Representational image
ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ର କଳମଛୁଇଁ ପଞ୍ଚାୟତରେ ବର୍ଷ ବର୍ଷ ଧରି ବିକାଶ ବାଧାପ୍ରାପ୍ତ ହୋଇଛି। ଏହି ପଞ୍ଚାୟତକୁ ବଳରାମ କୋଇଲା ଖଣି (ଏମ୍ସିଏଲ୍) ୩୭ ବର୍ଷ ହେଲା ଅଧିଗ୍ରହଣ କରିଛି। ଏହା ଭିତରେ ୩ ଦଶନ୍ଧିରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପଞ୍ଚାୟତର ୧୧ଟି ଗାଁ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ। ୧୯୮୯ ମସିହାରୁ କଳମଛୁଇଁ ପଞ୍ଚାୟତକୁ କୋଇଲା ଖଣି କର୍ତ୍ତୃପକ୍ଷ ଅଧିଗ୍ରହଣ କରିଛନ୍ତି। ଏଥିରେ କଳମଛୁଇଁ, ସୋଲଡ଼ା, ମଝିକା, ତେଲିପୁର, ଖୁରିଙ୍ଗା, ସତ୍ୟବାଦୀପୁର, ତିଳେଇପଶି, ଖଜୁରିଆ, ବୀରବରପୁର, ପ୍ରସନ୍ନନଗର ଓ ସରାଙ୍ଗ ଆଦି ଗ୍ରାମ ରହିଛି। ଏହି ଗ୍ରାମ ମଧ୍ୟରୁ ପ୍ରସନ୍ନନଗର ଓ ସରାଙ୍ଗ ଗ୍ରାମକୁ ଖଣି ପକ୍ଷରୁ ବିସ୍ଥାପିତ କରାଯାଇଛି। ହେଲେ ବାକି ରହିଥିବା ୯ ଗ୍ରାମକୁ କେବଳ ଅଧିଗ୍ରହଣ କରି ଛାଡ଼ି ଦେଇଛି। ଯାହା ଫଳରେ ଗ୍ରାମଗୁଡ଼ିକରେ ଜମି କିଣାବିକାଠାରୁ ଆରମ୍ଭ କରି ଆବାସ ଯୋଜନା, ରାସ୍ତା ନିର୍ମାଣ ଆଦି ଉନ୍ନୟନ କାମ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡ଼ିଛି। ପଞ୍ଚାୟତକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବାକୁ ଲୋକେ ଅନେକ ଥର ଖଣି ବନ୍ଦ ଆନ୍ଦୋଳନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ବର୍ଷ ପରେ ବର୍ଷ ବିତିଥିଲେ ମଧ୍ୟ ସେମାନଙ୍କୁ ବିସ୍ଥାପିତ କରାଯାଉନାହିଁ। ଏପରିକି ସେମାନଙ୍କୁ ସର୍ବନିମ୍ନ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନ ଥିବା କଳମଛୁଇଁ ଗ୍ରାମର ରାଜୁ ପ୍ରଧାନ କହିଛନ୍ତି। ଆନ୍ଦୋଳନ ସମୟରେ ଖଣି କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ପିଇବା ପାଣି ଏବଂ ଗ୍ରାମରେ ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ସିଏସ୍ଆର୍ ପାଣ୍ଠିରୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି। ପଞ୍ଚାୟତର ପ୍ରାୟ ୨୭ଶହ ପରିବାରକୁ ମାତ୍ର ୨ଟି ଟ୍ୟାଙ୍କରରେ ପାଣି ଯୋଗାଣ ହେଉଛି। ଯାହା ସମୁଦ୍ରକୁ ଶଙ୍ଖେ ଭଳି। ପୂର୍ବରୁ ଗ୍ରାମରେ ରହିଥିବା ପୋଖରୀଗୁଡ଼ିକରେ ପାଣି ରହୁଥିଲା। କିନ୍ତୁ କୂଅ, ପୋଖରୀ ଓ ଅନ୍ୟ ଜଳାଶୟ ଗୁଡ଼ିକ ଶୁଖିଲା ରହୁଛି। ଗ୍ରାମବାସୀ ଗାଧୋଇବା ସହିତ ଶୌଚ ପାଇଁ ହନ୍ତସନ୍ତ ହେଉଛନ୍ତି। ଏପରିକି ଖଣି ପକ୍ଷରୁ ଗୋଟେ ଦୁଇଟି ପୋଖରୀରେ ପାଣି ଭର୍ତ୍ତି କରାଯାଉଛି। ମାତ୍ର ତାହା କିଛି ସମୟ ପାଇଁ ଗଚ୍ଛିତ ହୋଇ ରହୁଛି।
ଆହୁରି ପଢ଼ନ୍ତୁ: Angul-Athgarh road: ବଦଳିବ ଅନୁଗୁଳ-ଆଠଗଡ଼ ରାସ୍ତା ଚେହେରା: ରାସୋଳ, ଭାପୁର ଓ ଆଠଗଡ଼ରେ ହେବ ବାଇପାସ୍
ପଞ୍ଚାୟତରେ ୩୬ଟି ନଳକୂଅ ରହିଛି। ହେଲେ ହାତଗଣତି ୩/୪ଟି ନଳକୂଅକୁ ଛାଡ଼ିଦେଲେ ବାକି ସମସ୍ତ ନଳକୂଅ ଅଚଳ ହୋଇ ପଡ଼ିଛି। ଲୋକେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏଠାକାର ଲୋକେ ଭିଟାମାଟି ବିକ୍ରି କରି ଅନ୍ୟ ଅଞ୍ଚଳକୁ ଯିବାକୁ ଚାହୁଥିଲେ ମଧ୍ୟ ସେମାନଙ୍କ ଜମି କୋଲ୍ ବ୍ଲକ୍ ପରିସରରେ ଆସୁଥିବାରୁ ଜମି କିଣାବିକା ହୋଇପାରୁନି। ଫଳରେ ବାଧ୍ୟ ହୋଇ ଏଠାରେ ପଡ଼ି ରହୁଛନ୍ତି ବୋଲି ସୋଲଡ଼ା ଗ୍ରାମର ରମେଶ ବେହେରା କହିଛନ୍ତି। ଏ ନେଇ କଳମଛୁଇଁ ସରପଞ୍ଚ ଅନୀଲ କୁମାର ପ୍ରଧାନ କୁହନ୍ତି, କୋଇଲା ଖଣି କଂପାନି ଆଜକୁ ୩୭ ବର୍ଷ ହେଲା ପଞ୍ଚାୟତକୁ ଅଧିଗ୍ରହଣ କରିଛି। ହେଲେ ପଞ୍ଚାୟତବାସୀଙ୍କୁ ସମ୍ପୂର୍ଣ୍ଣ ବିସ୍ଥାପନ କରୁନାହିଁ କି ବିଭିନ୍ନ ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉନାହିଁ। ଫଳରେ ଲୋକେ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି।
Follow Us