ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଆର ଗରମ ‘ଧାନ-ସୋରିଷ-ଛୁଞ୍ଚି’ ଚିକିତ୍ସା

Advertisment
ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଆର ଗରମ ‘ଧାନ-ସୋରିଷ-ଛୁଞ୍ଚି’ ଚିକିତ୍ସା

ଅନୁଗୁଳ: ଅନ୍ଧବିଶ୍ୱାସର କରୁଣ ପରିଣତି କେତେ ଭୟଙ୍କର ହୋଇପାରେ, ତାହାର ସଦ୍ୟ ଉଦାହରଣ ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦେଖିବାକୁ ମିଳିଛି। ଗୁଣିଆଙ୍କ ଯନ୍ତ୍ରଣା ଜର୍ଜରିତ ଚିକିତ୍ସାରେ ଫସି ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ଦୁଇ ଯୁବକ। ଗରମ ସୋରିଷ ଓ ଧାନ ମାଡ଼ରେ ଜଣଙ୍କ ମୁହଁ ଫୋଟକାମୟ ହୋଇଥିବା ବେଳେ ଆଉ ଜଣଙ୍କ ମୁହଁ ଶିରାରେ ଦେଖିବାକୁ ମିଳିଛି ଗରମ ଛୁଞ୍ଚି ଫୋଡ଼ା ଦାଗ। ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ଗୁଣିଆ ଦ୍ୱୟଙ୍କ ଏଭଳି ବିଚିତ୍ର ଚିକିତ୍ସାରେ ଗୁରୁତର ଅସୁସ୍ଥ ଦୁଇ ଯୁବକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ହେଉଛି ଏମିତି। ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ମାଝି ନୂଆପଡ଼ା ଅଂଚଳର ମୁନା ଘଡ଼େଇ(୨୨)ଙ୍କର ଦୁଇ ଦିନ ତଳେ ହାତ ଗୋଡ଼ ହଠାତ୍‌ ଅଚଳ ହୋଇ କାମ ଦେଲା ନାହିଁ। ପେଟରେ ଭୀଷଣ ଯନ୍ତ୍ରଣା ହେଲା। ଏହାର ପ୍ରତିକାର ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତେ ଗାଁର ଜଣେ ଗୁଣିଆଙ୍କ ଚିକିତ୍ସା ସହାୟତା ଲୋଡ଼ା ଯାଇଥିଲା। ସଂପୃକ୍ତ ଗୁଣିଆ ଜଣକ ଝଡ଼ାଫୁଙ୍କା କରିବା ସହ ମୁନାଙ୍କ ମୁହଁକୁ ଗରମରେ ଫୁଟୁଥିବା ସୋରିଷ ଓ ଉଷୁନା ଧାନ ଦୁଇ ମୁଠା ଫିଙ୍ଗିଥିଲା। ବିଶ୍ୱାସ ଜନ୍ମାଇ ଥିଲା ଯେ, ଏହି ଚିକିତ୍ସାରେ ମୁନା ଭଲ ହୋଇଯିବ। ହେଲେ ଗରମ ସୋରିଷ ଓ ଧାନ ମାଡ଼ରେ ତାଙ୍କ ମୁହଁରେ ଛୋଟ ଛୋଟ ଫୋଟକା ସୃଷ୍ଟି ହୋଇଥିଲା। ଗତକାଲି ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଅନୁଗୁଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁନାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

ଅନୁରୂପ ଘଟଣା ଆଠମଲ୍ଲିକ ବ୍ଲକ କୋଠଭୂଇଁ ଅଂଚଳରେ ବି ଦେଖିବାକୁ ମିଳିଛି। ମୁଣ୍ଡ ବିନ୍ଧା ଭଲ କରିବା ପାଇଁ ଗୁଣିଆ ଜଣକ ହରେକୃଷ୍ଣ ନାୟକ(୩୫)ଙ୍କ ମୁହଁ ଶିରାକୁ ଛୁଞ୍ଚିରେ ଫୋଡ଼ି ଦେଇଛି। ଡିବିରି ନିଆଁରେ ଛୁଞ୍ଚିକୁ ଗରମ କରାଯାଇ ଫୋଡ଼ା ଯାଇଥିବାରୁ ତାଙ୍କ ଅବସ୍ଥା ବି ଗୁରୁତର ହୋଇପଡ଼ିଛି। ମୁହଁରେ ଏକାଧିକ ଦାଗ ରହିଛି। ଅନୁଗୁଳ ମେଡିକାଲ୍‌ରେ ତାଙ୍କର ଏକ୍ସରେ କରାଯିବା ପରେ ତାଙ୍କ ମୁଣ୍ଡରେ ପାଣି ଜମିଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe