ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗ୍ରାମର ପ୍ରାଣବନ୍ଧୁ ସେଠୀ(୬୦)ଙ୍କ ମୃତଦେହ ତାଙ୍କ ଘର ସମ୍ମୁଖରେ ଥିବା କୂଅରେ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରିଥିଲା।
ଗତ ରବିବାର ଦିନରେ ପ୍ରାଣବନ୍ଧୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ଭୋଜି କରିଥିଲେ। ସନ୍ଧ୍ୟାରେ ମଧ୍ୟ ଭୋଜିରୁ ବଳିଥିବା ମାଂସ ଓ ମୁଢି ଖାଇ ଗୋଷ୍ଠୀ ଆସରରେ ରହିଥିଲେ। ରାତି ୯ ଟାରୁ ଘରୁ ନିଖୋଜ ଥିଲେ ପ୍ରାଣବନ୍ଧୁ। ନିଖୋଜ ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହିତ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ଖୋଜାଖୋଜି କରୁଥିବା ବେଳେ ଗ୍ରାମବାସୀ କୂଅରେ ତାଙ୍କ ମୃତହେଦ ଭାସୁଥିବା ଦେଖିବାକୁ ପାଇଥିଲେ।
ThePrintପ୍ରଥମେ ମୃତଦେହ ସମ୍ପର୍କରେ କୌଣସି ଆଭାସ ମିଳିନଥିଲା। ଗତକାଲି ରାତି ୧୨ ଟାରୁ ୪୦ମିନିଟ ଧରି ଲାଇନ କଟିଥିବା ସମୟରେ ସ୍ଥାନୀୟ ଲୋକେ କୂଅରେ କିଛି ପଡ଼ିବା ଭଳି ଶବ୍ଦ ଶୁଣିବାକୁ ପାଇଥିଲେ। ଶବ୍ଦ ଶୁଣି କୂଅ ନିକଟରେ ସ୍ଥାନୀୟ ଲୋକମାନେ ଆସି ପ୍ରାଣବନ୍ଧୁଙ୍କ ମୃତଦେହ ଦେଖିବାକୁ ପାଇଥିଲେ। କୂଅରେ ମୃତଦେହ ଦେଖି ପୁଲିସକୁ ଜଣେଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଥିଲା। ଆଜି ସକାଳେ ପୁଲିସ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଉପସ୍ଥିତିରେ ତଦନ୍ତ ଚଳେଇଛି।
Follow Us