ବିନାରାସ୍ତାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରାଚୀର ନିର୍ମାଣ, ପ୍ରତିବାଦରେ ସମୂହ ଔଷଧ ଦୋକାନ ବନ୍ଦ

ଆଲୋଚନା ପରେ ସମାଧାନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

ବିନାରାସ୍ତାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରାଚୀର ନିର୍ମାଣ, ପ୍ରତିବାଦରେ ସମୂହ ଔଷଧ ଦୋକାନ ବନ୍ଦ

Sambad

ଖୋର୍ଦ୍ଧା: ପ୍ରାଚୀର ବିହୀନ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାଚୀର ନିର୍ମାଣକୁ ନେଇ ଦୀର୍ଘ ୧୫ ବର୍ଷ ଧରି ବିବାଦ, କୋର୍ଟରେ ମାମଲା ଆଦି ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ଘଟିବା ସହ ଗତକାଲି ପ୍ରାଚୀର ନିର୍ମାଣ ଶେଷ ହୋଇଛି। ତେବେ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଦୋକାନ ଗୁଡ଼ିକୁ ରାସ୍ତା ଦିଆଯାଇ ନଥିବା ପ୍ରତିବାଦରେ ଆଜି ହସ୍ପିଟାଲ ନିକଟରେ ଥିବା ଦୋକାନୀ ଓ ଖୋର୍ଦ୍ଧା ସହରର ଔଷଧ ଦୋକାନୀ ଦୋକାନ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି। ଆଜି ସକାଳେ ହସ୍ପିଟାଲ ପରିସରରେ ନିକଟରେ ଥିବା ୧୮ଟି ଔଷଧ ଦୋକାନ, ୨ଟି ନର୍ସିଂ ହୋମ ଓ ୨୩ଟି ଅନ୍ୟ ଦୋକାନର ମାଲିକ ମାନେ ଜମା ହୋଇଥିଲେ। ସେମାନଙ୍କ ଅଭିଯୋଗ ହେଲା, ସେମାନେ ଏଠାରେ ଦୀର୍ଘବର୍ଷ ଧରି ବ୍ୟବସାୟ କରୁଛନ୍ତି। ଯେତେବେଳେ ହସ୍ପିଟାଲ କର୍ତ୍ତୃପକ୍ଷ, ବିଧାୟକ ଓ ଅନ୍ୟ ଜିଲ୍ଲାଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ସେମାନଙ୍କ ଦୋକାନ ପାଇଁ ରାସ୍ତା ଛଡ଼ାଯିବ। କିନ୍ତୁ ଆଜି ନିିର୍ମାଣ ବେଳେ ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି। ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ ସେମାନଙ୍କ ଦୋକାନକୁ ଯିବା ପାଇଁ ରାସ୍ତା ଦିଆଯାଇ ନଥିବାର ପ୍ରତିବାଦ କରିଥିଲେ।

ସେମାନଙ୍କୁ ସମର୍ଥନ ଜଣାଇ ସହରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଔଷଧ ଦୋକାନ ବନ୍ଦ ରହିଥିଲା। ଫଳରେ ଅନେକ ରୋଗୀ ଓ ସମ୍ପର୍କୀୟ ଆବଶ୍ୟକ ଔଷଧ ନପାଇ ହଇରାଣର ସମ୍ମୁଖୀନ ହୋଇଥିଲେ। ସାଢ଼େ ୧୧ଟାରେ ଦୋକାନୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳକୁ ସାକ୍ଷାତ କରିଥିଲେ। ଆଲୋଚନାରେ ତହସିଲଦାରଙ୍କ ସହ ଆଲୋଚନା କରି ତୁରନ୍ତ ରାସ୍ତା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଔଷଧ ଦୋକାନ ଗୁଡ଼ିକ ଖୋଲିଥିଲା। ସୂଚନାଯୋଗ୍ୟ ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ହସ୍ପିଟାଲ ଚାରିପଟରେ ଥିବା ଦୋକାନ ଗୁଡ଼ିକୁ ରାସ୍ତା ଦିଆଯିବା ନେଇ ଅଧାପନ୍ତରିଆ ହୋଇ ପଡ଼ିରହିଥିଲା। ଗତକାଲି ୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଏସ୍‌ଡ଼ିପିଓ ସୁଶୀଲ ମିଶ୍ର, ଟାଉନ୍ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଚିକିତ୍ସାଳୟର କାନ୍ଥ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe