ଛେଣ୍ଡିପଦା : ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମର ରଶ୍ମିରଂଜନ ପ୍ରଧାନଙ୍କ ହତ୍ୟା ଘଟଣା ଉପରୁ ପରଦା ହଟିଛି। ପୁଲିସ ଆଜି ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୁଣାଗଡ଼ ଗାଁର ପଞ୍ଚୁ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା(୨୯), ଅନିରୁଦ୍ଧ ବେହେରାଙ୍କ ପୁଅ ଦୁଷ୍ମନ୍ତ ବେହେରା(୨୨), ବୀରବର ବେହେରାଙ୍କ ପୁଅ ଦୀପକ ବେହେରା(୨୧), ବନମାଳୀ ସାହୁଙ୍କ ପୁଅ ଦୁଷ୍ମନ୍ତ ସାହୁ(୨୨) ଓ ଦେବଗଡ଼ ଜିଲ୍ଲା କୁରଡ଼ ଗ୍ରାମର ଧନେଶ୍ୱର ସାହୁଙ୍କ ପୁଅ ସୁଶାନ୍ତ ସାହୁ(୨୨)। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକ୍ ପୁଲିସ ଜବତ କରିଛି। ପ୍ରେମକୁ କେନ୍ଦ୍ର କରି ରଶ୍ମିରଂଜନଙ୍କୁ ହତ୍ୟା କରାଯାଇଛି ଏବଂ ଅଭିଯୁକ୍ତ ପ୍ରଶାନ୍ତ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ବୋଲି ପୁଲିସ କହିଛି।
ପୁଲିସ ସୂଚନାନୁଯାୟୀ, ଅଭିଯୁକ୍ତ ପ୍ରଶାନ୍ତ ଗୋଟିଏ ଝିଅକୁ ଭଲ ପାଉଥିଲା। କିନ୍ତୁ ପରବର୍ତୀ ସମୟରେ ରଶ୍ମିରଂଜନ ସଂପୃକ୍ତ ଝିଅକୁ ଭଲ ପାଇ ବସିବା ସହ ତାଙ୍କ ଘରକୁ ବିବାହ ପ୍ରସ୍ତାବ ପଠାଇଥିଲେ। ସଂପୃକ୍ତ ଝିଅ ରଶ୍ମିରଂଜନଙ୍କ ଦୂର ସଂପର୍କିୟା ଅଟନ୍ତି। ପ୍ରଶାନ୍ତ ଏ କଥା ଜାଣିବା ପରେ ରଶ୍ମିରଂଜନଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ଏପଟେ ସଂପୃକ୍ତ ଝିଅ ବି ପ୍ରେମ କରିବାକୁ ମନା କରିଦେବାରୁ ପ୍ରଶାନ୍ତ ଏଥିପାଇଁ ରଶ୍ମିରଂଜନ ଦାୟୀ ବୋଲି ଭାବି ତାଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ଏଥିପାଇଁ ସେ ଦେବଗଡ଼ ଅଞ୍ଚଳର ସୁଶାନ୍ତ ଏବଂ ଦୁଷ୍ମନ୍ତଙ୍କୁ ପ୍ରଥମେ ୧୦ ହଜାର ଟଙ୍କା ସୁପାରି ଦେଇଥିଲା। ରଶ୍ମିରଂଜନଙ୍କୁ ଜୀବନରେ ମାରିଦେଲେ ଆଉ ୯୦ ହଜାର ଟଙ୍କା ଦେବ ବୋଲି କଥା ଛିଣ୍ଡାଇ ଥିଲା। ଏହାପରେ ରଶ୍ମିରଂଜନଙ୍କୁ ସବୁ ଦିନ ପାଇଁ ହଟାଇ ଦେବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ୍।
ଯୋଜନାନୁସାରେ ଗତ ସେପ୍ଟେମ୍ବର ୨୩ ତାରିଖରେ ଅଭିଯୁକ୍ତ ପ୍ରଶାନ୍ତର ଦୁଇ ସହଯୋଗୀ କାଳିଆ ଓ ଅମର ନାଲ୍କୋ ବିଶ୍ୱକର୍ମା ପୂଜା ଦେଖିବା ପାଇଁ ରଶ୍ମିରଂଜନଙ୍କୁ ଘରୁ ଡାକି ନେଇଥିଲେ। ଅମର ହେଉଛି ରଶ୍ମିରଂଜନଙ୍କ ପିକଅପ୍ ଗାଡ଼ିର ଡ୍ରାଇଭର୍। ନିକଟସ୍ଥ ବାରମଞ୍ଚା ପୋଲଠାରେ ପ୍ରଶାନ୍ତ ଓ ତା’ର ଦୁଇ ସହଯୋଗୀ ସୁଶାନ୍ତ ଓ ଦୁଷ୍ମନ୍ତ ସେମାନଙ୍କୁ ଅପେକ୍ଷା କରିଥିଲେ। ସେଠାରେ ସମସ୍ତେ ପହଞ୍ଚିବା ପରେ ଦୁଇଟି ବାଇକ୍ରେ ନାଲ୍କୋ ଯିବା ପରିବର୍ତେ ରଶ୍ମିରଂଜନଙ୍କୁ ଦେବଗଡ଼ ଜିଲ୍ଲା ପାଳକୁଦ ଜଂଗଲକୁ ନେଇ ଯାଇଥିଲେ। ରାସ୍ତାରେ ପ୍ରଶାନ୍ତ ନିଜ ପ୍ରେମ କଥା କହିଥିଲା। ରଶ୍ମିରଂଜନ ବି ସଂପୃକ୍ତ ଝିଅକୁ ଭଲ ପାଉଥିବା କଥା କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାଗରେ ପ୍ରଶାନ୍ତ ହଠାତ୍ ରଶ୍ମିରଂଜନଙ୍କୁ ଗୋଇଠା ଓ ବିଧା ମାରିଥିଲା।
ଏହାପରେ ସମସ୍ତେ ମିଳିମିଶି ରଶ୍ମିରଂଜନଙ୍କ ଚୁଟିକୁ ଧରି ଭୂମିରେ ଜୋର୍ରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେମାନେ ରଶ୍ମିରଂଜନଙ୍କ ମୃତଦେହ ବାଇକ୍(ଓଡି୧୯ଡି-୬୮୧୨)ମଝିରେ ବସାଇ ଫେରିଆସି ଗାଁ ବିଲ ମଝିରେ ଫିଙ୍ଗି ଦେଇଥିଲେ। ଏପଟେ ବିଳମ୍ବିତ ରାତି ଯାଏଁ ଘରକୁ ରଶ୍ମିରଂଜନ ନ ଫେରିବାରୁ ତାଙ୍କ ପରିବାର ଲୋକ ମୋବାଇଲ୍କୁ ଫୋନ୍ କରିଥିଲେ। କିନ୍ତୁ ମୋବାଇଲ୍ ସୁଇଚ୍ ଅଫ୍ ଥିଲା। ପର ଦିନ ସକାଳୁ ରଶ୍ମିରଂଜନଙ୍କ ମୃତଦେହ ବିଲରୁ ଉଦ୍ଧାର ହୋଇଥିଲା। ତାଙ୍କ ଦାଦା ଘାସି ପ୍ରଧାନ ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Follow Us