାରି ରହିଛି। ଏହାସହ କେନାଲ ପାର୍ଶ୍ବର ଜମିକୁ ବି ଅଧିଗ୍ରହଣ କାମ ସରିଛି। ସମ୍ପୂର୍ଣ୍ଣ କାମ ସରିବାକୁ ପ୍ରାୟ ୬ ମାସ ସମୟ ଲାଗିବ। ତେବେ ବର୍ଷାଦିନ ଆସିବା ପୂର୍ବରୁ କାମ ଶେଷ ହେଲେ ଏହି ବର୍ଷର ଶେଷ ଆଡ଼କୁ ବିମାନ ଚଳାଚଳ ଆରମ୍ଭ ହୋଇ ପାରେ। ନଚେତ, ଆସନ୍ତା ବର୍ଷ, ଅର୍ଥାତ ୨୦୨୩ ସୁଦ୍ଧା ସରିବ ବୋଲି କହିଛନ୍ତି ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଭାଷ୍କର ଚନ୍ଦ୍ର ସାମନ୍ତରାୟ ଓ ଏସଡିଓ ଇଂ. ବିଜୟ ବେହେରା। ଏହି ସ୍ଥିତିରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ବପ୍ନ ପୁରଣ ପାଇଁ ଆଉ କେତେ ବର୍ଷ ଲାଗିବ ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe