ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ହେଲେ ଅଞ୍ଜଳି ସ୍ବାଇଁ

Advertisment
ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ହେଲେ ଅଞ୍ଜଳି ସ୍ବାଇଁ

Sambad

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଚୟନକୁ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍‌ ସଭ୍ୟା ଅଞ୍ଜଳି ସ୍ବାଇଁ ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ମୁକୁଟ ପିନ୍ଧିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଶ୍ରୀମତୀ ସ୍ବାଇଁଙ୍କୁ ଜିଲ୍ଲା ପରିଷଦ ସଭାପତି ଆସନରେ ବସାଯାଇଛି। ବିଜେଡି ଗଞ୍ଜାମ ଜିଲ୍ଲାରେ ୬୯ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ୬୭ଟି ଜୋନ୍‌ ଦଖଲ କରିଥିଲା। ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଜିଲ୍ଲା ପରିଷଦ ସଭାପତି ଆସନ ମଧ୍ୟ ଦଖଲ କରିବ ବୋଲି ସ୍ପଷ୍ଟ ହୋଇଥିଲା। ଆଜି ଜିଲ୍ଲା ପରିଷଦ ସଭାପତି ପାଇଁ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।

୩୧ ନମ୍ବର ଜୋନ୍‌ ସଦସ୍ୟା ଶ୍ରୀମତୀ ସ୍ବାଇଁ ଜିଲ୍ଲା ପରିଷଦ ସଭାପତି ପାଇଁ ନାମାଙ୍କନ ଦାଖଲ କରିଥିଲେ। ସେ ଜଣେ ମାତ୍ର ପ୍ରାର୍ଥୀ ଭାବେ ଏହି ପଦବି ପାଇଁ ନାମାଙ୍କନ କରିଥିଲେ। ନାମାଙ୍କନ ଦାଖଲ ଓ ପ୍ରତ୍ୟାହାର ସମୟ ସରିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ବିଧିବଦ୍ଧ ଭାବେ ଜିଲ୍ଲା ପରିଷଦ ସଭାପତିଙ୍କ ନାମ ଘୋଷଣା କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାଙ୍କୁ ବିଧିବଦ୍ଧ ଭାବରେ ଶପଥ ପାଠ କରାଯାଇଥିଲା। ପରେ ଜିଲ୍ଲା ପରିଷଦ ସଭାପତି ପଦବି ନିମନ୍ତେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଧରାକୋଟ ବ୍ଲକ୍‌ର ୩୧ନମ୍ବର ଜୋନ୍ ସଦସ୍ୟା ଶ୍ରୀମତୀ ସ୍ବାଇଁ ଜିଲ୍ଲା ପରିଷଦ ସଭାପତି ପାଇଁ ନାମାଙ୍କନ କରିଥିଲେ। ୩ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ କୁମାର ଦୋରା ତାଙ୍କର ପ୍ରସ୍ତାବକ ରହିଥିଲେ।

ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ନାମାଙ୍କନ ଓ ସାଢ଼େ ୧୨ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରଖାଯାଇଥିଲା। ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ କରି ନଥିବାରୁ ଜିଲ୍ଲା ପରିଷଦ ସଭାପତି ଭାବେ ଶ୍ରୀମତୀ ସ୍ବାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୌରଭ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଜେଡି ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ମୋହର ଲାଗିଥିବା ଶ୍ରୀମତୀ ସ୍ବାଇଁଙ୍କ ନାମ ଜିଲ୍ଲା ପରିଷଦ ସଭାପତି ପାଇଁ ଘୋଷଣା କରାଯାଇଥିଲା। ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ ସୁବାସ ବେହେରା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ. ଗୋପବନ୍ଧୁ ଦାସ, ଚିକିଟି ବିଧାୟିକା ଉଷା ଦେବୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଂଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe