ଝରିଗାଁ ବ୍ଳକରେ ଥମୁନି ଜନନୀ ଯନ୍ତ୍ରଣା: ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ

Advertisment
ଝରିଗାଁ ବ୍ଳକରେ ଥମୁନି ଜନନୀ ଯନ୍ତ୍ରଣା: ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ପକ୍କା ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରୁନାହିଁ। ଫଳରେ ବ୍ଳକରେ ଜନନୀ ଯନ୍ତ୍ରଣା ଥମିବାର ନା ନେଉ ନାହିଁ। ଆଜି ମଧ୍ୟ ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଶେଷରେ ଜଣେ ପ୍ରସୂତୀ ମହିଳା ଏବଂ ଜଣେ ଗର୍ଭବତୀ ମହିଳା ଦୁଇ କିଲୋମିଟର ଦୂର ଚାଲି ଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିବା ପରେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଭଳି ଅଭାବନୀୟ ଘଟଣା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ରଣ୍ଢାସାହି ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ରଣ୍ଢାସାହି ଗ୍ରାମର ଦେବ ସାନ୍ତାଙ୍କ ସ୍ତ୍ରୀ ନନ୍ଦାଇ ସାନ୍ତା ଏବଂ ବଳିସାନ୍ତାଙ୍କ ସ୍ତ୍ରୀ ଗୁରୁବାରୀ ସାନ୍ତାଙ୍କୁ ଆଜି ସକାଳୁ ଗର୍ଭଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା।

ପରିବାର ଲୋକ ତୁରନ୍ତ ସ୍ଥାନୀୟ ଆଶାଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା ଦିଦି ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସହ ଗର୍ଭବତୀ ମହିଳା ଦ୍ୱୟଙ୍କ ଘରକୁ ପହଞ୍ଚି ଥିଲେ। ଆମ୍ବୁଲାନ୍ସ ମଧ୍ୟ ଖବର ପାଇ ତୁରନ୍ତ ରଣ୍ଢାସାହି ଗ୍ରାମ ଅଭିମୁଖେ ବାହାରିଥିଲା। ତେବେ କାଦୁଅ ରାସ୍ତା ସହ ଖାଲ ଯୋଗୁଁ ରଣ୍ଢାସାହି ଗ୍ରାମରୁ ଦୁଇ କିଲୋମିଟର ଦୂରରେ ଥିବା ପାଙ୍ଗିସାହି ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଶେଷରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ନନ୍ଦାଇ ସାନ୍ତା ନିଜ ଘରେ ପ୍ରସବ ହୋଇ ଯାଇଥିଲେ। ଆମ୍ବୁଲାନ୍ସ ଅଟକି ଯାଇଥିବା ଖବର ପାଇ ପରିବାର ଲୋକ ପ୍ରସୂତୀ ମହିଳା ନନ୍ଦାଇ ଓ ନବଜାତ ଶିଶୁ ପୁତ୍ର ସହ ଗର୍ଭବତୀ ମହିଳା ଗୁରୁବାରୀଙ୍କୁ କାଦୁଅ ରାସ୍ତାରେ ଦୁଇ କିଲୋମିଟର ଚଳାଇ ଚଳାଇ ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ। ଗର୍ଭବତୀ ମହିଳା ଗୁରୁବାରୀ ବହୁ କଷ୍ଟରେ ପ୍ରାୟ ପାଞ୍ଚ ଥର ରାସ୍ତାରେ ବିଶ୍ରାମ ନେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe