ବଣାଇଗଡ଼: ସହି ପାରିଲେନି ଛାତ୍ରାବାସର ଅବ୍ୟବସ୍ଥା। ବାରମ୍ବାର ଅଭିଯୋଗ କଲେ ବି ସୁଧାର ଆସିଲାନି। ତେଣୁ ଛାତ୍ରାବାସ ଛାଡ଼ିବାକୁ ନିଷ୍ପତ୍ତିନେଇ ଅଧରାତିରେ ପଳାଇଗଲେ ୧୫ ଜଣ ନାବାଳକ ସ୍କୁଲ୍‌ ଛାତ୍ର। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ଏପରି ସମ୍ବେଦନଶୀଳ ଘଟଣା ଘଟିଛି ବଣାଇ ଉପଖଣ୍ଡ ଲହୁଣିପଡ଼ା ବ୍ଲକ୍‌ ଅନ୍ତର୍ଗତ ସିହିଡିହା ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ। 

Advertisment

ସୂଚନା ଅନୁସାରେ ସିହିଡିହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି। ବର୍ତ୍ତମାନ ସେଥିରେ ୩୭ ଜଣ ଛାତ୍ର ରହି ପଢୁଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟାଳୟର ୧୫ ଜଣ ଛାତ୍ର ଛାତ୍ରାବାସ ଛାଡ଼ି ପଳାଇ ଯାଇଥିବା ଜାଣିବାକୁ ପାଇଥିଲେ ରୋଷେୟା ତଥା ଜଗୁଆଳି ଅମିତ ପ୍ରଧାନ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଖବର ଦେବାପରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ।

ଅନ୍ୟପକ୍ଷରେ ଛାତ୍ରମାନେ ରାତିରେ ଚାଲିଚାଲି ବାରକୋଟ ଅଭିମୁଖେ ଯାଉଥିବାବେଳେ ଆମ୍ବ ଗାଁ ନିକଟରେ ଜଣେ ବ୍ୟକ୍ତି ଦେଖି ବାରକୋଟ ପୁଲିସକୁ ଖବର ଦେଇଥିଲେ। ଖବରପାଇ ବାରକୋଟର ପୁଲିସ ପାଟ୍ରୋଲିଂ ଦଳ ସେମାନଙ୍କୁ ଉଦ୍ଧାର କରିଥିଲା। ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ସେମାନେ ଆସି ପିଲାମାନଙ୍କୁ ଛାତ୍ରାବାସକୁ ଫେରାଇ ନେଇଥିଲେ।

ବୁଧବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ଥରେ ଏଭଳି ଘଟଣା ଘଟିଥିଲେ ମଧ୍ୟ କୌଣସି ସୁଧାର ଆସିନାହିଁ। ପିଲାଙ୍କୁ ପଚାରିବାରୁ ବିଦ୍ୟାଳୟ ଓ ଛାତ୍ରାବାସର ନାନା ଅବ୍ୟବସ୍ଥା ପ୍ରତିବାଦରେ ସେମାନେ ହଷ୍ଟେଲ ଛାଡ଼ିଥିବା କହିଛନ୍ତି।

ସରକାର ଗରିବ ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରକୃତରେ ତାହା କାର୍ଯ୍ୟକାରୀ ହେଉ ନଥିବାରୁ ଆଜି ଏଭଳି ଅବସ୍ଥାରେ ପିଲାମାନେ ଦିନ କାଟୁଛନ୍ତି ବୋଲି ଅଭିଯୋଗ ହେଉଛି।

ଏସମ୍ପର୍କରେ ଖବର ପାଇ ବଣାଇ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାବୁଲାଲ ମାହାନ୍ତ ସ୍କୁଲରେ ପହଞ୍ଚି ଛାତ୍ରଙ୍କ ଅବସ୍ଥା ନିରୀକ୍ଷଣ କରିଛନ୍ତି। ଏ ନେଇ ସ୍କୁଲର ସହକାରୀ ଶିକ୍ଷକ ପ୍ରେମାନନ୍ଦ ସାହୁଙ୍କ ମତାମତ ନିଆଯିବାରୁ ଛାତ୍ରମାନଙ୍କୁ ହଷ୍ଟେଲରେ ଭଲ ନ ଲାଗିବାରୁ ପଳାଇ ଯାଇଥିବା କହିଥିଲେ। ଯଦି ସ୍କୁଲରେ ସବୁ ଠିକ୍‌ ଚାଲିଛି, ତା’ହେଲେ କେଉଁ କାରଣରୁ ଛାତ୍ରମାନେ ଅଧରାତିରେ ପଳାଇଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ଏପଟେ ଯାତ୍ରା ଦେଖା, ସେପଟେ ଘରେ କଳାକନା ବୁଲାଇଲେ ଲୁଟେରା

ଗୁରୁତ୍ବପୂର୍ଣ୍ଣ କଥାହେଲା ବହୁଦିନ ହେବ ଏହି ଅଞ୍ଚଳରେ ହାତୀପଲ ଉପଦ୍ରବ କରୁଥିବାବେଳେ ଏହି ୧୫ ଜଣ ଛାତ୍ର ଜଙ୍ଗଲ ରାସ୍ତାଦେଇ ଚାଲିଚାଲି ବାରକୋଟ ଯାଉଥିଲେ। ଏହା ଚିନ୍ତାର କାରଣ ହୋଇଥିବାବେଳେ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବିହୋଇଛି।

ଏସମ୍ପର୍କରେ ବିଇଓ ସୁନୀଲ ମୁଣ୍ଡୁଙ୍କୁ ପଚାରିବାରୁ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗୁରୁବାର ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବ। ପୁଣି ଶୁକ୍ରବାର ଡିଇଓ ସ୍କୁଲ ପରିଦର୍ଶନ କରି ସମସ୍ତ ବିଷୟର ତଦନ୍ତ କରିବେ ବୋଲି ବିଇଓ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ୧୨ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି