ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ନୂଆଗାଁ ଗ୍ରାମର ଜନୈକ ବୃଦ୍ଧ ବ୍ୟକ୍ତି ଗତକାଲିଠାରୁ ପାଖ ଜଙ୍ଗଲକୁ ଛତୁ ଆଣିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। କିଛିଦିନ ଧରି ଉକ୍ତ ଜଙ୍ଗଲରେ ବଣୁଆ ଦନ୍ତାହାତୀ ବିଚରଣ କରୁଥିବାରୁ ବୃଦ୍ଧ ଜଣକ ହାତୀ ଆକ୍ରମଣର ଶିକାର ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ପ୍ରାପ୍ତ ସୂଚନା ମୁତାବକ ନିଖୋଜ ହେଉଛନ୍ତି ନୂଆଗାଁ ଗ୍ରାମର ସ୍ବର୍ଗତଃ ଢାଉଲ ବେହେରାଙ୍କ ୫୪ବର୍ଷୀୟ ପୁଅ ଅନିରୁଦ୍ଧ ବେହେରା। ଅନିରୁଦ୍ଧ ବୁଧବାର ଭୋର ସକାଳୁ ଗାଁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିଲା। ପରେ ଛତୁ ଆଣି ଘରେ ରଖି ଖାଇପିଇ ସାରି ପୁଣି ଥରେ ଉକ୍ତ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିଲେ। ହେଲେ ପରେ ଆଉ ଘରକୁ ଫେରି ନ ଥିଲେ।
ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ଏଣେତେଣେ ଖୋଜାଖୋଜି କରିଥିଲେ ବି ଅନିରୁଦ୍ଧଙ୍କୁ ପାଇ ନ ଥିଲେ। ସୂଚନା ଅନୁଯାଇ କିଛିଦିନ ପୂର୍ବରୁ ଉକ୍ତ ଜଙ୍ଗଲକୁ ଏକ ଝାଡ଼ଖଣ୍ଡି ଦନ୍ତା ହାତୀ ପଶି ଆସିଥିଲା ଓ ସମୟ ସମୟରେ ଉତ୍ପାତ କରୁଥିଲା। ଯୋଉଁଥିପାଇଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହୁଥିଲେ।
ତେବେ ଅନିରୁଦ୍ଧ ଜଙ୍ଗଲକୁ ଯାଇ ଗୋଟେ ଦିନ ବିତିଯାଇଥିଲେ ସୁଦ୍ଧା ଘରକୁ ନ ଫେରିବା ଯୋଗୁଁ ସେ କାଳେ ହାତୀ ଆକ୍ରମଣର ଶିକାର ହୋଇଥିବ ଏନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ବର୍ଗଙ୍କ ସମେତ ସ୍ଥାନୀୟ ଲୋକେ। ତେବେ ଖବର ପାଇ ବନବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ ଭିତରେ ଖୋଜାଖୋଜି ଆରମ୍ଭ କରିଛନ୍ତି।
Follow Us