୨୮ରୁ ଡେବ୍ରିଗଡ଼ରେ ପ୍ରାଣୀଗଣନା

Advertisment
୨୮ରୁ ଡେବ୍ରିଗଡ଼ରେ ପ୍ରାଣୀଗଣନା

Times of India

ସମ୍ବଲପୁର: ଆସନ୍ତା ୨୮ ତାରିଖରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା କରାଯିବ। ୬ ଦିନ ଧରି ଚାଲିବାକୁ ଥିବା ଏହି ସ‌ର୍ଭେରେ ୨୮ ତାରିଖରୁ ୩୦ ଯାଏ ମାଂସାସୀ ପ୍ରାଣୀ ଓ ୩୧ରୁ ୨ ଯାଏ ତୃଣଭୋଜି ପ୍ରାଣୀଙ୍କ ଗଣନା କରାଯିବ। ୫୨ଟି ଜଣ ତାଲିମପ୍ରାପ୍ତ କର୍ମଚାରୀ ୨୬ଟି ଦଳରେ ଭାଗ ହୋଇ ଏହି ସର୍ଭେରେ ସାମିଲ ହେବେ। ନିର୍ଦ୍ଦିଷ୍ଟ ସଂଖ୍ୟା ନହେଲେ ବି ଜଙ୍ଗଲରେ ପ୍ରାଣୀଙ୍କ ଘନତ୍ବ ହିସାବ କରାଯିବ। ଏହା ଏକ ପ୍ରାକ୍‌ମୌସୁମି ସର୍ଭେ ଓ ପ୍ରାଣୀ ଗଣନା ପାଇଁ ଉପଯୁକ୍ତ ସମୟ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ହୋଇଥିବା ଘନତ୍ବ ସର୍ବେକ୍ଷଣରେ ଅଭୟାରଣ୍ୟର ପ୍ରତି ୧ ବର୍ଗ କିଲୋମିଟର୍ ଅଞ୍ଚଳରେ ୨୯ରୁ ୩୮ଟି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ରହିଥିବା ଜଣା ପଡ଼ିଥିଲା।

ଏଥିରେ ସମ୍ବର ସଂଖ୍ୟା ସର୍ବାଧିକ ଥିଲାବେଳେ ତା’ ପଛକୁ ହରିଣ, ଗୟଳ, ଜଙ୍ଗଲି ବାର୍‌ହା, ଚଉସିଂଗା ଆଦି ସମାନ ସଂଖ୍ୟାରେ ଥିଲେ। ସେହିପରି ହିଂସ୍ରଜନ୍ତୁ ମଧ୍ୟରେ ୭୦ଟି କଲରାପତରିଆ ରହିଥିବା ଜଣା ପଡ଼ିଥିଲା। ଏହି ସର୍ଭେରେ ପ୍ରାଣୀ ସଂଖ୍ୟା କମିଛି ନା ବଢ଼ିଛି ତାହା ଜଣା ପଡ଼ିବ। ସେହିପରି ଗତ ୮ ମାସ ହେଲା ଡେବ୍ରିଗଡ଼କୁ ଆସିଥିବା ଏକମାତ୍ର ପୁରୁଷ ମହାବଳ ବାଘ ବନ ବିଭାଗର ୧୨ଟି ସ୍ବତନ୍ତ୍ର ପ୍ୟାଟ୍ରୋଲିଂ ଟିମ୍ ଓ ଅଭୟାରଣ୍ୟରେ ଲାଗିଥିବା ୧୪୦ଟି କ୍ୟାମେରାର ନଜରରେ ରହିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି। ଡେବ୍ରିଗଡ଼ରେ ଆଉ ମହାବଳ ଅଛନ୍ତି ନା ନାହିଁ ତାହା ଏହି ସର୍ଭେରୁ ସ୍ପଷ୍ଟ ହେବ ବୋଲି ଶ୍ରୀମତୀ ଦାସ କହିଛନ୍ତି। ତ୍ରୁଣଭୋଜି ପ୍ରାଣୀଙ୍କ ଗଣନା ସମୟରେ ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକଙ୍କ ଜଙ୍ଗଲ ସଫାରି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe