Sambad
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ହୋଇଥିବା ୧୦୮ ଆମ୍ବୁଲାନ୍ସ ଆଜିକୁ ପ୍ରାୟ ଦୁଇ ମାସ ହେବ ଦୁର୍ଘଟଣା ହେବା ପରେ ମରାମତି ପାଇ ପଠାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ମରାମତି ହୋଇ ହୋଇ ପାରି ନାହିଁ। ଫଳରେ ଝରିଗାଁ ବ୍ଳକର ଗୁରୁତର ରୋଗୀ ଏବଂ ଗର୍ଭବତୀ ମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ଯେଉଁ ଉଦ୍ଦେଶ୍ୟ ନେଇ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି ତେବେ ୧୦୮ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ସଂସ୍ଥା (Ziqitza healthcare limited)ର ଅବହେଳା ଯୋଗୁଁ ଝରିଗାଁ ବ୍ଳକରେ ଫଳପ୍ରଦ ହୋଇ ପାରୁ ନାହିଁ। ଆଜି ସକାଳୁ ରକ୍ତ ଶିଙ୍କୁଳିରେ ପୀଡିତ ଝରିଗାଁ ସଦର ମହକୁମାର ମୁକୁତା ହରିଜନର ରକ୍ତ ଅଭାବ ଯୋଗୁଁ ଝରିଗାଁ ଠାରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସ ସେବା ନ ପାଇ ଶେଷରେ ବସରେ ନବରଙ୍ଗପୁର ଯାଇଥିବା ସୂଚନା ରହିଛି।
ସେହିପରି ସାରିଆପୋଡା ଗ୍ରାମର ଜଣେ ରୋଗୀଙ୍କୁ କାଲି ଠାରୁ ସ୍ଥାନାନ୍ତର କରିବା ନେଇ ଡାକ୍ତର ପରାମର୍ଶ ଦେଇଥିବାବେଳେ ଆଜି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ଧହାଡ଼ାମାଲ ଏବଂ ଝରିଗାଁର ରୋଗୀ ଏଯାବତ ଆମ୍ବୁଲାନ୍ସ ସେବା ନ ପାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡି ରହିଛନ୍ତି। ଏଠାରେ ପ୍ରକାଶ ଯେ, ଝରିଗାଁ ବ୍ଳକର ଜନ ସଂଖ୍ୟା ପ୍ରାୟ ଦୁଇ ଲକ୍ଷ ଥିବା ବେଳେ ପ୍ରଶାସନ ପକ୍ଷରୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ଏବଂ ଧୋଡ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି।ଏତେ ଜନ ବହୁଳ ବ୍ଳକରେ ୪ଟା ଆମ୍ବୁଲାନ୍ସର ଆବଶ୍ୟକ ରହିଥିବା ବେଳେ ଦୁଇଟି ଆମ୍ବୁଲାନ୍ସରୁ ଗୋଟିଏ ଆମ୍ବୁଲାନ୍ସ ଅଚଳ ହୋଇ ପଡିଛି। ତେଣୁ ୧୦୮ ଦାୟିତ୍ୱରେ ଥିବା ଅଧିକାରୀ ମାନେ ତୁରନ୍ତ ଅଚଳ ଆମ୍ବୁଲାନ୍ସକୁ ମରାମତି କରିବା ସହ ଝରିଗାଁ ବ୍ଳକରେ ୪ଟା ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ଦାବି ହୋଇଛି।
Follow Us