ନୟାଗଡ଼ରେ ରେଳ ଅଘଟଣକୁ ନିମନ୍ତ୍ରଣ: କୌଣସି ଷ୍ଟେସନ୍‌ରେ ନାହାନ୍ତି ସିଗ୍‌ନାଲ୍‌ ମେଣ୍ଟେନର୍‌

ଆବଶ୍ୟକ ସୁରକ୍ଷା କର୍ମଚାରୀ ମଧ୍ୟ ନାହାନ୍ତି

ନୟାଗଡ଼ରେ ରେଳ ଅଘଟଣକୁ ନିମନ୍ତ୍ରଣ: କୌଣସି ଷ୍ଟେସନ୍‌ରେ ନାହାନ୍ତି ସିଗ୍‌ନାଲ୍‌ ମେଣ୍ଟେନର୍‌

google.com

ନୟାଗଡ଼ : ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ସିଗ୍‌ନାଲ୍‌ ବ୍ୟବସ୍ଥାର ଏକ ପ୍ରମୁଖ ଭୂମିକା ରହିଛି। ସିଗ୍‌ନାଲ୍‌କୁ ଦେଖି ହିଁ ଲୋକ ପାଇଲଟ୍‌ ‌ଟ୍ରେନ୍‌କୁ ଚଳାଇବେ, ରୋକିବେ ଅବା ଦିଗ ପରିବର୍ତ୍ତନ କରିଥା’ନ୍ତି। ସିଗ୍‌ନାଲ୍‌ ବ୍ୟବସ୍ଥାରେ ସାମାନ୍ୟ ଏପା‌ଖସେପାଖ ମର୍ମନ୍ତୁଦ ଦୁର୍ଘଟଣାକୁ ଡାକି ଆଣିଥାଏ। ନିକଟରେ ବାହାନାଗା ରେଳ ଦୁର୍ଘଟଣା ଶହଶହ ଲୋକଙ୍କ ଜୀବନ ନେଇଥିବା ବେଳେ ସାରାବିଶ୍ବରେ ଉଦ୍‌ବେଗ ପ୍ରକାଶ ପାଇଛି। ଇଣ୍ଟରଲକିଂ, ସିଗ୍‌ନାଲ୍‌ ବ୍ୟବସ୍ଥାରେ ଅବ୍ୟବସ୍ଥା କାରଣରୁ ଏହି ଦୁର୍ଘଟଣା ଘଟିଥିବା ମଧ୍ୟ ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ନୟାଗଡ଼ରେ ଟ୍ରେନ୍‌ ଚଳାଚଳ ନେଇ ଅନେକ କିଛି ଆଶଙ୍କା ପ୍ରକାଶ ପାଇଛି। ଯାହାକୁ ନେଇ ଖୋଦ୍‌ ‌ଷ୍ଟେସନ୍‌ କର୍ମଚାରୀ ମଧ୍ୟ ଅଘଟଣ ଆଶଙ୍କାରେ ରହିଛନ୍ତି। ନୟାଗଡ଼ ଟାଉନ୍‌ ଷ୍ଟେସନ୍‌ଠାରୁ ମହିପୁର, ନୂଆଗାଁ କୌଣସି ବି ଷ୍ଟେସନ୍‌ରେ ସିଗ୍‌ନାଲ୍‌ ମେଣ୍ଟେନର୍‌ ନାହାନ୍ତି। ସିଗ୍‌ନାଲ୍‌ ବ୍ୟବସ୍ଥାରେ ଯଦି କୌଣସି ତ୍ରୁଟି ଦେଖାଯାଏ, ତେବେ ରାଜସୁନାଖଳା, ଖୋର୍ଦ୍ଧାରୁ ସିଗ୍‌ନାଲ୍‌ ମେଣ୍ଟେନର୍‌ଙ୍କୁ ଖୋଜାପଡ଼ୁଛି। ସିଗ୍‌ନାଲ୍‌ ବ୍ୟବସ୍ଥାରେ ତ୍ରୁଟି ଦେଖାଗଲେ ଏହାକୁ ତୁରନ୍ତ ମରାମତି କରିବାର ଆବଶ୍ୟକତା ଥିବାବେଳେ ନୟାଗଡ଼‌‌ରେ ଏହା ସମ୍ଭବ ହୋଇପାରୁନାହିଁ।

publive-image

ଗତ ମାସ ୧୪ ତାରିଖରେ ରାଜସୁନାଖଳାରେ ଲାଇନ୍‌ କ୍ଲିୟର୍‌ ଥିବା ସତ୍ତ୍ବେ ଜଣେ ମଦ୍ୟପ କର୍ମଚାରୀ ସିଗ୍‌ନାଲ ରେଡ୍‌ କରି ଶୋଇପଡ଼ିବାରୁ ନୟାଗଡ଼‌ରେ ମେମୁ ଟ୍ରେନ୍‌ ରାତି ୯ଟା ବଦଳ‌ରେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ସିଗ୍‌ନାଲ ମେଣ୍ଟେନର୍‌ ଭଳି ରେଳ ବିଭାଗରେ ହଜାର ହଜାର ପଦବି ଖାଲି ପଡ଼ିଛି, ଯାହା ଅନେକ ସମୟରେ ଅଘଟଣର କାରଣ ମଧ୍ୟ ସାଜୁଛି। ନୟାଗଡ଼ରେ ଟ୍ରେନ୍‌ ଚଳାଚଳରେ ଅବ୍ୟବସ୍ଥା ଏତିକିରେ ସରିନାହିଁ। ଏଠାରୁ ‌ଭୁବନେଶ୍ବରକୁ ଦୈନିକ ୪ ଥର ଯିବାଆସିବା କରୁଥିବା ସେବା ଏକ୍ସପ୍ରେସ୍‌ ଇଞ୍ଜିନ୍‌ ବାରମ୍ବାର ଅଚଳ ହୋଇପଡ଼ୁଥିବା ମଧ୍ୟ ଦେଖାଯାଉଛି। ଅଚଳ ଇଞ୍ଜିନ୍‌ କାରଣରୁ ମଧ୍ୟ ଦୁର୍ଘଟଣାର ଆଶଙ୍କା ରହିଛି। ନୟାଗଡ଼ ଟାଉନ୍‌ ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ୍‌ ହୋଇଥିବା ବେଳେ, ଏଠାରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ। ଏଠାରେ ଜିଆର୍‌ପି, ଆର୍‌ପିଏଫ୍‌ ଫାଣ୍ଡି ନାହିଁ। ଜିଆର୍‌ପି ପୁଲିସ ଆଦୌ ନଥିବା ‌ବେଳେ, ୨ ଜଣ ଆର୍‌ପିଏଫ୍‌ ରହିବା ବଦଳରେ ଜଣେ ରହିଛନ୍ତି। ଏଥିପ୍ରତି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe