ସବୁ ଜଳଉତ୍ସ ଫେଲ ମାରିଲା: ଶେଷରେ ପରିତ୍ୟକ୍ତ କୂଅ ଶୋଷ ମେଣ୍ଟାଉଛି

ସବୁ ଜଳଉତ୍ସ ଫେଲ ମାରିଲା: ଶେଷରେ ପରିତ୍ୟକ୍ତ କୂଅ ଶୋଷ ମେଣ୍ଟାଉଛି

ଝାରସୁଗୁଡ଼ା: ମାଟି ଖୋଳିଲେ ପାଣି ବାହାରୁ ନାହିଁ। ଅନେକ ନଳକୂଅ ଖୋଳାଯାଇଛି ହେଲେ ସେଥିରେ ପାଣି ବାହାରୁ ନାହିଁ। ଭୂତଳ ଜଳ ନିମ୍ନଗାମୀ ହୋଇ ପଡ଼ିଥିବାରୁ ସେଥିରେ ପାଣି ବାହାରୁନାହିଁ। ଯେଉଁ ନଳକୂଅରେ ପାଣି ବାହାରୁଥିଲା ସେଥିରେ ବୈଷୟିକ ତୃଟି ଯୋଗୁଁ ତାହା ମଧ୍ୟ ଅଚଳ ହୋଇଗଲା। ଗୋଟିଏ ପଟେ ପ୍ରକୃତି ଓ ଅନ୍ୟପଟେ ବିଜ୍ଞାନ ସବୁ ଯେପରି ଦାଉ ସାଧିଛି କନ୍ଦାକୁଡ଼ା ଗାଁରେ। ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ସୁନ୍ଦରଗଡ଼କୁ ଲାଗିକି ରହିଛି ଚାନ୍ଦନୀମାଲ ପଂଚାୟତର କନ୍ଦାକୁଡ଼ା ଗ୍ରାମ। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମରେ ଥିବା ତିନୋଟି ପଡ଼ାରେ ରହୁଛନ୍ତି ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପରିବାର। ବର୍ଷ ବର୍ଷ ଧରି ଏହି ଗ୍ରାମରେ ଜଳକଷ୍ଟ ଲାଗି ରହିଛି ।

ଜଳ ଯୋଗାଣ ପାଇଁ ଅନେକ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନାହିଁ। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଅଚଳ ହେବା ପରେ ଏବେ ଗ୍ରାମରେ ଥିବା ଏକମାତ୍ର ପରିତ୍ୟକ୍ତ କୂଅ ଲୋକଙ୍କ କାମ‌ରେ ଆସୁଛି। ତେବେ ଯେଭଳି ଗ୍ରୀଷ୍ମ ପ୍ରବାହ ହେଉଛି ଏହି କୂଅ ମଧ୍ୟ ଶୁଖିବା ଉପରେ। ଖଣି ଖାଦାନରେ ଭରିଥିବା ବ୍ରଜରାଜନଗର ଅଞ୍ଚଳ ତାର ବୁକୁ ଚିରି ବର୍ଷବର୍ଷ ଧରି ଜାତୀୟ ରାଜକୋଷକୁ ସମୃଦ୍ଧ କରି ଆସୁଥିବା ବେଳେ ସେହି ଅଞ୍ଚଳର ଲୋକ ପାଣି ମୁନ୍ଦାଏ ପାଇଁ ଏବେବି ଡହକବିକଳ ହୋଇଥାନ୍ତି। କନ୍ଦାକୁଡ଼ା ଗ୍ରମାବାସୀଙ୍କୁ ସକାଳ ପାଇଲେ ପାଣିଚିନ୍ତା ଘାରେ। ଗ୍ରାମର ମହିଳା, ପୁରୁଷ, ଯୁବକ, ଯୁବତୀ ସମସ୍ତେ ପାଣି ପାଇଁ ଟ୍ୟାଙ୍କର ଆସିବା ବାଟକୁ ଲାଇନ ଲଗାଇ ଅପେକ୍ଷା କରିଥାନ୍ତି। ଯେଉଁ ଦିନ ଟ୍ୟାଙ୍କର ଆସିବାରେ ବିଳମ୍ବ ହେଲା ସେଦିନ ଲୋକଙ୍କ ସବୁ କାମ ବାଧାପ୍ରାପ୍ତ ହୋଇଥାଏ। ଏହି ଗ୍ରାମର ଜୋରଖଣ୍ଡିଆ ପଡ଼ାରେ ୬ ଗୋଟି ନଳକୂଅ ଖୋଳାଯାଇଥିଲା ମାତ୍ର ସେଥିରୁ ଗୋଟିଏରୁ ପାଣି ବାହାରିବାରୁ ଏହା ଉପରେ ଲୋକ‌େ ନିର୍ଭର କରୁଥିଲେ ମାତ୍ର ବିଭିନ୍ନ ସମୟରେ ଏଠାରୁ ନାଲି ରଙ୍ଗର ପାଣି ବାହାରୁ ଥିବାରୁ ତାହା ମଧ୍ୟ ବ୍ୟବହାର ଉପଯୋଗୀ ହୋଇନଥାଏ।

publive-image

ମଝିପଡ଼ାରେ ଥିବା ଏକ ନଳକୂଅରୁ ଭଲ ପାଣି ବାହାରୁଥିବାରୁ ଏହା ସମଗ୍ର ଗାଁକୁ ଜଳ ଯୋଗାଉଥିଲ। ପରେ ଏହି ନଳକୂଅରେ ସୋଲାରପମ୍ପ ଲଗାଇ ଜଳଯୋଗାଣ କରାଯାଇଥିଲା। ମାତ୍ର ଗତ ଏକ ବର୍ଷ ତଳେ ଏହି ସୋଲାର ସିଷ୍ଟମ ଅଚଳ ହୋଇପଡ଼ିଥିଲା। ଏହାକୁ ମରାମତି ପାଇଁ ଉଦ୍ୟମ କରାଯାଇଥିଲା ମାତ୍ର ନଳକୂଅ ଭିତରେ ଥିବା ପମ୍ପ ଆଉ ପଦାକୁ ବାହାରିନଥିଲା। ତାହା ଭିତରେ ଲଟକି ରହିବାରୁ ଜଳଯୋଗାଣ ଆଉ ସମ୍ଭବ ହୋଇନଥିଲା। ତେଣୁ ଏହି ନଳକୂଅ ପାଖରେ ଦୁଇଟି ନଳକୂଅ ଖୋଳାଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରିନଥିଲା। ଫଳରେ ଏହି ପ୍ରକଳ୍ପ ମଧ୍ୟ ଫେଲ ମାରିଥିଲା। ଏହାପରେ ଟ୍ୟାଙ୍କର ଯୋଗ‌େ ଗାଁକୁ ଗୋଟିଏ ଟ୍ୟାଙ୍କ ପାଣି ଯୋଗାଇ ଦିଆଯାଉଛି। ଯାହାକି ଗ୍ରାମର ସବୁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରି ପାରୁନାହିଁ।

ଏଭଳି ପାଣି ସମସ୍ୟା ଉଗ୍ରରୂପ ନେଉଥିବା ବେଳେ ଗ୍ରାମବାସୀ ଦୀର୍ଘ ବର୍ଷ ପରିତ୍ୟକ୍ତ ହୋଇ ପଡ଼ିଥିବା ଏକ ଖୋଲାମୁହଁ କୂଅକୁ ସଫା କରି ତାର ପାଣିକୁ ବିଶୋଧନ କରି ବ୍ୟବହାର କରି ଆସୁଥିଲେ। ମାତ୍ର ଗ୍ରୀଷ୍ମପ୍ରବାହ ଯେଭଳି ଭାବରେ ହେଉଛି ଏହି କୂଅର ପାଣି ମଧ୍ୟ ଧିରେ ଧିରେ ଶୁଖି ଗୋଳିଆ ହେବାରେ ଲାଗିଛି। ଏହି କୂଅ ଶୁଖିଗଲେ ଗ୍ରାମରେ ପାଣିର ଆଉ ବିକଳ୍ପ ନାହିଁ ବୋଲି କହିଛନ୍ତି ସେହି ଗ୍ରାମର ବୟସ୍କ ବ୍ୟକ୍ତି ପବିତ୍ର ଧରୁଆ ଓ ଈଶ୍ବର ଧରୁଆ। ପ୍ରଶାସନ ଏହି ଗ୍ରାମରେ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe