ଶିକାରୀଙ୍କ ଅମରାବତୀ ପାଲଟିଛି ଭିତରକନିକା

ହରିଣ ଛାଲ ସହ ୨ ଗିରଫ; ୪ ଦିନରେ ଗିରଫ ହେଲେଣି ୮ ଶିକାରୀ

ଶିକାରୀଙ୍କ ଅମରାବତୀ ପାଲଟିଛି ଭିତରକନିକା

New Indian Express

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଏବେ ଶିକାରୀଙ୍କ ଅମରାବତୀ ପାଲଟିଛି। ପ୍ରତିଦିନ ବେଧଡକ ଭାବେ ଭିତରକନିକା ଜାତୀୟ ଉଦ୍ୟାନରୁ ହରିଣ ଓ ବାରହା ଶିକାର କରାଯାଉଛି। ୩ ଦିନ ହେଲା ମୃତ ବାରହା ଓ ମାଂସ ଜବତ ହେଉଥିବା ବେଳେ ଆଜି ହରିଣ ଛାଲ ଜବତ ହୋଇଛି। ଆଜି ଦିନ ଦ୍ବିପ୍ରହରରେ ହରିଣ ଛାଲ ନେଇ କେନ୍ଦ୍ରାପଡାକୁ ବିକ୍ରି କରିବାକୁ ଯିବା ବାଟରେ ବନବିଭାଗ ଟିମ ଏହି ଛାଲ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, କନକନଗର ଗାଁର ବିଶ୍ବଜିତ ମଣ୍ତଳ (୩୦) ଓ ଶୈଳେନ୍ଦ୍ରନଗର ଗାଁର ମିଥୁନ ପରିଡା (୨୮)। ବନ ବିଭାଗର ଉଦାସୀନତାର ଫାଇଦା ଉଠାଇ ଗଲା କିଛି ଦିନ ହେଲା ଶିକାରୀମାନେ ବେଧଡ଼କ ଭାବେ ଶିକାର କରିବାରେ ଲାଗି ପଡ଼ିଛନ୍ତି।
ସୂଚନା ଅନୁସାରେ, ଗିରଫ ଶିକାରୀ ଦ୍ବୟ ଆଜି ଏକ ଗାଡ଼ି(ଓଡି୨୯ଡି ୦୬୮୯)ରେ ହରିଣ ଛାଲ ନେଇ କେନ୍ଦ୍ରାପଡାକୁ ବିକ୍ରି କରିବାକୁ ଯାଉଥିଲେ। ସେମାନେ ହରିଣ ଛାଲକୁ ୧୫ହଜାର ଟଙ୍କାରେ ବିକ୍ରି କରିଥାନ୍ତେ।

ମାତ୍ର ଖବର ପାଇ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟଙ୍କ ନେତୃତ୍ବରେ ବନବିଭାଗ ଟିମ ଭିତରକନିକାର ପ୍ରବେଶପଥ ଡାଙ୍ଗମାଳ ଗେଟ ଠାରୁ ମାତ୍ର ୫ଶହ ମିଟର ଦୂରରେ ଢୋଢୋଇଆ କାଠୁଆ ଛକ ନିକଟରେ ସେମାନଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୪ ଫୁଟ ଲମ୍ବ ୧ ଫୁଟ ୪ଇଂଚ ଚଉଡାର ହରିଣ ଛାଲ ଜବତ କରାଯାଇଛି। ଦୁହିଁଙ୍କୁ ଗିରଫ କରାଯାଇଛି। ୧୦ଦିନ ତଳେ ସେମାନେ ଭିତରକନିକା ଜାତୀୟ ଉଦ୍ୟାନର ନର୍ଥ ମହିଁଷାମୁଣ୍ତା ଫରେଷ୍ଟ ବ୍ଲକ ଅଂଚଳରୁ ହରିଣ ଶିକାର କରିଥିଲେ। ପରେ ତାର ମାଂସକୁ ଖୋଲା ବଜାରରେ ବିକ୍ରି କରିଥିଲେ। ଆଜି ସେହି ହରିଣର ଛାଲକୁ ବିକ୍ରି କରିବାକୁ କେନ୍ଦ୍ରାପଡା ନେଉଥିବ‌େ କଥା‌ ଦୁଇ ଶିକାରୀ ସ୍ବୀକାର କରିଥିବା ବନବିଭାଗ ସୂଚନା ଦେଇଛି। ୨ ତାରିଖ ଦିନ ରାଜନଗର ରେଂଜ କାର୍ଯ୍ୟାଳୟ ପକ୍ଷରୁ ପ୍ରହରାଜପୁର ଗାଁରୁ ବାରହା ମାଂସ ଜବତ କରାଯାଇଥିଲା ଓ ଜଣଙ୍କୁ ଗିରଫ କରାଯାଇଥିଲା। ସଂପୃକ୍ତ ଶିକାରୀ ବାରହା ଶିକାର କରିବା ପରେ ମାଂସ କେଜି ପ୍ରତି ୨୫୦ ଟଙ୍କା ଦରରେ ଖୋଲା ବଜାରରେ ବିକ୍ରି କରିଥିବା ସୂଚନା ଦେଇଥିଲେ। ଏହାବାଦ ଗତକାଲି ବଗପାଟିଆରୁ ଓ ୧ ତାରିଖ ଦିନ ରଟପଙ୍ଗ ଗାଁ ନିକଟରୁ ବାରହା ଶିକାର କରାଯିବା ପରେ ତାକୁ କଟାଯିବା ପୂର୍ବରୁ ୨ ମୃତ ବାରହା ଜବତ କରାଯାଇଥିଲା।

ଭିତରକନିକା ଜାତୀୟ ଉଦ୍ୟାନରେ ବେଧଡକ ଭାବେ ହରିଣ ଓ ବାରହା ଶିକାର କରାଯାଉଛି ଓ ତାର ମାଂସକୁ ଖୋଲାମେଲା ବିକ୍ରି କରାଯାଉଥିବା କଥା ଏହି ୪ଟି ଘଟଣାରୁ ସ୍ପଷ୍ଟ ହୋଇଯାଇଛି। କେବଳ ଲୋକ ଦେଖାଣିଆ କେତେ ଜଣଙ୍କୁ ଗିରଫ କରିଦେଇ ବନବିଭାଗ ନିଜର ଦାୟିତ୍ବ ସାରି ଦେଉଛି। ପ୍ରତିଦିନ ନିୟମିତ ବନ କର୍ମଚାରୀଙ୍କ ସମେତ ଅସ୍ଥାୟୀ କର୍ମଚାରୀ ପ୍ରତ୍ୟେକ ଫରେଷ୍ଟ ବ୍ଲକରେ ଡ୍ୟୁଟି କରୁଥିବା ବେଳେ କିପରି ବେଧଡକ ଶିକାର କରାଯାଉଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe