କୁଇଣ୍ଟାଲ୍ ପିଛା ୧୩୦୦ ଟଙ୍କାରେ ଆନ୍ଧ୍ର ଧାନ ମାଫିଆ କିଣି ନେଉଛନ୍ତି ଧାନ

Advertisment

ଅଭାବୀ ବିକ୍ରିର ଶିକାର ଚାଷୀ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ଅଭାବୀ ବିକ୍ରିର ଶିକାର ଚାଷୀ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

କୁଇଣ୍ଟାଲ୍ ପିଛା ୧୩୦୦ ଟଙ୍କାରେ ଆନ୍ଧ୍ର ଧାନ ମାଫିଆ କିଣି ନେଉଛନ୍ତି ଧାନ

ରାୟଗଡ଼ା: ନଭେମ୍ବର ୨୭ରୁ ଖୋଲିଲାଣି ମଣ୍ଡି। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିନି ଟୋକେନ୍। ମିଲର୍ସଙ୍କ ସହ ଏଗ୍ରିମେଣ୍ଟ୍ ମଧ୍ୟ ହୋଇନି। ୧୦ ଏକରରୁ ଅଧିକ ଜମି ଥିବା ଚାଷୀ ଚିହ୍ନଟରେ ରାଜସ୍ବ ବିଭାଗ ପଛରେ ପଡିଥିବାରୁ ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଧାନ ମାଫିଆ।

ଅମଳ ଧାନକୁ ବିକ୍ରି କରି ଋଣ ପରିଷୋଧ ଲାଗି ଚାଷୀ ତରତର ହେଉଥିବାରୁ ଅଭାବୀ ବିକ୍ରିର ଫାଇଦା ନେଇ କୁଇଣ୍ଟାଲ୍ ପିଛା ୧୧୫୦ରୁ ୧୩୦୦ ଟଙ୍କାରେ କିଣି ନେଉଛନ୍ତି ଦଲାଲ୍। ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି।

ଚଳିତ ବର୍ଷର ଖରିଫ୍ ଧାନ କିଣା ଆରମ୍ଭରୁ ଦେଖା ଦେଇଥିବା ମଣ୍ଡି ସମସ୍ୟା, ଅଭାବୀ ବିକ୍ରିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି। ପ୍ରଶାସନ ଧାନ କିଣା ପ୍ରକ୍ରିୟାକୁ ସ୍ବାଭାବିକ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସାଂସଦ ଇଂ. ସପ୍ତଗିରି ଉଲାକା।

୨୦୨୦-୨୧ ଖରିଫରେ ଅମଳ ଧାନ ବିକ୍ରି ପାଇଁ ୧୮୪୨୫ ଚାଷୀ ପଞ୍ଜିକରଣ କରିଛନ୍ତି। ଯୋଗାଣ ବିଭାଗ-ଚାଷୀ-ମିଲର୍ସ-ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକ୍ରମେ ନଭେମ୍ବର ୨୭ରୁ ଜିଲ୍ଲାରେ ମଣ୍ଡି ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ୮୩୨୮୩ ମେଟ୍ରିକ୍ ଟନ୍ ଧାନ କିଣିବା ଲକ୍ଷ୍ୟ ରହିଥିବାରୁ ତୁରନ୍ତ ଚାଷୀଙ୍କୁ ଟୋକେନ୍ ଏବଂ ୭ ଦିନ ମଧ୍ୟରେ ବୃହତ (୧୦ ଏକରରୁ ଅଧିକ ଜମି ଥିବା) ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ନଭେମ୍ବର ୧୨ ତାରିଖରେ ବସିଥିବା ଧାନ କିଣା ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶ ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ବୃହତ ଚାଷୀ ଚିହ୍ନଟ ପକ୍ରିୟା ଶେଷ ହୋଇନି। ରାଜସ୍ବ ବିଭାଗ ସର୍ଭେ ଶେଷ କରିଥିବା ବେଳେ ବୃହତ ଚାଷୀଙ୍କ ଜମି କେଉଁ ମୌଜାରେ ରହିଛି ତାହା ସର୍ଭେ ରିପୋର୍ଟରେ ଉଲ୍ଲେଖ ନଥିବାରୁ ଟୋକେନ୍ ଇସ୍ୟୁ ହୋଇପାରିନି। ଅନ୍ୟପକ୍ଷରେ କ୍ଷୁଦ୍ର ଚାଷୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଚାଷୀକୁ ମିଳିଛି ଟୋକେନ୍। ଯାହାକୁ ଯୋଗାଣ ବିଭାଗ-ମିଲର୍ସ-ଲ୍ୟାମ୍ପସ କର୍ତ୍ତୃପକ୍ଷ ନିଜ ଅକ୍ତିଆରରେ ରଖିଥିବା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଅଭିଯୋଗ କରିଛନ୍ତି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମାଞ୍ଚଳର ଚାଷୀଙ୍କ ପାଖରେ ଆବଶ୍ୟକ ଗୋଦାମ ନଥିବାରୁ ଅଦିନିଆ ଲଘୁଚାପ ବର୍ଷାକୁ ନେଇ ଚାଷୀକୂଳ ଭୟଭୀତ ହୋଇ ପଡିଛନ୍ତି। ପଡୋଶୀ ରାଜ୍ୟ ଆନ୍ଧ୍ରର ବହୁ ଦଲାଲ୍ ଏବେ ଏହି ଚାଷୀଙ୍କ ନିକଟରୁ ଧାନ କିଣି ନେବାକୁ ଚକ୍ରାନ୍ତ କରୁଛନ୍ତି। ପଞ୍ଜିକରଣ କରିଥିବା କିଛି ଚାଷୀଙ୍କଠାରୁ ଆନ୍ଧ୍ର ଦଲାଲ୍ କୁଇଣ୍ଟାଲ ପିଛା ୧୧୫୦ରୁ ୧୩୦୦ ଟଙ୍କା ମଧ୍ୟରେ ଧାନ କିଣି ନେଲେଣି।

କିଣା ଧାନକୁ ଦଲାଲମାନେ ଚାଷୀଙ୍କ ନିକଟରେ ହିଁ ରଖି ପୁଣି ଲ୍ୟାମ୍ପସ ମାଧ୍ୟମରେ ସରକାର ଧାର୍ଯ୍ୟ କରିଥିବା କୁଇଣ୍ଟାଲ୍ ପିଛା ୧୮୬୮ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଟୋକେନ୍ ମିଳିବାରେ ବିଳମ୍ବ ଯୋଗୁ ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରି କରୁଥିବା ବେଳେ ଦଲାଲମାନେ କୁଇଣ୍ଟାଲ୍ ପିଛା ୫୦୦ରୁ ୬୫୦ ଟଙ୍କା ପର୍ଯ୍ୟନ୍ତ ଫାଇଦା ଉଠାଇବେ। ଜିଲ୍ଲା ପ୍ରଶାସନର ଏପରି ଚାଷୀ ମାରଣା ନୀତିକୁ କଂଗ୍ରେସ ଘୋର ବିରୋଧ କରୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରକା। ଡିସେମ୍ବର ୧୦ ତାରିଖ ସୁଦ୍ଧା ଧାନ କିଣାକୁ ସ୍ବାଭାବିକ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ଚୌଧୁରୀ ଦାବି କରିଛନ୍ତି। ଅନ୍ୟମାନଙ୍କ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ରତ୍ନମଣି ଉଲାକା, ବରିଷ୍ଠ କଂଗ୍ରେସ ଶଙ୍କର୍ଷଣ ମଙ୍ଗରାଜ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe