ଦେବଗଡ଼: ରାଜ୍ୟରେ ଗତ ୪ବର୍ଷ ଧରି ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି। ଶାସକ ଦଳକୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପଟେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଏହା ସହିତ ୫-ଟି’ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ଅନିଚ୍ଛା ସତ୍ତ୍ୱେ ସାମିଲ କରାଯାଉଛି। ଦେବଗଡ଼ ଜିଲ୍ଲାରେ ଥିବା ବିଭିନ୍ନ କଲେଜରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି, ଜିଲ୍ଲାରେ ଗୋଟିଏ ବି ସ୍ବୟଂଶାସିତ କଲେଜ ନାହିଁ।
ଆଜି ପର୍ଯ୍ୟନ୍ତ ସର୍ବପୁରାତନ ଦେବଗଡ଼ କଲେଜକୁ ସ୍ବୟଂଶାସିତ କଲେଜର ମାନ୍ୟତା ଦେବା, ଜିଲ୍ଲାରେ ଥିବା ସମସ୍ତ କଲେଜ କ୍ୟାମ୍ପସରେ ୱାଇଫାଇ ଓ ଇ-ଲାଇବ୍ରୋରିର ବ୍ୟବସ୍ଥା, କଲେଜରେ କ୍ୟାଣ୍ଟିନ ଖୋଲିବା, ପାର୍କିଂ ବ୍ୟବସ୍ଥା, ଶୌଚାଳୟର ବ୍ୟବସ୍ଥା ଓ କଲେଜ କ୍ୟାମ୍ପରେ ଦିନକୁ ଦିନ ଅଣଛାତ୍ରଙ୍କ ପ୍ରଭାବ ବଢି ଚାଲିଥିବାରୁ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ପାଇଁ ଏବିଭିପି ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା ନକଲେ ତେବେ ଆଗାମୀ ଦିନରେ ଏବିଭିପି ପକ୍ଷରୁ ବଡ଼ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଗୋପାଳଜିଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ସହ ସଂପାଦକ ଶ୍ବେତାଂଶୁ ଶେଖର ବରାଇ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ଜିଲ୍ଲା ସଂଯୋଜକ ସୁଜିତ ଖଡ଼ିରତ୍ନ, ଜିଲ୍ଲା ସହ- ପ୍ରମୁଖ ବିଜୟ ଦେହୁରୀ ଉପସ୍ଥିତ ଥିଲେ।
Follow Us