ଅନୁଗୁଳ: ଆର୍ଡିସିଙ୍କ କଡ଼ା ନିର୍ଦ୍ଦେଶ ପରେ ଚେତା ପଶିଛି। ଅବକାରୀ, ପୁଲିସ, ବନ ଓ ରାଜସ୍ବ ବିଭାଗ ପକ୍ଷରୁ ଗଂଜେଇ କ୍ଷେତରେ ଚଢ଼ଉ କରାଯାଇ ୧୨ ହଜାର ଗଛ ନଷ୍ଟ କରାଯାଇଛି। ଅବକାରୀ ଅଧୀକ୍ଷକ ସୁରେଶ ନାୟକଙ୍କ ତତ୍ତ୍ବାବଧାନରେ ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ବାଲିଜେରଂଗ ପାଖରେ ଚଢ଼ଉ କରାଯାଇଛି। ଜବତ ଗଂଜେଇ ଗଛର ବଜାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଗଂଜେଇ ଗଛଗୁଡ଼ିକୁ ଉପୁଡ଼ା ଯିବା ପରେ ପୋଡ଼ି ଦିଆଯାଇଛି।
ଅନୁଗଳ ଜିଲ୍ଲା ଜଂଗଲ ଅଂଚଳରେ ଗତ ୧୩ ବର୍ଷ ହେଲା କ୍ରମାଗତ ଭାବେ ଗଂଜେଇ ଚାଷ ଚାଲି ଆସିଛି। ୨୦୧୭-୧୮ ବର୍ଷରେ ପୁଲିସ ଓ ବନ ବିଭାଗର ସହାୟତା ନେଇ ଅବକାରୀ ବିଭାଗ ପକ୍ଷରୁ ୧୪ ଥର ଚଢ଼ଉ କରାଯାଇ ୫୫ ଏକର ଜାଗାରେ ଚାଷ ହୋଇଥିବା ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ନଷ୍ଟ କରିଥିଲା। ଅନୁଗୁଳର ଦୁଇ ପଡ଼ୋଶୀ ଜିଲ୍ଲା ସମ୍ବଲପୁର ଓ ଦେବଗଡ଼ର ସୀମାନ୍ତ ଜଂଗଲ ଅଂଚଳରେ ଗଂଜେଇ ଚାଷ ହୋଇଛି। ଗଂଜେଇ ଚାଷରେ ଲାଭ ଅଧିକ ଥିବାରୁ ସେଠାରେ ମାଫିଆମାନଙ୍କ ରାଜୁତି ଚାଲିଛି। ପାହାଡ଼ ଘେରି ରହିଥିବା ସମତଳ ଅଂଚଳରେ ମୁଖ୍ୟତଃ ଗଂଜେଇ ଚାଷ ହେଉଛି। ଏହି ଚାଷ ପାଇଁ ହଜାର ହଜାର ସଂଖ୍ୟାରେ ଗଛଲତା ମଧ୍ୟ କାଟି ଦିଆଯାଉଛି। ମାଫିଆମାନେ ଜଂଗଲ କେତେକ ଗରିବ ଚାଷୀମାନଙ୍କୁ ମଧ୍ୟ ଗଂଜେଇ ଚାଷ କରିବାକୁ ପ୍ରବର୍ତ୍ତାଉ ଥିବା ଜଣାପଡ଼ିଛି। ଜିଲ୍ଲାରେ ବେଆଇନ ଗଂଜେଇ ଚାଷ ସଂପର୍କିତ ଅନେକ ଥର ଖବର ପ୍ରକାଶ ପାଇଛି। ଅପରପକ୍ଷରେ ଗତ ସପ୍ତାହରେ ଉତ୍ତରାଂଚଳ ଆର୍ଡିସି ଡି.ଭି.ସ୍ବାମୀ ଅନୁଗୁଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବେଳେ ଗଂଜେଇ ଧରପଗଡ଼ ଉପରେ ଜୋର୍ ଦେଇଥିଲେ।
ଚେତା ପଶିଲା: ପୋଡ଼ିଲେ ୧୨ ହଜାର ଗଂଜେଇ ଗଛ
Advertisment
Follow Us