କୁଜଙ୍ଗ: ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଶ୍ବାଳି ଗ୍ରାମର ଉଦୀୟମାନ ଯୁବକ ଅମରେଶ ନରେଶ ସାମନ୍ତଙ୍କୁ ତାଙ୍କ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଉଚ୍ଚପ୍ରଶଂସା କରିଥିଲେ। ଦୀର୍ଘ ୨୫ ବର୍ଷଧରି ଶ୍ରୀ ସାମନ୍ତ ପରିବେଶ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ୫୦ରୁ ଊର୍ଦ୍ଧ୍ବ ଗ୍ରାମ୍ୟ ଏବଂ ସହର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ୧୯୯୫ରେ କୁଜଙ୍ଗ ଥାନା ବିଶ୍ବାଳୀ ଗ୍ରାମର ଯୁବକଯୁବତୀ ମାନଙ୍କୁ ନେଇ ବାବା ବାଲୁଙ୍କେଶ୍ବର ଗ୍ରାମ୍ୟ ବିକାଶ କମିଟି ଗଠନ କରି ଜଙ୍ଗଲ ସୃଷ୍ଟିକରିବା ସହ ବିଭିନ୍ନ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ, କୁଇଜ୍, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ କରିଆସୁଛନ୍ତି। ଗତ ବର୍ଷ ସେ ୪୦୦ କିମି ସାଇକଲ ଚଲାଇ ଉପକୂଳ ଅଂଚଳରେ ପରିବେଶ ସଚେତନତା ସୃଷ୍ଟି କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।
Sambadଏପରିକି ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ରାଜ୍ୟପାଳ ଭବନକୁ ଡକାଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ବାଳୀ ନିବାସୀ ବିଶିଷ୍ଟ ଶିକ୍ଷାବିତ୍ ବସନ୍ତ ସାମଲ ଓ ଅଞ୍ଜଳୀ ପ୍ରଭା ସାମଲଙ୍କ ଏହି ସୁପୁତ୍ର ପାଠପଢା ସମୟରୁ ଅସହାୟ ଲୋକଙ୍କୁ ସହାୟତା, ବୃକ୍ଷରୋପଣ ଆଦି କରି ଆସୁଥିବା ବେଳେ ତାଙ୍କୁ ଏହି କାର୍ଯ୍ୟରେ ବଡଭାଇ ଇଂ. ଅତନୁ ସାମନ୍ତ ଓ ସାନଭାଇ ଡା. ଅମିତାଭ ସାମନ୍ତଙ୍କ ସହ ପରିବାର, ସାଙ୍ଗମାନେ ପ୍ରେରଣା ଯୋଗାଇ ଆସିଛନ୍ତି। ସେ ଏବେ ପାରାଦୀପ ବନ୍ଦରେ ଜଣେ ଯୁବ ଯନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ସେ ଆଜୀବନ ଅବିବାହିତ ରହିଥିବାବେଳେ ନିଜର ଆୟର ସିଂହ ଭାଗ ଏହି କ୍ଷେତ୍ରରେ ବ୍ୟୟ କରିଥାନ୍ତି।
Follow Us