ଅନୁଗୁଳ: ପାୱାର ଫୁଲ ତିନି ଯନ୍ତ୍ରୀ; ଅର୍ଡର ହେଲା, କିନ୍ତୁ ବଦଳି ନୋହିଲା

Advertisment
ଅନୁଗୁଳ: ପାୱାର ଫୁଲ ତିନି ଯନ୍ତ୍ରୀ; ଅର୍ଡର ହେଲା, କିନ୍ତୁ ବଦଳି ନୋହିଲା

google

ଅନୁଗୁଳ: ଗତ ଏପ୍ରିଲ ୧୬ ତାରିଖରେ କନିଷ୍ଠ ଯନ୍ତ୍ରୀଙ୍କର ବାହାରିଲା ବଦଳି ଆଦେଶ। ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତୁରନ୍ତ ତାଙ୍କୁ ରିଲିଭ କରାଗଲା। ନୂଆ ଜାଗାରେ ଯୋଗ ଦେବାକୁ ଦିଆଗଲା ନିର୍ଦ୍ଦେଶ। ବଦଳି ସ୍ଥାନରେ ତୁରନ୍ତ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ ପାଇଁ ବି ହେଲା ଚେତାବନୀ।

ତଥ୍ୟ ମୁତାବକ, ଆଦେଶନାମା ବାହାରିବାର କେଇଟା ଘଣ୍ଟା ଭିତରେ ଯନ୍ତ୍ରୀମାନେ ନିଜ ନିଜ ଜାଗାରେ ଯୋଗଦେଲେ। କେବଳ ଯନ୍ତ୍ରୀ ନୁହନ୍ତି, ରାଜସ୍ବ ନିରୀକ୍ଷକ, ସହକାରୀ ରାଜସ୍ବ ନିରୀକ୍ଷକ ଓ ଅମିନ ଠାରୁ ଆରମ୍ଭ କରି କିରାଣୀ ଯାଏ ଯାହାର ଯେମିତି ବଦଳି ହେଲା ସଭିଏଁ ନିଜ ନିଜ ଜାଗାରେ ଯୋଗଦେଲେ। କିନ୍ତୁ, ଅନୁଗୁଳ ଜିଲ୍ଲାର ୩ଜଣ ଯନ୍ତ୍ରୀଙ୍କ କ୍ଷେତ୍ରରେ ଏମିତି କ’ଣ ହେଲା ଯେ, ସେମାନଙ୍କର ସ୍ୱତନ୍ତ୍ର ବଦଳି ନିର୍ଦ୍ଦେଶନାମା ସତ୍ତ୍ବେ ତାହା କାର୍ଯ୍ୟକାରୀ ହେଲାନାହିଁ। ଏହି ତିନି ଯନ୍ତ୍ରୀଙ୍କ କ୍ଷେତ୍ରରେ ବଦଳି ଆଦେଶ ଲାଗୁ ହେଲା ନାହିଁ ତାହାକୁ ନେଇ ଜିଲ୍ଲା କର୍ମଚାରୀ ମହଲରେ ଜୋର ଚର୍ଚ୍ଚା ଆରମ୍ଭ ହୋଇଛି। କାହା ବଳରେ ବଳିୟାନ ଏହି ଯନ୍ତ୍ରୀ ଗଣଙ୍କର ବଦଳି ଆଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ପଛଘୁଞ୍ଚା ଦେଉଛି ଅମଲାତନ୍ତ୍ର ମହଲରେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରାପ୍ତ ତଥ୍ୟ ମୁତାବକ ଏହି ତିନି ଜଣ ଯନ୍ତ୍ରୀ ହେଉଛନ୍ତି, ବନରପାଳ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ବଅଁରପାଳ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ନୁରୁଲ ହୁସେନ ଖାନ୍‌ ଓ ତାଳଚେର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଡମ୍ବରୁଧର ପ୍ରଧାନ। ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଚିଠି ନଂ ୧୭୨୮, ତାରିଖ ୧୫.୦୫.୨୦୨୧ ମୁତାବକ ବଅଁରପାଳ ବ୍ଲକ୍‌ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରଧାନଙ୍କୁ ତାଳଚେର ବ୍ଲକ୍‌କୁ ବଦଳି କରାଯାଇଥିଲା। ବଅଁରପାଳ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଖାନ୍‌ଙ୍କୁ ଆଠମଲ୍ଲିକ ବ୍ଲକ୍‌କୁ ଏବଂ ତାଳଚେର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପ୍ରଧାନଙ୍କୁ ଛେଣ୍ଡିପଦା ବ୍ଲକ୍‌କୁ ବଦଳି କରାଯାଇଥିଲା। କେବଳ ବଦଳି ନୁହେଁ, ସେହି ଗୋଟିଏ ଚିଠିରେ ଏହି ୩ ଯନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ସେଣ୍ଟ୍ରାଲ ରିଲିଭ କରିଥିଲା। ନୂଆ ଜାଗାରେ କୌଣସି ବିଳମ୍ବ ନକରି ଯୋଗଦେବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା।
ଅନୁରୂପ ବଦଳି ନିର୍ଦ୍ଦେଶନାମା ଗତ ୨ ମାସରେ ମଧ୍ୟ ରାଜସ୍ବ ବିଭାଗର କର୍ମଚାରୀ କ୍ଷେତ୍ରରେ ଲାଗୁ ହୋଇଥିଲା । ସେତେବେଳେ ରାଜସ୍ବ ବିଭାଗର ୨୮ ଜଣ ଆର୍‌ଆଇ, ୨୬ ଜଣ ଏଆର୍‌ଆଇ, ୨୫ ଜଣ ଅମିନଙ୍କୁ ଜିଲ୍ଲା ପ୍ରଶାସନ ଗୋଟିଏ ବ୍ଲକ୍‌ରୁ ଅନ୍ୟ ବ୍ଲକ୍‌କୁ ବଦଳି କରିଥିଲା। ବିନା ବିଳମ୍ବରେ ବଦଳି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଦିଆଯାଇଥିଲା। ନିଜର ଇଛା ଥାଉ ଅବା ନଥାଉ କର୍ମଚାରୀମାନେ ଜିଲ୍ଲା ପ୍ରଶାସନର ବଦଳିକୁ ମାନ୍ୟ କରି ନୂଆ ଜାଗାରେ ଯୋଗ ଦେଇଥିଲେ। କିନ୍ତୁ ଚଳିତମାସ ୧୧ ତାରିଖରେ ଏହି ୩ ଯନ୍ତ୍ରୀଙ୍କ ବଦଳି ଆଦେଶନାମା ସତ୍ତ୍ବେ ସେମାନେ କାହିଁକି ନୂଆ ଜାଗାରେ ଯୋଗ ଦେଉନାହାନ୍ତି ତାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବଢିଲାଣି। କାହା ଚାପରେ ଜିଲ୍ଲା ପ୍ରଶାସନ ଏହି ୩ ଜଣଙ୍କର ବଦଳି ଆଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଭୟ କରୁଛି ସେନେଇ ବୁଦ୍ଧିଜୀବୀ ମହଲ ପ୍ରଶ୍ନ କଲେଣି। ଏ ସମ୍ପର୍କରେ ଅନୁଗୁଳ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ସାହୁ କହିଛନ୍ତି, ଏହି ୩ ଯନ୍ତ୍ରୀଙ୍କର ବଦଳି ଆଦେଶ ହୋଇଥିଲା। କିନ୍ତୁ ଜିଲ୍ଲାର କିଛି ବିଧାୟକ ଓ ସାଂସଦଙ୍କ କଥା ରଖି ବଦଳି ଆଦେଶ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe