image source--Mashable
ଭଞ୍ଜନଗର: ଗଲା ୪ ଦିନ ମଧ୍ୟରେ ଘୁମୁସର ବନଖଣ୍ଡରେ ଦୁଇଟି ହାତୀ ଛୁଆର ମୃତ୍ୟୁ ଘଟିଛି। ଗତ ମଙ୍ଗଳବାର ଦିନ ଦକ୍ଷିଣ ଘୁମୁସର ବନଖଣ୍ଡର ଲାଉଗୁଡ଼ା ନିକଟରେ କାଦୁଅ ଖାତରେ ପଡି ଏକ ୪ ମାସର ହାତୀ ଛୁଆର ମୃତ୍ୟୁ ଘଟିଥିବା ବେଳେ ଆଜି କଳିଙ୍ଗା ଘାଟି ପାଦ ଦେଶରେ ଥିବା ଉତ୍ତର ଘୁମୁସର ବନଖଣ୍ଡର ଦୁର୍ଗାପ୍ରାସଦ ଗ୍ରାମ ନିକଟରେ ଏକ ହାତୀଛୁଆର ମୃତଦେହ ଠାବ କରାଯାଇଛି। ହାତୀଛୁଆର ଶରୀର ବାହାରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଘୁମୁସର ଜଙ୍ଗଲ ଭୌଗଳିକ ଦୃଷ୍ଟି କୋଣରୁ ନିଘଞ୍ଚ ଏବଂ ଏକ ବୃହତ ଭୂଖଣ୍ଡ ହୋଇଥିବାରୁ ହାତୀ ମାନେ ବିଚରଣ କରିବା ପାଇଁ ନିରାପଦ ମଣିଥାନ୍ତି। ଏହି ଘୁମୁସର ବନଖଣ୍ଡର ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ଏବଂ ଜଙ୍ଗଲକୁ ସୁପରିଚାଳନା ନିମନ୍ତେ ଉତ୍ତର ଓ ଦକ୍ଷିଣ ଦୁଇଟି ବନଖଣ୍ଡରେ ଭାଗ କରାଯାଇଛି। ତେବେ ଏକ ସପ୍ତାହ ମଧ୍ୟରେ ଦୁଇଟି ହାତୀଛୁଆର ମୃତ୍ୟୁ ଘଟଣା ହାତୀମାନଙ୍କ ସୁରକ୍ଷା ନେଇ ଚିନ୍ତା ଜନକ ସ୍ଥିତି ଉପୁଜିଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ରେଞ୍ଜର ରମ୍ଭା ସେକ୍ସନ୍ ଅର୍ନ୍ତଗତ ଦୁର୍ଗାପ୍ରସାଦ ବିଟ୍ ତଥା ସାଇନ୍ ଯୋଡି ନାଳ ନିକଟରେ ଏକ ହାତୀଛୁଆର ମୃତ ଦେହକୁ ଆଜି ଉଦ୍ଧାର କରାଯାଇଛି। ହାତୀର ବୟସ ଆନୁମାନିକ ୫-୬ ବର୍ଷ ବୟସ ହୋଇଥିବା ବନ ବିଭାଗ କହିଛି। ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ।
ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ପ୍ରକାଶ କରିଛନ୍ତି। ଦୀର୍ଘଦିନ ଧରି ଏହି ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ୧୮ ଟିକିଆ ହାତୀ ପଲ ବୁଲୁଥିବା ବେିଳେ ଗତରାତିରେ ରମ୍ଭା ଦୁର୍ଗାପ୍ରସାଦ ଗ୍ରାମ ନିକଟରେ ବୁଲୁଥିବା ବେଳେ ବନ ବିଭାଗ ଅଧିକାରୀ ମାନେ ଜଙ୍ଗଲକୁ ଘୋଉଡାଇଥିଲେ। ଆଜି ଭୋର୍ ସମୟରେ ଦୁର୍ଗାପ୍ରସାଦ ଗ୍ରାମ ନିକଟ ଦେଇ ଯାଇଥିବା ସାଇନଯୋଡି ନାଳ ଆରପାଖରେ ହାତପଲ ଥିବା ଦେଖି ଗ୍ରାମବାସୀ ଘଉଡାଇଥିଲେ। ହାତୀପଲ ସେଠାରୁ ପଳାଇଥିବା ବେଳଳେ ଗୋ୍ଟିଏ ହାତୀଛୁଆ ସେଠାରେ ପଡି ରହିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନଖଣ୍ଡ ଅଧିକାରୀ ଶ୍ରୀ ଦଳେଇଙ୍କ ସମେତ ଏସିଏଫ୍ ସୁର୍ଦଶନ ବାଦୀ, ମାଦି ମୋ୍ତିଲାଲ୍, ରେଞ୍ଜର ବିମ୍ବାଧର ସାହୁ, ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅନୁପମ ବାନାର୍ଜୀ, ରମ୍ଭା ସେକ୍ସନ ବନପାଳ ରାମେଶ୍ବରୀ ସାହୁ, ମୁଜାଗଡ ବନପାଳ ସୁକାନ୍ତ କୁମାର ନାୟକ, ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀ, ଗାର୍ଡ ପ୍ରିୟଙ୍କା ପାଳ, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିବା ସହ ସେଠାରେ ପୋତି ଦେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Follow Us